୧ ସେପ୍ଟେମ୍ବରରେ ୧୮ ଦଫା ସମ୍ବଳିତ ଦାବିରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ ଦେଶ ବିକ୍ରି କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ମୁଖିଆଙ୍କ ଦାୟିତ୍ଵ ନୁହେଁ । ଭଲ ଶାସକଙ୍କ ଦାୟିତ୍ଵ ହେଉଛି ଜନଗଣଙ୍କ ରୋଜଗାର, ସ୍ୱାସ୍ଥ୍ୟସେବା, ଶିକ୍ଷା, ବାସଗୃହର ଅଧିକାରକୁ କାର୍ଯ୍ୟକାରୀ କରିବା ସହ ପରିବେଶର ସୁରକ୍ଷା କରିବା କିନ୍ତୁ ଆମଦେଶର ମୋଦି ଓ ନବୀନ ସରକାର କୃଷକ ଓ ଶ୍ରମିକ ବିରୋଧୀ ନୀତି ଆପଣାଇବା, ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ କର୍ପୋରେଟୀକରଣ କରି ଦେଶକୁ ବନ୍ଧା ପକାଇବାର ସମସ୍ତ ନୀତି କାର୍ଯ୍ୟକାରୀ କରୁଛନ୍ତି, ଏଥିପାଇଁ ଏ ଜନବିରୋଧୀ ସରକାର ବିରୁଦ୍ଧରେ ଗର୍ଜି ଉଠିବା ପାଇଁ ସି.ପି.ଆଇ(ଏମ୍ -ଏଲ୍) ରେଡଷ୍ଟାର ଆହ୍ବାନ ଦେଇ ରାଜ୍ୟବ୍ୟାପୀ ପ୍ରତିବାଦ ଅନୁଷ୍ଠିତ କରାଯାଉଥିବା ନେଇ ସୂଚନା ମିଳିଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ କୃଷକ, ଶ୍ରମିକ, ଯୁବକ, ଛାତ୍ର, ମହିଳା, ଆଦିବାସୀ, ଦଳିତ, ନିର୍ମାଣ ଶ୍ରମିକ, ଅସଂଗଠିତ ଶ୍ରମିକ, ଉଠାଦୋକାନୀ, ବସ୍ତିବାସିନ୍ଦା, କ୍ଷେତମୂଲିଆ, ଭାଗଚାଷୀ, ଭୂମିହୀନ ଆଦି ୯୦ ଭାଗ ଶ୍ରମଜୀବୀ ଏକ ହୋଇ ଆମର ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା, ବାସଗୃହ ଓ ପରିବେଶର ସୁରକ୍ଷା ପାଇଁ ସଂଘର୍ଷ କରି ଏକଛତ୍ରବାଦୀ ଶାସକଙ୍କ ପତନ କରି ଆମ ଶ୍ରମଜୀବୀଙ୍କ ସ୍ୱପ୍ନର ସୁନ୍ଦର ଭାରତ ବର୍ଷ ନିର୍ମାଣ କରିବା ଆହ୍ୱାନ ଦିଆଯାଇଛି । ଜନଗଣଙ୍କ ୧୮ ଦଫା ସମ୍ବଳିତ ଦାବିରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୦୧ ସେପ୍ଟେମ୍ବର ୨୦୨୦ ପୂର୍ବାହ୍ନ ୧୦ ଘଟିକାରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳ ୮ ଘଟିକାରୁ ପ୍ରତିବାଦ ହେବ । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ପ୍ରତିବାଦକୁ ସଫଳ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ନିବେଦନ କରାଯାଇଥିବା ଜିଲ୍ଲା ସମ୍ପାଦକ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ଶଙ୍କର ସାହୁ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା