୧୫୮ ଜଣଙ୍କୁ ପଟ୍ଟା ଓ ଆବାସ ଗୃହ ବଣ୍ଟନ : ଅଦ୍ୟାବଧି ୧୩୧୪ ଭୂମୀହିନଙ୍କୁ ଜମି ଯୋଗାଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ପରିସରରେ ୭୨ଜଣ ଓ ରାଇବଣିଆଠାରେ ୮୬ଜଣ ଭୂମିହୀନ ବ୍ୟକ୍ତିଙ୍କୁ ଜମିପଟା ଓ ଆବାଜ ଯୋଜନାର କାର୍ଯ୍ୟାଦେଶ ଆଜି ପୂର୍ବାହ୍ନରେ ଦିଆଯାଇଛି । ବ୍ଳକ ପରିସରରେ ଆୟୋଜିତ ସଭାରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ ପୌରହିତ୍ୟ କରି ସରକାରଙ୍କ ସମସ୍ତଙ୍କୁ ଖାଦ୍ୟ ଓ ସମସ୍ତଙ୍କୁ ବାସଗୃହ ଯୋଜନା ଜଳେଶ୍ୱରରେ ଫଳବତୀ ହେବାକୁ ଯାଉଥିବା ସଂପର୍କରେ କହିଥିଲେ । ତହସିଲଦାର ସ୍ମୃତିରଂଜନ ମଲ୍ଲିକ ୨୦୧୪-୧୫ରୁ ଅଦ୍ୟାବଧି ୧୩୧୪ଜଣ ବ୍ୟକ୍ତିଙ୍କୁ ପର୍ଯ୍ୟୟକ୍ରମେ ଘରଡିହ ଯୋଗାଣ ସଂପର୍କରେ ସୂଚନା ଦେଇଥିଲେ । ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ୫୨୩ଜଣ ଆଦିବାସୀ, ୨୫୫ଜଣ ହରିଜନ, ୯୧ଜଣ ଅନ୍ୟ ଗରିବ ଲୋକଙ୍କୁ ଘରଡିହ ପଟା ଯୋଗାଇ ଦିଆଯାଇଥିବା ସଂପର୍କରେ କହିଥିଲେ । ସରକାରଙ୍କ ଜଂଗଲ ଜମି ଅଧିକାର ଆଇନ୍ କାର୍ଯ୍ୟକାରୀ ହେବାପରେ ଅଦ୍ୟାବଧି ୩୧୧ଜଣଙ୍କୁ ସାମିଲ କରାଯାଇଥିବା ସେ ସୂଚନା ଦେଇଥିଲେ । ବ୍ଳକ ଅଧ୍ୟକ୍ଷ ମାନସ କୁମାର ଜେନା ଯୋଗ ଦେଇ ୧୫୮ ଜଣ ବ୍ୟକ୍ତିଙ୍କୁ ଜଳେଶ୍ୱର ଓ ଓଲମରା ରାଜସ୍ୱ ନିରିକ୍ଷକଙ୍କ ଅଧିନରେ ପଟା ବଣ୍ଟନ ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ଓ ବ୍ଳକ ଉପାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ । ଜଳେଶ୍ୱର ବ୍ଳକର ନିର୍ବାଚିତ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା