ହେମଚନ୍ଦ୍ର ସୀମାନ୍ତ ସଂସ୍କୃତ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଂଗ ଉପାନ୍ତ ନେତୁଆ ପଂଚାୟତର ଶାହାପୁର ଗାଁରେ ଦୀର୍ଘ ୨୯ବର୍ଷ ପୂର୍ବେ ଗଢି ଉଠିଥିବା ଏକ ସଂସ୍କୃତ ବିଦ୍ୟାଳୟ ଏବେ ଅନିଶ୍ଚିତତା ମଧ୍ୟରେ ଚାଲିଛି ବୋଲି ଆଜି ପ୍ରତିଷ୍ଠା ଦିବସ ଅବସରରେ ମତପ୍ରକାଶ ପାଇଛି । ଫଳରେ ୯ଜଣ ଶିକ୍ଷକ ଓ କର୍ମଚାରୀ ଏବଂ ୨୦୪ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ୧୯୯୫ ମସିହାରେ ହେମଚନ୍ଦ୍ର ସୀମାନ୍ତ ସଂସ୍କୃତ ବିଦ୍ୟାଳୟ ଗଢି ଉଠିଥିଲା । ୭୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୬ଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲା ଯାଇଥିବା ବେଳେ ଏବେ ୧୦ମ ଶ୍ରେଣୀ ଯାଏ ୨୦୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ । ଏଥିରେ ଥିବା କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଅଦ୍ୟାବଧି କୌଣସି ସରକାରୀ ଅନୁଦାନ ପାଉନଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସବୁ ସରକାରୀ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । କିନ୍ତୁ ବୈଜ୍ଞାନୀକ ପ୍ରଫେସର ସୁଶିଲ କୁମାର ଦତ୍ତନିଜ ପ୍ରଚେଷ୍ଟାରେ ୨ ମହଲା ବିଶିଷ୍ଟ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ସ୍କୁଲ ବେଢାରେ ଏକ ଜଗନ୍ନାଥ ମନ୍ଦିର ଓ ନିକଟରେ ଖେଳ ପଡିଆ ରହିଛି । ଆଜି ପୂର୍ବାହ୍ନରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସୁକୁମାର ଦତ୍ତ ପୌରହିତ୍ୱ କରି ବିଦ୍ୟାଳୟର ଅତୀତ ଇତିହାସ ଓ ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ନିୟମ ଅନୁସାରେ ଖାପ ଖୁଆଇ ଚଳିବା କିପରି ଅସୁବିଧା ସୃଷ୍ଟି ହେଉଛି ସେ ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ଯୋଗ ଦେଇ ଉପାନ୍ତ ଅଂଚଳରେ ଦୁଇ ରାଜ୍ୟର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବା ଏହି ବିଦ୍ୟାଳୟ ସରକାରୀ ସ୍ୱିକୃତି ପାଇଥିଲେ ମଧ୍ୟ ଅନୁଦାନ ପାଉନଥିବାରୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଯୋଗ ଦେଇ ସରକାରୀ ନିତିନିୟମ ଅନୁଯାୟୀ ବିଦ୍ୟାଳୟଟି ଗଣ୍ଡେ ଖାଇ ଦଣ୍ଡେ ଜିଇବା ନିତିରେ ରହିଥିବାରୁ ଅନିଶ୍ଚିତତା ଭିତରେ ଶିକ୍ଷକ ଓ ଶିକ୍ଷାର୍ଥୀ ସମୟ କାଟୁଛନ୍ତି । ଏଥିଲାଗି ସରକାରୀ ଅନୁଦାନ ପାଇବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ, ସମାଜସେବୀ ଲେଲିନ୍ ପ୍ରଧାନ, ସଂଜୟ କୁମାର ପାଣ୍ଡା, ସଂଚିତା ସେନାପତି, କମଳାକାନ୍ତ ଦାସ, ଗୁରୁପ୍ରସାଦ ରାଉଳ, ଶୁଭ୍ରାଂଶୁ ସେଖର ଦାସମହାପାତ୍ର, ବେଣୁଧର ଜେନା, ମଧୁସୂଦନ ସେନାପତି ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଏକ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ବୋଲି ସିଦ୍ଧାନ୍ତ ନେଇଥିଲେ । ଶେଷରେ ଧରିଣୀକାନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା