ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ଡାଟା ବେସ୍ ପ୍ରସ୍ତୁତ ହେବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାରର ପ୍ରତିଟି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାସ୍ ଡାଟାବେସ୍ ପ୍ରସ୍ତୁତ ହେବ । ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ ହେବ । ଏହାରି ଫଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିୟୁକ୍ତ, ରୋଗ ନିରୂପଣ ପରୀକ୍ଷା, ଔଷଧ ବିତରଣ ଇତ୍ୟାଦି କ୍ଷେତ୍ରରେ ସୁଧାର ଆଣିବା ଦିଗରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜଣାଇଛନ୍ତି । ଶନିବାର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଛନ୍ତି ଯେ, ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳ ଗୁଡିକରେ କେଉଁ ରୋଗୀ କେତେ ପରିମାଣରେ ଅଛନ୍ତି ସେହି ତଥ୍ୟ ମଧ୍ୟ ଏକମାସ ମଧ୍ୟରେ ଆଦାୟ କରିବାକୁ ହେବ । ସେହି ତଥ୍ୟକୁ ଆଧାର କରି ଡାକ୍ତରଗଣ ନିୟୋଜିତ ହେବେ ଏବଂ ରୋଗୀଙ୍କ ଚିକିତ୍ସାଗତ ସମସ୍ୟାର ସମାଧାନ ହୋଇ ପାରିବ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗ ନିରୂପଣ ନିମନ୍ତେ ବ୍ୟବହୃତ ହେଉଥିବା ଯନ୍ତ୍ର ଗୁଡିକ ଆଧୁନିକୀକରଣ କରାଯିବ ଏବଂ ପ୍ରତିଟି ରୋଗୀଙ୍କ ରୋଗ ନିରୂପଣ ଯେପରି ସଠିକ୍ ହେବ ସେଥି ନିମନ୍ତେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । କୋଭିଡ୍, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୂଷ୍ଠରୋଗ ଏବଂ ଫାଇଲେରିଆ ଆଦି ସଂକ୍ରାମକ ରୋଗର ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ନ ହୋଇପାରି ବିନା ଚିକିତ୍ସାରେ ରହିଯାଆନ୍ତି । ଏହା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦିଏ । ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ଦେବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଚାଲୁ ଅଛି । ସକ୍ରିୟ ସର୍ବେକ୍ଷଣରେ ଆଶାଦିଦିଙ୍କୁ ସହଯୋଗ କରିବା ନିମନ୍ତେ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସଂକ୍ରାମକ ରୋଗର ସଅଳ ଚିହ୍ନଟ ହୋଇ ପାରିଲେ ଏହାର ଆଶୁ ଚିକିତ୍ସାର ସୁଫଳ ମନାଳିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆଶା ପ୍ରକଟ କରିଛି । ରୋଗ ନିରୂପଣ କ୍ଷେତ୍ରରେ ଅବହେଳା ନକରି ଠିକ୍ ରୂପେ ଯାଂଚ୍ କରନ୍ତୁ ଏବଂ ସଠିକ ରିପୋର୍ଟ ଆସିଲେ ରୋଗୀଙ୍କ ଚିକିତ୍ସା ପ୍ରଦାନର ଆଶୁ ସମାଧାନ ହୋଇପାରିବ । ଆବଶ୍ୟକ ସ୍ଥଳେ ରୋଗ ନିରୂପଣ ସକାଶେ ବ୍ୟବହୃତ ହେଉଥିବା ନୂତନ ଯନ୍ତ୍ରପାତି କିଣାଯାଇ ଲୋକଙ୍କ ସେବାରେ ବିନିଯୋଗ କରାଯିବ । ଗ୍ରାମାଞ୍ଚଳରେ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ସକାଶେ ସେମାନଙ୍କ ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ଟୀକାକରଣ କରାଯିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଗଣ ସେମାନଙ୍କ ଅଞ୍ଚଳରେ ଥିବା ଚିକିତ୍ସାଳୟ ଗୁଡିକୁ ପରିଦର୍ଶନ କରି ଚିକିତ୍ସା ସୁବିଧାର ସମସ୍ତ ଦିଗପ୍ରତି ଧ୍ୟାନ ଦେବେ । ଜିଲ୍ଲାର ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁଧାର ଆଣିବା ନେଇ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ରାଓ ପଟ୍ଟନାୟକ, ପରିବାର କଲ୍ୟାଣ ନିୟୋଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି. ସରୋଜିନୀ ଦେବୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ରଜତ୍ କୁମାର କାର୍ଯୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା