ସମ୍ମାନୀତ ହେଲେ ରାଜା କୈଳାସ ଚନ୍ଦ୍ର ଦେଓ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଜା କୈଳାସ ଚନ୍ଦ୍ର ଦେଓଙ୍କୁ ସମ୍ମାନୀତ କରାଯାଇଛି । ୧୯୨୦ ମସିହାରେ ଚିକିଟିର ତତ୍କାଳୀନ ରାଜା ସ୍ୱର୍ଗତଃ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେଓଙ୍କ ସାନଭାଇ ସ୍ୱର୍ଗତଃ ଦୂର୍ଗା ମାଧବ ଦେଓ ଛତ୍ରପୁର ଆସି ଅବସ୍ଥାନ କରିବା ସହ ଜଗନ୍ନାଥ ମନ୍ଦିରର ପୃଷ୍ଠପୋଷକତା ଓ ପରିଚାଳନା ଭାର ବହନ କରିଥିଲେ । ସେହିଦିନ ଠାରୁ ଏହି ମନ୍ଦିର ରାଜାଘର ମନ୍ଦିର ନାମରେ ପରିଚିତ । ୧୯୨୦ରୁ ୧୯୫୩ ପର୍ଯ୍ୟନ୍ତ ୩୩ ବର୍ଷ ସ୍ୱର୍ଗତଃ ଦୂର୍ଗା ମାଧବ ଦେଓ ପରିଚାଳନା ସେବା ଭାର ବହନ କରିବା ପରେ ତାଙ୍କ ପୁତ୍ର ସ୍ୱର୍ଗତଃ ରାମଚନ୍ଦ୍ର ଦେଓ ୧୯୫୩ରୁ ୧୯୬୭ ପର୍ଯ୍ୟନ୍ତ ୧୪ ବର୍ଷ ଏବଂ ଏହାପରେ ୧୯୬୭ରୁ ଅଦ୍ୟାବଧି ୫୫ ବର୍ଷ ଧରି କୈଳାଶ ଚନ୍ଦ୍ର ଦେଓ ରାଜା ଭାବେ ସେବା ପ୍ରଦାନ କରି ଆସୁଛନ୍ତି । ୨୦୦୪ ମସିହାରେ ମନ୍ଦିରର ସମ୍ପୂର୍ଣ୍ଣ ନବୀକରଣ, ୨୦୧୫ ମସିହାରେ ଠାକୁରଙ୍କ ନବକଳେବର ଓ ସ୍ୱର୍ଣ୍ଣ ଆଭୂଷଣ ନିର୍ମାଣ, ମନ୍ଦିରର ମୁଖ୍ୟ ଦ୍ୱାର ଉଭୟ ପାର୍ଶ୍ୱରେ ମୁକୁଟ ସିଂହ ସ୍ଥାପନ ଏବଂ ଚଳିତ ବର୍ଷ ନବ ନିର୍ମିତ ଲକ୍ଷ୍ମୀ ପ୍ରସାଦ ମଣ୍ଡପ ପାଇଁ ନିଜ ଜେଜେବାପା ସ୍ୱର୍ଗତଃ ଦୂର୍ଗା ପ୍ରସାଦ ଦେଓଙ୍କ ସ୍ମୃତିରେ ପାକଶାଳା ନିର୍ମାଣ ରାଜା କୈଳାଶ ଚନ୍ଦ୍ର ଦେଓଙ୍କ କୃତି ଅଟେ। ରାଜ ପରିବାରର ମନ୍ଦିରକୁ ସେବା ପ୍ରଦାନର ୧୦୦ ବର୍ଷ ପୂ୍ର୍ତ୍ତି ଉପଲକ୍ଷେ ଛତ୍ରପୁର ଜନସାଧାରଣ ଓ ଜଗନ୍ନାଥ ଭକ୍ତଙ୍କ ପକ୍ଷରୁ ରଥଯାତ୍ରା ଦିନ ପହଣ୍ଡି ପୂର୍ବରୁ ରାଜା କୈଳାଶ ଚନ୍ଦ୍ର ଦେଓଙ୍କୁ ପୁଷ୍ପମାଲ୍ଯ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ଦିର ଟ୍ରଷ୍ଟର ସଦସ୍ଯ ବୃନ୍ଦ ଆଦିକନ୍ଦ ପାଣିଗ୍ରାହୀ, ଇଂ ରାମଚନ୍ଦ୍ର ପଟ୍ଟନାୟକ,ରମାକାନ୍ତ ଚୌଧୁରୀ, ସୁଧିର ରଥ ଓ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି ରାଜାଙ୍କ ସମେତ ରାଜ ପରିବାରର ସଦସ୍ଯ ବୃନ୍ଦ ଅମ୍ରିତା ଦେଓ, ଲିଖିତ ନାୟକ ଓ ଅନମୋଲ ଛାବ୍ରିଆଙ୍କୁ ସମ୍ମାନୀତ କରିଥିଲେ । ଜଗନ୍ନାଥ ମନ୍ଦିର ପରିଚାଳକ ଟ୍ରଷ୍ଟି ଜଗବନ୍ଧୁ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିବା ବେଳେ ଅସୀତ ପଟ୍ଟନାୟକ, ଭାଗବତ ମହାପାତ୍ର, ଗୋବିନ୍ଦ ମିଶ୍ର, ଦାଶରଥି ନେପାକ, ରାଜେନ୍ଦ୍ର ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ସୁରେନ୍ଦ୍ର ପାଢୀ, ମନୋରଞ୍ଜନ ସେନାପତି, କୃଷ୍ଣ ଚନ୍ଦ୍ର ସାହୁ, ଏନ ଜଗଦିଶ ରାଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପୂର୍ବରୁ ଛତ୍ରପୁର ଜାତୀୟ ରାଜପଥର କଲେଜ ଛକ ଠାରୁ ରାଜାଙ୍କୁ ଘଣ୍ଟ, ବାଦ୍ୟ, ଶଙ୍ଖ ଓ କାହାଳୀ ବଜାଇ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା