ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଉଦାହରଣ ପାଲଟିଲେ ବଳରାମ ସିଂ


ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କନଷ୍ଟେବଳଙ୍କ ମଣିଷପଣିଆ କାମ ପାଇଁ ଗର୍ବିତ ମନେ କରି
ସମ୍ମାନିତ କରିଛନ୍ତି   

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଜଣେ ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଜିଆରପିର କନଷ୍ଟେବଳ ବଳରାମ ସିଂ ଓରଫ ବଳିଆ ସବୁ ମହଲରେ ପ୍ରଶଂସା ସାଉଁଟିଛନ୍ତି । କେବଳ ଏତିକି ନୁହେଁ ଏହି ଖବର ପ୍ରକାଶିତ ହେବା ପରେ ଖୋଦ୍ ଟୁଇନ୍ ସିଟି (ଭୁବନେଶ୍ୱର-କଟକ) ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କନଷ୍ଟେବଳଙ୍କ ମଣିଷପଣିଆ କାମ ପାଇଁ ଗର୍ବିତ ମନେ କରିଛନ୍ତି । ତାଙ୍କୁ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଡାକି ଶ୍ରୀ ମହାନ୍ତି ସମ୍ମାନିତ କରିଛନ୍ତି । ଏଥିପାଇଁ କନଷ୍ଟେବଳ ବଳରାମ ସିଂଙ୍କୁ ପ୍ରଶଂସାମୂଳକ ପ୍ରମାଣପତ୍ର ଦେଇଛନ୍ତି ।କନଷ୍ଟେବଳ ବଳରାମ ଉପସ୍ଥିତି ବୁଦ୍ଧି ଖଟାଇ ହୃଦଘାତ ବ୍ୟକ୍ତି ଜଣଙ୍କର ଜୀବନ ବଞ୍ଚାଇଥିବାରୁ ଏହା ପୁଲିସ କମିଶନର ଶ୍ରୀ ମହାନ୍ତିଙ୍କ ମନ ଜିଣିଛି । ବ୍ୟକ୍ତି ଜଣଙ୍କ ନିଶ୍ୱାସ ନେବାରେ ଛଟପଟ ହେଉଥିବାରୁ କନଷ୍ଟେବଳ ଜଣଙ୍କ ତାଙ୍କ ଛାତିକୁ ବାରମ୍ବାର ଦବାଇବା ସହ ମାଉଥଟୁ ମାଉଥ ରେସପିରେସନ ପନ୍ଥା ଅବଲମ୍ବନ କରିଥିଲେ ।ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କର ହଠାତ୍ ହୃଦଘାତ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହେବା ସହ ବ୍ୟକ୍ତି ଜଣଙ୍କ ତଳେ ପଡିଯାଇଥିଲେ । ବ୍ୟକ୍ତି ଜଣଙ୍କ ଛଟପଟ ହେଉଥିବାର ଦେଖି ଷ୍ଟେସନରେ ଥିବା ଲୋକେ ସେଠାରେ ରୁଣ୍ଢ ହୋଇଥିଲେ । ହେଲେ ମୋବାଇଲରେ ଭିଡିଓ ରେକଡିଂ କରିବା ଛଡ଼ା ଲୋକେ ଦେଖଣାହାରୀ ସାଜିଥିଲେ । ଠିକ୍ ଏହି ସମୟରେ ପ୍ଲଟଫର୍ମରେ ଡ୍ୟୁଟି କରୁଥିବା ରେଳବାଇ ଥାନାର ଜଣେ କନଷ୍ଟେବଳ ସେଠାରେ ପହଚଂଥିଲେ । ବ୍ୟକ୍ତି ଜଣଙ୍କ ଛଟପଟ ହେଉଥିବାର ଦେଖି ସେ ଉପସ୍ଥିତ ବୁଦ୍ଧି ଲଗାଇ ରୋଗୀ ଜଣଙ୍କ ଜୀବନ ବଚାଂଇ ଥିଲେ । ବ୍ୟକ୍ତି ଜଣଙ୍କୁ ସେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ । ତାଙ୍କ ଛାତିକୁ ବାରମ୍ବାର ଦାବିବା ସହ ମୁହଁରେ ବାୟୁ (ମାଉଥ ଟୁ ମାଉଥ ରେସପିରେସନ) ଛାଡିଥିଲେ । ବାରମ୍ବାର ଏହା କରିବା ଫଳରେ ବ୍ୟକ୍ତିଙ୍କ ଚେତା ଆସିଥିଲା ।