ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି । ଏହି କମିଟି ରାଜ୍ୟସ୍ତରରେ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ସହିତ ସେସବୁର କାର୍ଯ୍ୟାନ୍ୱୟନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବ ।ଆସନ୍ତା ୨୫ ତାରିଖ ପୂର୍ବାହରେ କମିଟିର ବୈଠକ ଆହୂତ ହୋଇଛି । ସଚିବାଳୟସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ କମିଟିର ବୈଠକ ଅନୁଷ୍ଠିତ ହେବ ।ଏହି କମିଟିର ସଦସ୍ୟ ଭାବେ ବିରୋଧି ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗୋଙ୍କ ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ, ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକମାନେ ସ୍ଥାନ ପାଇଛନ୍ତି । ଶାସକ ଓ ବିରୋଧିଦଳର ମୁଖ୍ୟ ସଚେତକ ମଧ୍ୟ ସଦସ୍ୟ ରହିଛନ୍ତି ।ଏମାନଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଗାନ୍ଧୀବାଦୀ ସମାଜସେବୀ ଶ୍ରୀମତୀ କ୍ରିଷ୍ଣା ମହାନ୍ତି, ଅବସରପ୍ରାପ୍ତ ବି·ରପତି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ଅବଦୁଲ ବାରୀ, ସାହିତ୍ୟିକ ଡ. ଦାଶ ବେନହୁର, ଲେଖକ ସ୍ତମ୍ଭକାର ପାବକ କାନୁନଗୋ, ଗାନ୍ଧୀବାଦୀ ଲେଖକ ପ୍ରହ୍ଲାଦ ସିଂହ ପ୍ରମୁଖ ରହିଛନ୍ତି ।

କମିଟିରେ ଲେଖକ ସ୍ତମ୍ବକାର ଡ. ଭଗବାନ ପ୍ରକାଶ, ବୈଜ୍ଞାନିକ ଜ୍ଞାନଦେବ ମହାରଣା, ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ଲେଖକ ସୁବୋଧ ପଟ୍ଟନାୟକ, ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ଶୋଭନୀୟ ଆନ୍ଦୋଳନର କର୍ଯ୍ୟକର୍ତା ଅରୁନ୍ଧତୀ ଦେବୀ, ସ୍ତମ୍ଭକାର ଧନେଶ୍ୱର ସାହୁ ସ୍ଥାନ ପାଇଛନ୍ତି । 

ଏହା ସହିତ ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି, ଗାନ୍ଧୀବାଦୀ ଫୋରମ(କଟକ)ର ସଭାପତି/ସଂପାଦକ, ଉକ୍ରଳ ବାଳାଶ୍ରମ(ଗରଦପୁର)ର ସଭାପତି/ସଂପାଦକ, ବରଗଡ଼ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି/ସଂପାଦକ, କୋରାପୁଟ ସ୍ଥିତ ସର୍ବୋଦୟ ସେବାସମିତିର ସଭାପତି/ସଂପାଦକ ମଧ୍ୟ ସଦସ୍ୟ ରହିବେ ।

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ/କମିଶନର ତଥା ସଚିବ ଓ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଯଥାକ୍ରମେ କମିଟିର ସଦସ୍ୟ ସଂପାଦକ ଓ ସଦସ୍ୟଯୁଗ୍ମ ସଂପାଦକ ଭାବରେ କାର୍ଯ୍ୟ କରିବେ ।