ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ବିଭୁ ତରାଇଙ୍କୁ ଏସ.ସି ସେଲର ଅଧ୍ୟକ୍ଷ ନିଯୁକ୍ତ କଲେ ରାହୁଲ ଗାନ୍ଧୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମହିଳା କଂଗ୍ରେସର ସଭାପତିଙ୍କୁ ଆଜି ପରିବର୍ତ୍ତନ କରାଯାଇଛି । ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସସ୍ମିତା ବେହେରାଙ୍କୁ ହଟାଇ ସୁମିତ୍ରାଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମୟରେ ସସ୍ମିତା ସଭାପତି ହୋଇଥିଲେ । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ସସ୍ମିତାଙ୍କୁ ବଦଲାଇବାକୁ ଚାହିଁଥିଲେ । ଏଥିସହ କଂଗ୍ରେସ ଏସସି ସେଲର ଅଧ୍ୟକ୍ଷଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ସ୍ଥାନରେ ପୂର୍ବତନ ସାଂସଦ ବିଭୁ ତରାଇଙ୍କୁ ନିଯୁକ୍ତ କରାଯାଇଛି । ସଗରିଆଙ୍କୁ ପିସିସିର ସାଧାରଣ ସଂପାଦକ କରାଯାଇଛି । ସେହିପରି ପିସିସି କାଯ୍ୟକାରୀ ସଦସ୍ୟ ଭାବେ ଜଗନ୍ନାଥ ପଟ୍ଟନାୟକଙ୍କୁ ନିଆଯାଇଛି ।