ଚଳିତ ବର୍ଷ ବାଣୀବିହାରରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଣୀବିହାରରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ ଏ ସଂର୍ପକରେ ସୂଚନା ଦେଇଛନ୍ତି । ବାଣିବିିହାରରେ ଶାନ୍ତ ବାତାବରଣ ନଥିବାରୁ ଏନେଇ ନିର୍ବାଚନ କରାଯିବ କି ନାହିଁ ସେ ସଂପର୍କରେ ପିଜି କାଉନସେଲିଂର ବୈଠକ ବସିଥିଲା । ଏହି ବୈଠକରେ କ୍ୟାମ୍ପସରେ ଶାନ୍ତି ବାତାବରଣ ନଥିବାରୁ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି । କିଛିଦିନ ହେଲା ବାଣୀବିହାର କ୍ୟାମ୍ପସ ଭିତରେ ଅଶାନ୍ତ ବାତାବରଣ ଦେଖାଦେଇଛି । ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡୋଗୋଳ ହେଉଥିବାର ଦେଖିବାକୁ ମିଳୁଛି । ଆସନ୍ତା ୧୧ ତାରିଖରେ ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଲିଙ୍ଗଡୋ କମିସନ ରିପୋର୍ଟକୁ ଆଧାର ତରି ବାଣୀବିହାର ଅଶାନ୍ତ ଥିବା ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନିଷ୍ପତ୍ତିକୁ ତିନି ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ଛାତ୍ର କଂଗ୍ରେସ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ତୀବ୍ର ବିରୋଧ କରାଯାଇଛି । ଏବିଭିପିର ଛାତ୍ର ନେତା ତଥା ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଯେ,” ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ  ଅଧିକାରର ହତ୍ୟା କରାଯାଇଛି । ବିଦ୍ୟାର୍ଥୀ ପରିଷଦ ଦୃଢ଼ ନିନ୍ଦା କରିବା ସହ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟିବ ଏବଂ ନିର୍ବାଚନ ପାଇଁ ଦାବୀ କରିବ”। ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଶ୍ରୀ ଇତିଶ୍ ପ୍ରଧାନ କହିଛନ୍ତି ଯେ,” ଶାସକ ଦଳର ଛାତ୍ର ସଂଗଠନର ସ୍ଥିତି କ୍ୟାମ୍ପସରେ ଦୁର୍ବଳ ଥିବାରୁ, ସରକାର ନିଜ ଇଜ୍ଜତ ରକ୍ଷା କରିବାକୁ ଯାଇ ନିର୍ବାଚନ ବାତିଲ କରିଛନ୍ତି । ଏହାକୁ ଛାତ୍ର କଂଗ୍ରେସ ନିନ୍ଦା କରିବା ସହ ବାଣୀ ବିହାରରେ ନିର୍ବାଚନ କରିବା ପାଇଁ ଦାବି କରୁଛି “। ସେପଟେ ବିଶ୍ଵ ବିଦ୍ୟାଳୟ କର୍ତ୍ତୁପକ୍ଷ ମନ ଇଚ୍ଛା ନିଷ୍ପତ୍ତି ନେଉଛି ବୋଲି ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି ।

ରିପୋର୍ଟ : ଆକାଶ ମିଶ୍ର