ସରଭାଇଭାଲ ଅଫ୍ ଦି ଫିଟେଷ୍ଟ

ଥରେ ଅଜା ବଡ ମନଦୁଃଖ କରୁଥିଲେ, କହିଲେ ମୁଁ ତ ସମସ୍ତଙ୍କୁ ଵହୁତ ଭଲପାଏ,ସମସ୍ତଙ୍କୁ ସ୍ନେହ କରେ, ସମସ୍ତଙ୍କୁ ନିଜର କରେ,ମିଶେ,ମୋ ପ୍ରତି ଏତେ ଅନ୍ୟାୟ କାହିଁକି ? ମୁଁ କହିଲି କ’ଣ ହେଲା ଅଜା,ଏତେ ମନବ୍ୟସ୍ତ କ’ଣ ପାଇଁ,ଅଜା କହିଲେ,କ’ଣ କହିଵିରେ ନାତିଆ,ଏ ପୃଥିବୀରେ ସମସ୍ତେ ତୋ ଆଈକୁ ସିନା ଚିହ୍ନିଲେ,ମତେ କେହି ମନ ପକାଇଲେ ନାହିଁ,ଦେଖୁନୁ,ଆଈ ନାଁରେ ସବୁ ।ଆଇପଡ,ଆଇପ୍ୟାଡ,ଆଇଫୋନ,ଆଇମାକ୍ସ,ଆଇସ୍, ଆଇସକ୍ରିମ,ଆଇଡଲ୍,ଆଇ ଟେନ୍,ଆଇ ଟୋଣ୍ଟି,ଆଇ ଟେନ୍ ଗ୍ରାଣ୍ଡ୍, ଆଇରନ, ଆଇଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଇତ୍ୟାଦି,ମୁଁ କ’ଣ ପାପ କରିଥିଲି ।ଏସବୁ କାହିଁକି ମନେ ପଡିଲାକି,ଆଶ୍ଚର୍ଯ୍ୟ ଲାଗୁଛି,ଆଜିକାଲି ଲୋକଙ୍କର ମନୋଭାବ ଦେଖି ।ଏଇ ଜୁଲାଇ ୨୨ତାରିଖରେ ଗୋଟିଏ ଆଚମ୍ବିତ କଲାଭଳି ଘଟଣାଟିଏ ପ୍ରକାଶ ପାଇଲା,ଯଦିଓ ଘଟଣାଟି ଏକ ମାସ ପୂର୍ବର । ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଘଟଣା,ଜୟଦେବ ଓ ସତୀ ଘୋଷ ଦମ୍ପତ୍ତିଙ୍କର ୮ମାସର ପୁଅ କେତେ ଦିନ ହେଲା ଦେଖା ନଥିଲା,ତଥାପି ଦମ୍ପତ୍ତିଙ୍କ ମନରେ କୌଣସି ଦୁଃଖ ଓ ଶୋଚନାର ଚିହ୍ନ ନଥିଲା।ପଡୋଶୀ,ଲକ୍ଷ୍ମୀ କୁଣ୍ଡୁ ଦେଖିଲେ ଜୟଦେବ ଓ ସତୀ ଗୋଟିଏ ଆପଲ,ଆଇଫୋନ୍ ୧୪ ବ୍ୟବହାର କରୁଛନ୍ତି,ଯାହାର ଦାମ୍ ୭୦,୦୦୦/- ଏତେ କମ୍ ରୋଜଗାର କରୁଥିବା ଦମ୍ପତ୍ତି ଆଇଫୋନ୍ ବ୍ୟବହାର କରିବା ତାଙ୍କ ମନରେ ସନ୍ଦେହ ଆଣିଲା।ସେ ସ୍ଥାନୀୟ କାଉନସିଲର ତାରକ ଗୁହାଙ୍କୁ କହିବାରେ ସେ ପୋଲିସରେ ଅଭିଯୋଗ କଲେ ।ସତୀଙ୍କୁ ସନ୍ଦେହରେ ଆଣି ପଚରାଉଚରା କରିବାପରେ ଜଣାପଡ଼ିଲା ଯେ ସେମାନେ ଶିଶୁପୁତ୍ରକୁ ୨ଲକ୍ଷରେ ବିକ୍ରୀକରି ଆଇଫୋନ୍ ଆଣିଛନ୍ତି,ଲକ୍ଷ୍ୟ ବୁଲାବୁଲି କଲାବେଳେ ସେଥିରେ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ ।ଜୟଦେବ ଫେରାର ଅଛି,ପୋଲିସ ଶିଶୁପୁତ୍ରକୁ ମଧ୍ୟ ଖରଦାହର ପ୍ରିୟଙ୍କା ଘୋଷଙ୍କଠାରୁ ଉଦ୍ଧାର କରିଛି।ପ୍ରକାଶ ଥାଉ ଘୋଷ ଦମ୍ପତ୍ତିଙ୍କର ବୁଲିବାରେ ବଡ଼ ସଉକ୍,ସେଇ ପଇସାରେ ନିକଟରେ ଦୀଘା ଓ ମଣ୍ଡୋରମଣି ଯାଇଥିଲେ ।ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ ଘୋଷଦମ୍ପତ୍ତି ୭ବର୍ଷର କନ୍ୟାକୁ ବିକିବାକୁ ଚେଷ୍ଟାକରିଥିଲେ ହେଲେ ସଫଳତା ମିଳିନଥିଲା।ବିସ୍ମୟଲାଗେ,କିଛି ଦମ୍ପତ୍ତିଙ୍କର ସନ୍ତାନ ନହେବାରୁ ସିଏ ସାରାଜୀବନ ଦୁଃଖ ପାଉଛନ୍ତି,ଆତ୍ମହତ୍ୟା ମଧ୍ୟ କରିଦେଉଛନ୍ତି, କିଛି ଦମ୍ପତ୍ତି ପିଲାଙ୍କପାଇଁ ଜୀବନସାରା ଦୁଃଖ କଷ୍ଟକରି ନିଜେ ଉପାସରହି ପିଲାଙ୍କୁ ମଣିଷ କରୁଛନ୍ତି ବା କରିବାକୁ ବଦ୍ଧପରିକର।କିଛି ପିଲାଙ୍କ ପାଇଁ ଜୀବନ ଉତ୍ସର୍ଗ କରିବାକୁ ପଛାଉ ନାହାନ୍ତି,ନହେଲେ ଏଇ ଘୋଷ ପରିବାର,ରିଲ୍ସକରିବା ସକାଶେ ୮ମାସର ଅବୋଧ/ନିଷ୍ପାପ ପିଲାକୁ ବିକି ଦେଉଛନ୍ତି,ଅନୁଶୋଚନା ମଧ୍ୟ ନାହିଁ !ଧନ୍ୟ କହିବ ଏମାନଙ୍କୁ,ସତରେ ଘୋର କଳିକାଳ !କି ରିଲ୍ସ,କି ସେଲଫି ଯୁଗ ହେଲାରେ ବାବା ।ସ୍ମାର୍ଟ୍ ଫୋନ୍,ଘଣ୍ଟା,କ୍ୟାମେରା, ରେଡ଼ିଓ,କାଲକୁଲେଟର,ଆଇପଡ,ମ୍ୟୁଜିକ୍ ସିଷ୍ଟମ୍ ଏସବୁତ ଖାଇଥିଲା,ଏବେ ମଣିଷକୁ ବା ତା’ର ବୁଦ୍ଧିକୁ ମଧ୍ୟ ଖାଇବାକୁ ବସିଲାଣି ।ଚାଇଲ୍ଡ ଟ୍ରାଫିକିଙ୍ଗ୍ ବା ପିଲାବିକ୍ରୀ କେସରେ ବିକ୍ରେତା ଘୋଷ ଦମ୍ପତ୍ତି ଓ କ୍ରେତା ପ୍ରିୟଙ୍କା ଘୋଷ ଗିରଫ ହୋଇଛନ୍ତି,ମାମଲା ଫଏସଲା ହେବା ପର୍ଯ୍ୟନ୍ତ ତ ଜେଲର ଚାରିକାନ୍ଥ ଭିତରେ ରହିବେ,ସେଠି ଜେଲ ଭିତର,ଅନ୍ତେବାସୀ, ଜେଲ ଭିତରେ ହେଉଥିବା ଫସଲ,ଶିଳ୍ପ,ଜେଲର କାନ୍ଥ/ପାଚେରୀ ଏସବୁର ରିଲ୍ସ କରିବେ ! ଗତ ଜୁଲାଇ ୬ତାରିଖ ଘଟଣା,ଗଞ୍ଜାମ ଜିଲ୍ଲା ଆସ୍କାର ଜିତେନ୍ଦ୍ର କୁମାର ପାଢ଼ୀ ୨ ବର୍ଷହେଲା ବିଏସଏଫରେ ଚାକିରୀ କରୁଛନ୍ତି,ଚାକିରୀ ସିନା ସବୁଠୁ ସମୟାନୁଵର୍ତ୍ତୀ ଓ କଡାକଡି ମାତ୍ର ତାଙ୍କ କାମ ଗୁଡିକ ଓଲଟା,ଚାକିରୀର ତାଲିମରୁ ଶିଖିଲେ କ’ଣ ? ଆସ୍କାରୁ ସୋରଡ଼ା ଗଲାବେଳେ,ବିନା ହେଲମେଟରେ ମୁଖ୍ୟ ରାସ୍ତାରେ ଗୋଟିଏ ହାତରେ ବାଇକ୍-ଧରି ପଛକୁ ଅନାଇ ଅନାଇ ରିଲ୍ସ କରି ଯାଉଥିଲେ,ଲକ୍ଷ୍ୟ ରିଲ୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ ଲାଇକ୍ ମିଳିବ ।କିନ୍ତୁ ଏହା କ’ଣ ଗୋଟିଏ ଜବାନର ଲକ୍ଷଣ,ଏଥିରୁ ଅନ୍ୟମାନେ ଶିଖିବେ କ’ଣ ?ରିଲ୍ସ ତ ହେଲାନି,ବାଇକ୍ ଯାଇ ପିଟିହେଲା ସାଇ କ୍ରୀଷ୍ଣା ନାମକ ଘରୋଇ ବସରେ ଏବଂ ଜିତେନ୍ଦ୍ର ଅକାଳରେ ପ୍ରାଣ ହରାଇଲେ ।ଗାଁ ଲୋକ,ସାହି ଲୋକ ଝୁରି ହେଉଛନ୍ତି,ଭଲ ପିଲାଟିଏ,ସମସ୍ତଙ୍କ ସୁଖ ଦୁଃଖରେ ଥାଏ,ଗାଁର ସବୁପ୍ରକାର ଉନ୍ନତିରେ ଧ୍ୟାନ ଦିଏ,ଅସହାୟଙ୍କୁ ସାହାଯ୍ୟ କରେ ।ମାତ୍ର ଏହା କ’ଣ ଭଲପିଲାର ଲକ୍ଷଣ ! ସାମାନ୍ୟ ରିଲ୍ସ ପାଇଁ ଅମୂଲ୍ୟ ଜୀବନ ଚାଲିଗଲା।ମତେ ଲାଗୁଚି ଏ ରିଲ୍ସ/ସେଲଫି ନିଶା ବୋଧେ ସବୁଠାରୁ ବଡ଼ ନିଶା ଆଜିକା ଯୁଗରେ ! ଡାରଉଇନଙ୍କ ଥିଓରୀ କହେ ସରଭାଇଭାଲ ଅଫ୍-ଦି ଫିଟେଷ୍ଟ ବା ଅଯୋଗ୍ୟଙ୍କର ସ୍ଥାନ ନାହିଁ ଏଇ ପ୍ରତିଯୋଗିତାମୂଳକ ପୃଥିବୀରେ ! ଗତ ସପ୍ତାହରେ ପ୍ରଵଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ଭାରତୀୟ ପାଣିପାଗବିଭାଗ କର୍ଣ୍ଣାଟକର କୋଡାଗୁ,ଉଡୁପୀ ଓ ଧରୱାଡ ଜିଲ୍ଲାଗୁଡିକରେ ଅରେଞ୍ଜ ଆଲର୍ଟ ଜାରି କରିଥିଲେ, ଆବଶ୍ୟକୀୟ ସତର୍କତା ସ୍ବରୂପ ଜନସାଧାରଣଙ୍କୁ ବାହାରକୁ ନଵାହାରିବା ପାଇଁ ସତର୍କ କରାଇଦେଇଥିଲେ ।ହେଲେ ମଧ୍ୟ ବହୁତ ଦୁଃସାହସିକ ବ୍ୟକ୍ତି ଅଛନ୍ତି ନାଁ ଦୁନିଆରେ, କର୍ଣ୍ଣାଟକର ଶିବମୋଗା ଜିଲ୍ଲା,ଭଦ୍ରାଵତୀ ଗ୍ରାମର ଶରଥ କୁମାର(୨୩) ଜଣେ ଏହିଭଳି ଦୁଃସାହସିକ ବ୍ୟକ୍ତି,ଗତ ରବିବାର ଜୁଲାଇ ୨୩ ସନ୍ଧ୍ୟା ସମୟରେ ସେ ଏବଂ ତାଙ୍କର ବନ୍ଧୁ ଉଡୁପୀ ଜିଲ୍ଲା କୋଲୁର ଗ୍ରାମ ସନ୍ନିକଟ ଆରାସିନାଗୁଣ୍ଡି ଜଳପ୍ରପାତ ଦେଖିଵାକୁ ଯାଇଥିଲେ ଏହି ସତର୍କ ସୂଚନା ସତ୍ତ୍ୱେ ।ଶରଥ କୁମାର ପାଣି ମଧ୍ୟରେ ଏକ ଛୋଟ ପାହାଡ ଉପରେ ଠିଆହୋଇ ଜଳପ୍ରପାତର ଭୀମକାନ୍ତ ସୋନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ଏବଂ ତାଙ୍କ ବନ୍ଧୁ ନିରାପଦ ଦୂରରେ ଥାଇ ଇନଷ୍ଟାଗ୍ରାମ ପାଇଁ ରିଲ୍ସ କରୁଥିଲେ ।ହଠାତ୍ ଶିଉଳିରେ ଶରଥ କୁମାରଙ୍କ ପାଦ ଖସିଗଲା,ସିଏ ଜଳର ଅନ୍ତଃସ୍ରୋତ(under current)ରେ ପଡିଗଲେ ଓ କୁଆଡେ ଭାସିଗଲେ ।ତାଙ୍କ ବନ୍ଧୁ ପାଟିକଲାଵେଳକୁ କାମ ଶେଷ ।ପୋଲିସ,ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅନୁସନ୍ଧାନ ସତ୍ତ୍ୱେ ମଙ୍ଗଳବାର ପର୍ଯ୍ୟନ୍ତ ଶବ ମିଳିନଥିଲା ।ଏହା ଦୁଃସାହସିକତା ନାଁ ଅନ୍ୟ କିଛି।ଇଏ ଆଉ ଜଣେ ଅଯୋଗ୍ୟ । ମୁକେଶ ସୋନାର ଓ ଜ୍ୟୋତି(୨୭)ସୋନାରଙ୍କର ୨ଟି ପୁଅ ଓ ଗୋଟିଏ ଝିଅର ଛୋଟିଆ ସଂସାରଟିଏ,ପ୍ରତି ପନ୍ଦର ଦିନରେ ବାହାରକୁ ବୁଲିବାକୁ/ପିକନିକରେ ଯାଆନ୍ତି । ଗତ ୯ ଜୁନ ୨୦୨୩ରେ ଜୁହୁ ଚୌପାଟିକୁ ପିକନିକରେ ଯିବାକୁ ସ୍ଥିର କଲେ,ମାତ୍ର ଗଲେ ବାନ୍ଦ୍ରା,ମୃତ୍ୟୁ ତାଙ୍କୁ ବାଟ କଢାଇ ନେଲା ।ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ କୂଳ ସନ୍ନିକଟ ସମୁଦ୍ର ମଧ୍ୟରେ ଏକ ଛୋଟ ପାହାଡ଼ ଉପରେ ସ୍ବାମୀ-ସ୍ତ୍ରୀ ବସିଥିଲେ,ପିଲା ତିନିଜଣ କୂଳରେ ଥାଇ ରିଲ୍ସ କରୁଥିଲେ, ତିନିଥର ଟିକେ ବଡ଼ ଢେଉ ଆସି ସତର୍କ କରାଇଥିଲା,ବିଧାତାଙ୍କୁ ଦୋଷ ଦେଇ ହେବନି ।୪ର୍ଥ ଥରରେ ଧର୍ମଛାଡ ହୋଇଗଲା,ସେମାନଙ୍କ ପଛଆଡୁ ଏକ ବିରାଟଢେଉ ଆସି ଜ୍ୟୋତି ସୋନାରଙ୍କୁ ହଠାତ୍ ଭସାଇନେଲା,ମୁକେଶ ତ କୌଣସିମତେ ରକ୍ଷା ପାଇ ଗଲେ,ମାତ୍ର ଆଖି ସାମ୍ନାରେ ଢେଉ ଜ୍ୟୋତିଙ୍କୁ ନେଇ ଚାଲିଗଲା।କୂଳରେ ଶହ ଶହ ଲୋକ ଦେଖୁଥିଲେ ସମସ୍ତେ ପାଟି କରି ଉଠିଲେ,ସମଗ୍ର ଜନତା ସ୍ତମ୍ଭିଭୂତ । ପିଲାମାନେ ମମ୍ମି-ମମ୍ମି ପାଟିକରି କାନ୍ଦୁଥାନ୍ତି,ପୂର୍ବରୁ ତିନିଥର,ବଡ଼ ଢେଉ ଆସିବାବେଳେ ପିଲାମାନେ ଡାକିଛନ୍ତି ବାରମ୍ବାର,ମମ୍ମି,ପାପା ଚାଲିଆସ,ବିଧିର ବିଧାନ ।ଉପସ୍ଥିତ ପୋଲିସ ଜ୍ୟୋତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଵେ ମୁକେଶ ନିଜକୁ ଜ୍ୟୋତିଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି,କିନ୍ତୁ ଜ୍ୟୋତି ତ ଆଉ ଫେରି ଆସି ପାରିବେ ନାହିଁ ! ଆପଣମାନେ ଟିଭିରେ ଅନେକ ଥର ଦେଖିଥିବେ,ଆଜିକାଲି ଯୁବପିଢି ଏଇ ରିଲ୍ସ ବା ସେଲଫିରେ ଏତେ ତନ୍ମୟ ଓ ବ୍ୟସ୍ତ ଯେ ତାଙ୍କ ଆଗରେ ଆଉ କିଛି ଦେଖା ଯାଉନାହିଁ।ଆଗରେ କ’ଣ ଅଛି,ଖାଲି,ଢିପ,ଖାଇ,ବିପଦ କିଛି ପରବାୟ ନାହିଁ ।କିଏ ବିଷାକ୍ତ ସାପ ମୁହଁରେ ସେଲଫି/ରିଲ୍ସ କରୁଛି ତ କିଏ ବଣୁଆ ଦନ୍ତାହାତୀ ନିକଟରେ । କିଏ ଚଳନ୍ତି ଟ୍ରେନର ଠିକ୍ ଆଗରେ ଲାଇନ ଏପଟ ସେପଟ ପାରି ହେଉଛି ତ କିଏ ବିଦ୍ୟୁତ ଟ୍ରେନ ଉପରେ(ଯୋଉଠି ୪୪୦ ଭୋଲ୍ଟର ବିଦ୍ୟୁତ ପରିବାହୀତ ହେଉଛି)ଚଢି ରିଲ୍ସ/ସେଲଫି କରୁଛି,ପୈତୃକ ପ୍ରାଣଟା ଯେ କେତେବେଳେ ବିନା ନୋଟିସରେ ଚାଲିଯିବ ସେତିକି ଧ୍ୟାନ ନାହିଁ,ତାଙ୍କର ସିନା ଅମୂଲ୍ୟ ପ୍ରାଣଟା ଚାଲିଯିବ,ବାପା ମା’ ଜୀବନ ସାରା କାନ୍ଦିବେ,ଲୁହ ନକାନ୍ଦି ଲହୁ କାନ୍ଦିବେ ଏ ଚିନ୍ତା ସେମାନେ କାହିଁ କରିବେ ! ଅନେକ ସମୟରେ ରାତିବେଳା ନିର୍ଜନ ରାସ୍ତାରେ,ଏବେ ଦିନବେଳା ବ୍ୟସ୍ତବହୁଳ ରାସ୍ତାରେ ମଧ୍ୟ କାଂ ଭାଂ ହେଉଛି ଦେଖିଥିବେ ଭୟାନକ ଷ୍ଟଣ୍ଟ ମାଧ୍ୟମରେ ଲୋକଙ୍କୁ ଡରାଇଵା ବା ଖୋଲାରେ ଡରାଇବାଭଳି ଷ୍ଟଣ୍ଟ କରିବା ଅନେକ ଯୁବପିଢି(ଗ୍ୟାଙ୍ଗ ଭାବେ ପରିଚିତ)ଙ୍କର ଅଭ୍ୟାସରେ ପଡିଗଲାଣି ।ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି ଦେଖିଥିବେ,ଏକ ପାଣି(ନଦୀ/ହ୍ରଦ)ଧାରରେ ଜଣେ ଯୁବତୀ ଠିଆ ହୋଇଛନ୍ତି,ଟିକେ ଦୂରରେ ଠିଆହୋଇ ତାଙ୍କବାନ୍ଧବୀ ତାଙ୍କର ଫଟୋ ଉଠାଉଛନ୍ତି ହଠାତ୍ ପାଣିରୁ ଏକ କୁମ୍ଭୀର ଆସିଲା ଓ ଫଟୋରେ ଥିବା ଯୁବତୀଙ୍କୁ ନେଇ ଚାଲିଗଲା ସଵୁଦିନପାଇଁ ଫଟୋ ଉଠା ସରିଗଲା ।ବାନ୍ଧବୀ ହାଁ ହାଁ କଲାବେଳକୁ ଶୂନ୍ୟମ୍ ଶୂନ୍ୟମ୍ମ ହାଶୂନ୍ୟମ୍ !ଲାଗୁଛି ଏ ନିଶା ଯୁବପିଢିକୁ ଆଉ ଛାଡିବିନି,ଏହାପାଇଁ ତ ଆଉ ଔଷଧ ବାହାରିପାରିବନି କାଉନସେଲିଂ,ଯାହା କାମ ଦେଇପାରେ !ଭଗବାନଙ୍କ ଏ ଅନନ୍ୟ ସୃଷ୍ଟି ଅତୀବ ସୁନ୍ଦର,ରଙ୍ଗୀନ ତଥା ମନୋମୁଗ୍ଧକର,ଯୁଵପିଢିଙ୍କୁ ଅନୁରୋଧ ଏଇ ରି୍ଲ୍ସ/ସେଲଫି ମୋହରେ ନପଡନ୍ତୁ,ବିଭୁଦତ୍ତ ଏଇ ସର୍ବଶ୍ରେଷ୍ଠ ଅମୂଲ୍ୟ ମନୁଷ୍ୟ ଜୀବନକୁ ସଠିକ୍ ଉପଯୋଗ ଓ ଭରପୁର ଉପଭୋଗ କରନ୍ତୁ ।

ଲେଖକ : ଜୟନ୍ତ ପଟ୍ଟନାୟକ