ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରରେ ଥିବା ଛାମୁଆ ସଂଗଠନ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣି ରାଉତରାୟଙ୍କ ପୁତ୍ର ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତ ରାୟଙ୍କ ମୃତ୍ୟୁରେ ଆଜି ଶୁକ୍ରବାର ଅପରାହ୍ନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । କୋଭିଦ୍ ନିୟମ ଅନୁଯାୟୀ ଅନୁଷ୍ଠିତ ସଭାରେ ସଂଗଠନର କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ ସଭାପତିତ୍ୱ କରିଥିଲେ । ପ୍ରଥମେ ୧ ମିନିଟ୍ ନିରବ ପ୍ରାର୍ଥନା ପରେ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ତଥା ହାଇକୋର୍ଟର ବରିଷ୍ଟ ଏଡ୍‌ଭୋକେଟ୍ ରାମଚନ୍ଦ୍ର ଜେନା ସୂଚନା ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଜଳେଶ୍ୱରକୁ ସବ୍‌ଡିଭିଜନ ଘୋଷଣା ଲାଗି ସ୍ୱର୍ଗତ ରାଉତରାୟଙ୍କ ଆପ୍ରାଣ ଚେଷ୍ଟା ସମ୍ପର୍କରେ ଆଲୋକପାତ କରିଥିଲେ । ଜଣେ ହୃଦୟବାନ ତଥା ଭଦ୍ର ମଣିଷ ଭାବରେ ସମଗ୍ର ଓଡିଶାରେ କ୍ଷ୍ୟାତି ଅର୍ଜନ କରିଥିବା ଏବଂ ଜଳେଶ୍ୱରର ଉନ୍ନତିରେ ତାଙ୍କର ହାତ ଥିବା ସଂପର୍କରେ ସୂଚନା ଦେଇଥିଲେ । ଡ. ଅଜିତ୍ କୁମାର ମହାନ୍ତି ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ରାଉତରାୟଙ୍କୁ ଜଣେ ଦରଦୀ ତଥା ଗର୍ବ ଅହଙ୍କାର ଶୂନ୍ୟ ଟାଣୁଆ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଗୁଣାବଳୀ ସମ୍ପର୍କରେ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ପ୍ରଶାସକ ଶରତ ପରିଡା, ଏଡ୍‌ଭୋକେଟ୍ ସତ୍ୟନାରାୟଣ ଦାସ, ରିଆଜ ଖାଁ, ମଧୁଛନ୍ଦା ମହାନ୍ତି, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ଓ ରବିନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।