ବାପା, ମାଆ ଛେଉଣ୍ଡ ତିନି ଶିଶୁଙ୍କୁ ସହାୟତା ପ୍ରଦାନ କଲା ଅରୁଣା ଅନୁଷ୍ଠାନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକର ପାଟପୁର ଗ୍ରାମର ୩ ଜଣ ଶିଶୁ ବାପା, ମାଆଙ୍କୁ ହରାଇ ଏବେ ବେସାହାରା ପାଲଟି ଯାଇଛନ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଗୁରୁବାର ଦିନ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ୩ ଶିଶୁଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପାଟପୁର ଗ୍ରାମର ଜି.ଉପେନ୍ଦ୍ର ରେଡ୍ଡୀଙ୍କ ପତ୍ନୀ ଜି.ସବିତା ରେଡ୍ଡୀଙ୍କ ତିନି ଶିଶୁ ହେଉଛନ୍ତି ବଡ଼ ଝିଅ ଜି.ସୋନାଲି ରେଡ୍ଡୀ (୧୪), ପୁଅ ଜଗାବଳିଆ ରେଡ୍ଡୀ (୭) ଏବଂ ସାନ ଝିଅ ଜି.ଭାବିନୀ ରେଡ୍ଡୀ(୬) ବୋଲି ଜଣାପଡିଛି । ଗତ କିଛି ବର୍ଷ ପୂର୍ବେ ସେମାନଙ୍କ ପରିବାର ସୁଖ ଦୁଃଖ ମଧ୍ୟରେ ଚଳି ଆସୁଥିଲେ । କିନ୍ତୁ ୫ ବର୍ଷ ପୂର୍ବେ ଉପେନ୍ଦ୍ରଙ୍କ ମୃତ୍ୟୁ ପରେ ୩ ଶିଶୁଙ୍କ ଭାର ସମ୍ଭାଳି ଆସୁଥିଲେ ମାଆ ସବିତା । ମାଆଙ୍କ ସ୍ନେହରେ ଏହି ଶିଶୁ ବାପାଙ୍କ ମୃତ୍ୟୁକୁ ମଧ୍ୟ ଭୂଲି ଯାଇଥିଲେ । କିନ୍ତୁ ଦଇବ ବିଧାତା ଗତ କିଛିଦିନ ତଳେ ମାଆ ସବିତାଙ୍କୁ ମଧ୍ୟ ତିନି ଶିଶୁଙ୍କୁ ବେସାହାରା କରି ଛଡ଼ାଇ ନେଇଥିବା ଜଣାପଡିଛି । ତେବେ ଏଭଳି ପରିସ୍ଥିତିରେ ସେମାନଙ୍କ ରହିବା, ଖାଇବା ଏବଂ ଭବିଷ୍ୟତ କିପରି ଗଢି ହୋଇପାରିବ ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଗତକାଲି ବ୍ଲକ ପ୍ରଶାସନିକ ଅଧିକାରୀ ତିନି ଶିଶୁଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାନ୍ତ୍ଵନା ଦେବାସହ ଅନ୍ତୋଦୟ ଯୋଜନାରେ ସାମିଲ କରିବା ସହ ମାସିକ ୩୫ କେଜି ଚାଉଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସେହିପରି ସ୍ଥାନୀୟ ସରପଞ୍ଚ ଟି.ବାବୁ ସୁବୁଦ୍ଧି, ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ବୁଧବାର ଦିନ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର କିପରି ଏହି ମହାମାରୀ ସମୟରେ ଏଭଳି ଶିଶୁଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ଯେପରି ବଞ୍ଚିତ ନ ହେବେ ସେ ଦିଗରେ ଦୃଷ୍ଟି ଦେବା ପାଇଁ ନିଷ୍ପତି ନେଇଥିଲେ । ମିଳିଥିବା ସୂଚନା ମୁତାବକ ଅରୁଣାର ସମ୍ପାଦିକା ସୌଦାମିନୀ ରଥଙ୍କ ନେତୃତ୍ୱରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ସିଡିପିଓ ଅର୍ଚ୍ଚନା କହ୍ନର ଓ ସୁସ୍ମିତା ଭୋଇ ଉକ୍ତ ପରିବାରକୁ ଭେଟିବା ସହିତ ଦୁଃଖ ପ୍ରକାଶ କରିବା ସହ ସହାନୁଭୂତି ପ୍ରଦାନ କରିଥିଲେ । ଆଜି ଅନୁଷ୍ଠାନ ପକ୍ଷରୁ ପରିବାରକୁ ଏକ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ କୀଟ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୫ ମାସ ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ ବୋଲି ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଡ଼ିଓ ଶ୍ରୀ ନାୟକ ରେଡକ୍ରସ ପାଣ୍ଠିରୁ ଯଥାଶୀଘ୍ର ଏହି ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ କହିବା ସହିତ ସିଡିପିଓ ଶ୍ରୀମତୀ କହଁର ପିଲାଙ୍କୁ କିଭଳି ଉତ୍ତମ ତଥା ପୃଷ୍ଟିକର ସ୍ୱାସ୍ଥ୍ୟ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ।