ସମଗ୍ର ରାଜ୍ୟର ଲୁକ୍କାୟିତ ପ୍ରତିଭାଙ୍କୁ ନିଜ ମାଟିରେ ମହକାଇବ ‘ମାଟିର ମହକ’

ଭଦ୍ରକ(ସମୃଦ୍ଧ ଓଡିଶା)ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ବଣମଲ୍ଲୀ ଭଳି ସୁବାସ ବିତରଣ କରି ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ନେଇ ଭଦ୍ରକର ପ୍ରତିଷ୍ଠିତ ‘ମାଟିର ମହକ’ ଅନୁଷ୍ଠାନର ଅଭିନବ ପ୍ରୟାସ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ବେଶ୍ ଆଦୃତ ହୋଇଛି । ଏହି ଅବସରରେ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ଆଦର୍ଶ ଶିକ୍ଷକ, ସମାଜସେବୀ, ସାରସ୍ୱତ ସାଧକ, ଶିଳ୍ପପତି, ସୁଗୃହିଣୀ, ଡାକ୍ତର, ବୈଜ୍ଞାନିକ, ସାମ୍ବାଦିକ, ନାଟ୍ୟକାର, ଅଧିବକ୍ତା, ବ୍ୟବସାୟୀ ଓ ମେଧାବୀ ଛାତ୍ରଛାତ୍ରୀ, ସଂଗୀତଜ୍ଞ ତଥା କଳାକାରମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ଏହା ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ସହିତ ତାଙ୍କୁ ନିଜ ମାଟିରେ ‘ମାଟିର ମହକ’ ସମ୍ମାନରେ ସମ୍ମାନିତ କରାଯାଉଛି । ଏହା ଟିଭି ପରଦାରେ ପ୍ରଦର୍ଶନ ପୂର୍ବକ ଏକ ଆତ୍ମଜୀବନୀ ପୁସ୍ତକ ପ୍ରକାଶନର ଯୋଜନା ମଧ୍ୟ ରହିଛି । ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ପ୍ରାଣ ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ସୁବୋଧ କୁମାର ଜେନା ପରିଚାଳନା କରୁଥିବାବେଳେ ରଶ୍ମିତା ଦାଶ ଓ କାଦମ୍ବରୀ କରଶର୍ମା ଉପସ୍ଥାପନା କରୁଛନ୍ତି । ଇତିମଧ୍ୟରେ ଏହି ପ୍ରତିଷ୍ଠାନ ଦ୍ୱାରା ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଗଣେଶ ପ୍ରସାଦ କରଶର୍ମା, ଭାସ୍କର ଚନ୍ଦ୍ର ପାଢୀ, ଇଂ ଅଭୟ ସୂତାର, ଇଂ ଅରୁଣ ପାତ୍ର, ଡ. ସୁଧାଂଶୁ ଶେଖର ନାୟକ, ବାଇଧର ଜେନା, ଜୟନ୍ତୀ କରଶର୍ମା, ଜ୍ୟୋର୍ତିମୟୀ ରାୟ, ଗୀତାରାଣୀ ଆଇଚ, କରୁଣାକର ବେହୁରିଆ, ଶରତ ଚନ୍ଦ୍ର ଜେନା, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ରାମଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ସନାତନ ସାହୁ, ବସନ୍ତ ମିଶ୍ର, ରମାକାନ୍ତ ଜେନା, ଅଜୟ କୁମାର ପୃଷ୍ଟି, ଗୀତାମଂଜରୀ ବେହେରା, କୀର୍ତ୍ତନ ବିହାରୀ ଜେନା, ଭାଗବତ ସାହୁ, ଦାମୋଦର ସାହୁ ପ୍ରମୁଖଙ୍କୁ ଉପରୋକ୍ତ ସମ୍ମାନରେ ସମ୍ମାନିତ କରାଯାଇ ସେମାନଙ୍କ ଜୀବନୀକୁ ନେଇ ବୃତ୍ତଚିତ୍ରର ସୁଟିଂ ସଂପୂର୍ଣ୍ଣ ହୋଇଛି । ଏହାପରେ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ପ୍ରତିଭାଧାରୀଙ୍କ ସଂପର୍କରେ ଏହି କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହେବ ବୋଲି ପଣ୍ଡିତ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।