ଚିକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଓ ସ୍ୱାଧୀନତା ଦିବସ ପାଳନ…

ଚକିଟି (ସମୃଦ୍ଧ ଓଡିଶା) ସାରା ଭାରତବର୍ଷରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚକିଟି କଲେଜର ୩୯ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ.ବିଚିତ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ପରିଷଦର ଉପଦେଷ୍ଟା ଡ. ଦଶରଥ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ନୀଳମାଧବ ପାଢ଼ୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ପରିଷଦର ପ୍ରାକ୍ତନ ସମ୍ପାଦକ ରାଧାଶ୍ୟାମ ପଟ୍ଟନାୟକ ଉପସ୍ଥିତ ରହି କଲେଜର ସୁନାମକୁ ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ ହେବାପାଇଁ ଉପଦେଶ ଦେଇଥିଲେ । ଏନେଇ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ କଲେଜ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ସେବା ଶିବିର ଓ ଯୁବ ରେଡକ୍ରସ୍ ସୋସାଇଟି ତରଫରୁ ସ୍ୱାଧୀନତା ଦିବସ ଅବସରରେ ସଙ୍ଗୀତ ଓ ବୃତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନେ ମଞ୍ଚାସୀନ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏଥିସହ କଲେଜ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ. ପଟ୍ଟନାୟକ ପୂର୍ବାହ୍ନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ସଭାରେ ଡ. ରାମଶଙ୍କର ପଟ୍ଟନାୟକ ଛାତ୍ରୀ ଅଭିପ୍ସା ମାଝି, ଅଲିଭା କୁମାରୀ ସାହୁ, କିରନ୍ କୁମାରୀ ପଟ୍ଟନାୟକ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଆଶୁତୋଷ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ପରିଷଦର ଅନ୍ୟତମ ସହ-ଉପଦେଷ୍ଟା ଡ. ସଞ୍ଜୟ କୁମାର ପଣ୍ଡା ତଥା କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କାର୍ୟ୍ୟରତ କର୍ମଚାରୀ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।