ଏବେ ବି ବଂଚିଛି ସଂସ୍କୃତି:ଘର ପିଣ୍ଡାରେ ଗୀତା, ଭାଗବତ ପାଠ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଧୁନିକ ସମାଜରେ ପାଶ୍ଚାତ୍ୟ ଅଭିମୁଖୀ ମଣିଷ ସଂସ୍କୃତି ପରମ୍ପରାକୁ ଭୁଲି ମିଛ ମରୀଚିକା ପଛରେ ଧାଉଁଛି । ସୁଖ ବୋଲି ଭାବି ନିତ୍ୟ ଦୁଃଖକୁ ନିଜ ସାଙ୍ଗରେ ଯାବୁଡ଼ି ଧରୁଛି । ଭାରତୀୟ ସଂସ୍କୃତି, ପରମ୍ପରା, ଧର୍ମ, ପ୍ରାଚୀନ ଶିକ୍ଷା ନୀତିକୁ ଭୁଲିଯାଇ ଚିରାଚରିତ ଶିକ୍ଷାରେ ମଣିଷ ପଡ଼ିଯାଇଛି । ଅନୁକରଣ ନିୟମ ଅନୁଯାଇ ବିଦେଶୀ ଚାଲିଚଳନ, ଆଚାର ବ୍ୟବହାର ଖାଦ୍ୟ ପେୟକୁ ନିଜ ଜୀବନରେ ଶତ ପ୍ରତିଶତ ବ୍ୟବହାର କରୁଛି । ଆଧୁନିକ ନାମରେ ସମାଜ ନଷ୍ଟ ଆଡ଼କୁ ଯାଉଥିଲେ ସୁଦ୍ଧା ଗୁଢ଼ ରହସ୍ୟକୁ କେହି ବୁଝିପାରୁ ନାହାଁନ୍ତି । କମ୍ପ୍ୟୁଟର, ସୋସିଆଲ ମିଡ଼ିଆର ବହୁଳ ପ୍ରସାର ଯୁବ ପିଢ଼ିକୁ ବାଟବଣା କରିଥିବା ବେଳେ ନିଜ ସଂସ୍କୃତି, ପରମ୍ପରା ଓ ଧର୍ମଗତ ଶିକ୍ଷା ଠାରୁ ସେମାନଙ୍କୁ ଦୁରେଇ ନେଉଛି । ଯୁବ ପିଢ଼ି ବାଟ ହୁଡ଼ିଲେ ଆଗାମୀ ବଂଶଧର ଏକ ନିଶ୍ଚିତ ଅନ୍ଧକାର ମଧ୍ୟକୁ ଠେଲିହୋଇଯିବା ସମ୍ଭାବନା ଦେଖା ଦେଇଛି ।ଯେଉଁ ଶାସ୍ତ୍ର ଧର୍ମ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ନୀତି, ଅନୀତି ଓ ମଣିଷ ଜୀବନର ସର୍ବାଙ୍ଗୀନ ଉନ୍ନତି ସହିତ ସୁଖର ଗନ୍ତାଘର ହୋଇଥାଏ ତାହାକୁ ଗୀତା ଭାଗବତ କହନ୍ତି । ସଂପ୍ରତି ପରିସ୍ଥିତିରେ ଆମେ ମାନେ ଉକ୍ତ ଧର୍ମଗ୍ରନ୍ଥ ଠାରୁ ଦୂରେଇ ଯାଉଥିବା ବେଳେ ଏବେ ବି ଗ୍ରାମାଞ୍ଚଳମାନଙ୍କରେ ଗୋଧୁଳି ବେଳାରେ ସଂଧ୍ୟା ହେଲେ ଠାକୁର ଘରେ ଗୀତା, ଭାଗବତ ବାଣୀ ଶୁଭୁଥାଏ । ଏହା ସହିତ ଘର ପିଣ୍ଡାରେ ମଧ୍ୟାହ୍ନ ସଂଧ୍ୟାରେ ଦୁଇ ପୌଢ଼ ଭାଇଙ୍କ ଗୀତା ପାଠ ମଧ୍ୟ ହେଉଥାଏ । ଜଣେ ଭାଇ ଗୀତା ଭାଗବତ ପାଠ କରୁଥିବା ବେଳେ ଅନ୍ୟ ଜଣେ ଅନୁଜ ପୌଢ଼ ଭାଇ ଶ୍ରବଣ କରୁଥାଏ । ପାଠ କରୁଥିବା ଲୋକ ଯେତିକି ହୃଦୟରେ ଶାନ୍ତି ପାଏ ଶ୍ରବଣ କରୁଥିବା ଲୋକ ମଧ୍ୟ ଭଗବାନଙ୍କ ବାଣୀରେ ସେତିକି ଶାନ୍ତି ପାଇଥାଏ । ସତ୍ ଶାସ୍ତ୍ରର ଗୁଢ ରହସ୍ୟ ସତ୍ ପାଠକ ଜାଣିଥାଏ । ଏହାଦ୍ୱରା କେଉଁଭଳି ପରମ ଆନନ୍ଦ ମିଳେ ପଠନ ଓ ଶ୍ରବଣ କରୁଥିବା ବ୍ୟକ୍ତିଙ୍କ ଛଡ଼ା କେହି ବୁଝିପାରିବେ ନାହିଁ । ଗୀତା ଭାଗବତ ଗ୍ରନ୍ଥ ବିଶ୍ୱରେ ଶ୍ରେଷ୍ଟ ଗ୍ରନ୍ଥ ଅଟେ । ଯେକୌଣସି ଧର୍ମ ଓ ଜାତିର ଲୋକ ଏହାକୁ ସହଜରେ ଗ୍ରହଣ କରିପାରିବେ । ଆଜିର ସମୟରେ ପାଶ୍ଚାତ୍ୟ ଅଭିମୁଖି ଆମ ସମାଜ ଉକ୍ତ ଗ୍ରନ୍ଥର ଜ୍ଞାନରୁ ଦୂରେଇ ଯାଉଥିବା ବେଳେ ଦାଣ୍ଡ ପିଣ୍ଡାରେ ଦୁଇ ପୌଢ଼ଙ୍କ ଗୀତା ପାଠ ଆଗାମୀ ପିଢ଼ି ପାଇଁ ନିଶ୍ଚିତ ପ୍ରେରଣା ଦାୟୀ ହେବ ।