ସଟ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ୩ଟି ଦୋକାନକୁ ସିଲ୍ କଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସଟ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଛତ୍ରପୁର ସହରର ରିକାପଲ୍ଲୀ ଛକର ଥିବା ୩ଟି ଦୋକାନ ମାଲିକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସନ୍ତା ୧୦ ଦିନ ପାଇଁ ସିଲ୍ କରିଛି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ । ଏହାସହ ଛତ୍ରପୁର ସହରରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ୧୪ଟି ୱାର୍ଡ ବିଶିଷ୍ଟ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୫୮୭୧ ପରିବାରର ୨୩ ହଜାର ୪୩୮ ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସରିଛି । ଏଥିସହ ସହରର ବିଭିନ୍ନ ଦୋକାନ ଗୁଡିକର ମାଲିକ ଏବଂ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହୋଇଥିବା କେତେକ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ନିୟମ ଗୁଡିକୁ କଡାକଡି ପାଳନ କରୁଛନ୍ତି କି ନାହିଁ ମେଡିକାଲ ଅଫିସର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମାଧ୍ୟମରେ ତଦନ୍ତ କରାଯାଉଛି ବୋଲି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା