ତହସିଲଦାରଙ୍କ ଅଟକ ଘଟଣାରେ ପ୍ରଶାସନ ଓ ପୋଲିସଙ୍କୁ ନେଇ ବିଧାୟକଙ୍କ ବିଚାର ବିମର୍ଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଙ୍କୋରଡ଼ାରେ କୋଭିଡ୍ ଅଧିକାରୀ ଓ ତହସିଲଦାରଙ୍କ ଅଟକ ଘଟଣାରେ ପ୍ରଶାସନ ଓ ପୋଲିସଙ୍କୁ ନେଇ ବିଧାୟକଙ୍କ ବିଚାର ବିମର୍ଶ ହୋଇଛି । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ କଙ୍କୋରଡ଼ା ଗସ୍ତରେ ଥିବା ସ୍ଵତନ୍ତ୍ର ଅଧିକାରୀଙ୍କୁ କୋଭିଡ୍ କାର୍ଯ୍ୟକ୍ରମର ସ୍ଥିତାବସ୍ଥା ଆକଳନ ଓ ପରିଚାଳନା ସମୟରେ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ସେମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ଅଟକ ରଖି ଧସ୍ତାଧସ୍ତି ମଧ୍ୟ କରିଥିଲେ । ଏହି ଖବର ପାଇ ସାନଖେମୁଣ୍ଡି ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ସେମାନଙ୍କୁ ମଧ୍ୟ ବିଶୃଙ୍ଖଳିତ ଆଚରଣ କରି ଗୋଷ୍ଟି ଭିତ୍ତିରେ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରଖିବା ଘଟଣାରେ ଜିଲ୍ଲା ପ୍ରଶାସନ କ୍ରିୟାଶୀଳ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁକ୍ରମରେ ତହସିଲଦାର ଅମିତ କୁମାର୍ ନାୟକଙ୍କ ଦ୍ଵାରା ଗତ ଶୁକ୍ରବାର ଦିନ ୧୫ ଜଣଙ୍କ ବିରୁଦ୍ଧରେ ପାଟପୁର ପୋଲିସ ଥାନାରେ ଏତଲା ଦାୟର ହୋଇଥିଲା । ଶନିବାର ଦିନ ପୋଲିସ ପକ୍ଷରୁ ଦୁଇ ଜଣଙ୍କୁ ଉଠାଇ ଆଣି ଅଟକ ରଖାଯାଇଥିଲା । କ୍ରିୟାଶୀଳ ଗ୍ରାମବାସୀଙ୍କ ପ୍ରଶାସନ ବିରୋଧୀ ଆଭିମୁଖ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କଙ୍କୋରଡ଼ା ଗ୍ରାମରେ ପାଞ୍ଚ ପ୍ଲାଟୁନ୍ ପୋଲିସ୍ ସହ ଚାରି ଥାନା ଅଧିକାରୀ, ଆସିକା ଏସଡିପିଓ, ତହସିଲଦାର ଓ ବିଡ଼ିଓଙ୍କୁ ନେଇ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଥିଲା । ଅଟକ ଦୁଇ ସଂଧିଗ୍ଧଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ ମଧ୍ୟ କରିଥିଲା । ଘଟଣାର ବ୍ୟାପକତା ଏବଂ ଆସନ୍ତା ଦିନର ଅଞ୍ଚଳ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ରୀତିମତ ଉଦ୍ୟମ ଜାରି ରଖିଥିବା ବେଳେ ଗତକାଲି ରବିବାର ଅପରାହ୍ନରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରଶାସନ ସହ ସୌଜନ୍ୟ ମୂଳକ ଆଲୋଚନା କରିଛନ୍ତି ।ପାଟପୁର ଥାନା ପରିସରରେ ଥାନା ପରିସରରେ ତହସିଲଦାର ଅମିତ କୁମାର ନାୟକ ଓ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ଭେଟି ଘଟଣା ସମ୍ବନ୍ଧରେ ସମୁଚିତ ଆଲୋଚନା କରିବା ସହିତ ଘଟଣାରେ ସଂପୃକ୍ତ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସରକାରଙ୍କ କରୋନା କଟକଣା ଜନିତ ସ୍ପର୍ଶ କାତର ସ୍ଥିତିରେ ପ୍ରଶାସନକୁ ବିଚଳିତ କରୁଥିବା ବ୍ୟକ୍ତିଙ୍କୁ ଛାଡ଼ି ନିରିହଙ୍କ ଉପରେ କେଶ୍ ଦାୟର କରାଯିବାକୁ ନେଇ ନାପସନ୍ଦ କରିଥିଲେ । ମିଳିଥିବା ସୂଚନା ପ୍ରକାରେ ପାଟପୁର ଥାନା ପକ୍ଷରୁ ପ୍ରଶାସନର ଏତଲା ପ୍ରକାରେ ୧୫ ଜଣଙ୍କ ନାଁରେ ମାମଲା ଥିଲାବେଳେ ଦୁଇ ଶହ ଜଣଙ୍କୁ ଗିରଫ କରିବା ଲକ୍ଷ୍ୟରେ ଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ପ୍ରକୃତ ଉତ୍ସୁଙ୍ଖଳଙ୍କୁ ଚିହ୍ନଟ କରାଯାଇ ନିରିହଙ୍କ ପ୍ରତି ଧ୍ୟାନ ଦେବାକୁ ବିଧାୟକ ଗୁରୁତ୍ୱାରୋପ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା