ଶ୍ଵାନ ଅବତାର

ଆମ ସନାତନ ହିନ୍ଦୁ ଶାସ୍ତ୍ର ପୁରାଣାନୁସାରେ ଭଗବାନ ଶ୍ରୀ ବିଷ୍ଣୁ ଦଶ ଅବତାର ନେଇ ଥିଲେ ଧରାପୃଷ୍ଠରେ ଧର୍ମ ସଂସ୍ଥାପନ ନିମନ୍ତେ, ଏଥିମଧ୍ୟରେ ମୀନ, କଛପ, ବରାହ ଆଦି ଅନେକ ଅବତାର ଅଛି । ସବୁଥିରେ ପ୍ରଭୁ ସେହି ପ୍ରାଣୀମାନଙ୍କର ମହତ୍ତ୍ଵ/ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି ଜନମାନସକୁ । ପୁଣି ଆହୁରି କୋଉଠି ହାତୀମୁଣ୍ଡ-ଗଣେଶ,ଜଗନ୍ନାଥ, ଛେଳିମୁଣ୍ଡ-ଦତ୍ତାତ୍ରେୟ, କୋଉଠି ଶ୍ଵାନ ଅବତାର-ଧର୍ମ ଦେବତା,ମହାଭାରତ ଅନ୍ତିମ ପର୍ଯ୍ୟାୟରେ ଏମିତି ଵହୁକଥା ଅଛି । ପୁନଶ୍ଚ ଡାରଉଇନଙ୍କ ବିବର୍ତ୍ତନଵାଦ ଅନୁସାରେ ପ୍ରଥମେ ଏକ ଜେଲିମାଛରୁ ଆରମ୍ଭହୋଇ ପ୍ରାକୃତିକ ଉପାୟରେ ଶହ ଶହ ଵର୍ଷପରେ ଏକ ପଶୁ, ମାଙ୍କଡ ଠାରୁ ବିବର୍ତ୍ତନମାଧ୍ୟମରେ ସୃଷ୍ଟିହେଲା ଧରାପୃଷ୍ଠର ସର୍ବଶ୍ରେଷ୍ଠ ଜୀଵ ମନୁଷ୍ୟର। ପଶୁ/ଜୀବଠାରୁ ଯେବେ ମନୁଷ୍ୟର ସୃଷ୍ଟି ହେଲା,ତେବେ ମନୁଷ୍ୟ ପୁଣି କାହିଁକି ପଶୁ ହୋଇ ପାରିବନାହିଁ ? ଅବଶ୍ୟ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ହେଲେ ମଧ୍ୟ ପ୍ରବୃତ୍ତି ଅନୁସାରେ ବହୁତ ପଶୁ ଅଛନ୍ତି ଆମ ଭିତରେ !ତଥାପି ମନୁଷ୍ୟରୁ ପୁଣି ପଶୁହେବାକୁ ଦୁର୍ଵାର ଅଭିଳାଷ ଜାଗିଛି ଅନେକ ମନୁଷ୍ୟଙ୍କ ମନରେ,ସେମିତି ଏକ କାହାଣୀ ଆଜିର ପ୍ରସଙ୍ଗ । ଜାପାନ ଦେଶର ଟୋକୋ ନାମକ ଜଣେ ବ୍ୟକ୍ତି ଅନେକ ଦିନରୁ ପଶୁଭଳି ଦେଖା ଯିବାକୁ ମନ କରିଥିଲେ,ଏଥିପାଇଁ ସେ ଅବିରତ ଆନ୍ତରିକ ଚେଷ୍ଟା ଚଳାଇଥିଲେ । ଜାପାନର ଏକ କମ୍ପାନୀ, “ଜେପେଟ୍”, ଯାହା, ଯାତ୍ରା, ଅପେରା, ଥିଏଟର, ସିନେମା ଇତ୍ୟାଦି ପାଇଁ ପୋଷାକ (କଷ୍ଟ୍ୟୁମ୍)ପ୍ରସ୍ତୁତ କରେ,ଟୋକୋଙ୍କ ଆବଶ୍ୟକ ମୁତାବକ ୧୪,୦୦୦ ଡଲାର ଵା ୧୨,୦୦, ୦୦୦ଟଙ୍କା ବିନିମୟରେ ୪୦ଦିନର ଅବିଶ୍ରାନ୍ତ ପରିଶ୍ରମପରେ ଅବିକଳ କୁକୁରଭଳି ଦେଖା ଯିବା ସକାଶେ ଏକ ପୋଷାକ ପ୍ରସ୍ତୁତ କରିଦେଲା,ଏହି ପୋଷାକରେ ଟୋକୋ ଏକ ପ୍ରକୃତ କୁକୁରଭଳି ଦେଖାଗଲେ, କେହି ବି ତାଙ୍କୁ କୁକୁର ବ୍ୟତୀତ ଅନ୍ୟ କିଛି ଭାବିବାର ଅବସର ନାହିଁ । ଏଥିସହିତ ଟୋକୋ ମଧ୍ୟ କୁକୁରଭଳି ହାବଭାବ,ଆଚରଣ ପ୍ରଦର୍ଶନ କରୁଛନ୍ତି, ତେଣୁ ତାଙ୍କୁ କୁକୁରଛଡା ଅନ୍ୟ କିଛି ଭାବିବାର ପ୍ରଶ୍ନ ଉଠେନା।ଧନ୍ୟରେ ମଣିଷ, କି ବିଚିତ୍ର ମନୋ ଭାବ, କି ବିଚିତ୍ର ଅଭିଳାଷ ଏ ମଣିଷର, କି ଅଜବ, ଅଦ୍ଭୁତ ଖିଆଲ ! ସେଥିପାଇଁ କଥା ଅଛି, “କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ଏ ଜୀବରେ !”ଯାହା ଜଣାପଡୁଛି ଏ ମଣିଷ ଯେତିକି ଯେତିକି ଉନ୍ନତି କରୁଛି, ସେତିକି ସେତିକି ଅବନତି ମଧ୍ୟ କରୁଛି ।ଦେଖୁନାହାଁନ୍ତି ପୃଥିବୀର ଶ୍ରେଷ୍ଠ ଜୀବ ମନୁଷ୍ୟ,ଏ ଦୁର୍ଲଭ,ଦୁଷ୍ପ୍ରାପ୍ୟ ମଣିଷ ଜନ୍ମରେ ମଧ୍ୟ ସନ୍ତୁଷ୍ଟନୁହେଁ,ତା’ର ଲୋଭ, ଆକାଂକ୍ଷା ଅପୂରଣୀୟ ।ତା’ପରେ ସେ ଯେତେ ଖରାପହେଉ,ଅସମ୍ଭବହେଉ ଚଳିବ,ଧନ୍ୟ- ରେ ମଣିଷ,ତୋ ଚାରିଖୁରା (ହାତ ଦୁଇ ମିଶାଇ)କୁ କୋଟିକୋଟି ଜୁହାର ।ଅନ୍ୟ ମାନେ ବିଶେଷକରି ସାଙ୍ଗ ଓ ଚିହ୍ନା ଜଣା ସବୁ ଜାଣିଦେବେ ବୋଲି ଟୋକୋ ଏହି ଶ୍ଵାନ ଅବତାର କଥା ପ୍ରାୟ ସେତେ ପ୍ରକାଶ କରିନାହାନ୍ତି କିମ୍ବା ତାଙ୍କର ଅଧିକ ପରିଚୟ ସାଧାରଣରେ ପ୍ରାୟ ଉପଲବ୍ଧ ନୁହେଁ । ଏକ ସାକ୍ଷାତକାରରେ ଟୋକୋ କହିଛନ୍ତି,ସେ ଜଣେ ପଶୁପ୍ରେମୀ,ପିଲାଦିନୁ,ହେତୁ ପାଇବା ପରଠୁ ସିଏ ଏକପଶୁ ବେଶ/ଅବତାର ନେବେ ବିଶେଷଭାବେ କୁକୁର,ତା’ପୁଣି କୁଲି(collie)-ସ୍କଟଲ୍ୟାଣ୍ଡର ଏକବିଶେଷ ପ୍ରଜାତିର କୁକୁରର ବୋଲି ଅଭିଳାଷ ରଖିଥିଲେ ଅବଶ୍ୟ ସିଏ ସବୁବେଳେ ଏପରି କୁକୁର ଅବତାରରେ ରହିବେ ନାହିଁ ବୋଲି କହିଛନ୍ତି ।କିଛି ବିଶେଷ ମୁହୂର୍ତ୍ତରେ, ତାଙ୍କର ଯେତେବେଳେ ମନ ହେବ ବା ସପ୍ତାହରେ ଥରେ ସିଏ ଏପ୍ରକାର ବେଶରେ ବାହାରିବେ ।ଇତିମଧ୍ୟରେ ଟୋକୋ ଶ୍ଵାନ ଅବତାରରେ ସାଧାରଣରେ ବୁଲି ଆସିଲେଣି, ଟୋକିଓର ଏକ ପାର୍କରେ ଅନ୍ୟ କୁକୁରମାନଙ୍କ ସହିତ ଖେଳାବୁଲା,ଚିହ୍ନା ପରିଚୟ କରି ସାରିଲେଣି‌।ସେଠାରେ ସିଏ ଠିକ୍ ଏକକୁକୁରଭଳି ଆଚରଣ ଦେଖାଉଛନ୍ତି, ସେମିତି ଗଡିବା ଖେଳାବୁଲା କରୁଛନ୍ତି।ଏପରି କୁକୁର ବେଶରେ ବାହାରିବାପରେ ତାଙ୍କର ଅଭିଳାଷ ପୂରଣ ହୋଇଛି ବୋଲି ଟୋକୋ ଖୁସି ବ୍ୟକ୍ତ କରିଛନ୍ତି,ଟୋକୋ କୁକୁର ଖାଦ୍ୟ (ସ୍ବତନ୍ତ୍ର)ପ୍ରତି ମଧ୍ୟ ଆଗ୍ରହ ଦେଖାଇଛନ୍ତି ଏଵଂ ସାଧାରଣଭାଵେ ଖାଇଛନ୍ତି।ଟୋକୋଙ୍କର ଶ୍ଵାନ ଅବତାରପରେ ଆଉ ଅନେକ ସେମାନଙ୍କର ଏମିତିକିଛି ବିଚିତ୍ର ଅଭିଳାଷଥିବା ବ୍ୟକ୍ତ କରିଛନ୍ତି ଏବଂ ଟୋକୋ ସେମାନଙ୍କ ସକାଶେ ଆଦର୍ଶ ବୋଲି ଘୋଷଣା କରିଛନ୍ତି,ମାନେ ଟୋକୋ ସେମାନଙ୍କ ନିମନ୍ତେ ପଥପ୍ରଦର୍ଶକ ହୋଇଛନ୍ତି ।ଏମିତି କେତେକ ଉତ୍ସାହପ୍ରଦ ଟିପ୍ପଣିପରେ ଟୋକୋ ବହୁତ ଉତ୍ସାହିତ ଅଛନ୍ତି ।ଉକ୍ତ ପ୍ରସଙ୍ଗଟି ପ୍ରାୟ ଏକ ବର୍ଷ ପୁରୁଣା ଯାହା ଧୀରେ ଧୀରେ ଲୋକଲୋଚନକୁ ଆସୁଛି-ଜୁଲାଇ ୨୦୨୩ । ଆମ ପୁରାଣାନୁସାରେ ଧର୍ମ ଦେବତା ମହାଭାରତର ଅନ୍ତିମ ସମୟରେ ଯୁଧିଷ୍ଠିରଙ୍କ ସହିତ ସ୍ବର୍ଗ ଗମନ କରିଥିଲେ ଶ୍ଵାନ ଅବତାରରେ ।ଆମ ଦେଶର କର୍ଣ୍ଣାଟକ ଚନାପାଟନା (ବାଙ୍ଗାଲୋର ଠାରୁ ୬୦ କିମି ଦୂର) ରେ ଏକ ମନ୍ଦିର ଅଛି ଯୋଉଠି କୁକୁର ମୂର୍ତ୍ତି ପୂଜାକରା ଯାଉଛି ।ଉତ୍ତରପ୍ରଦେଶ ଝାନସୀ ସନ୍ନିକଟ ଏକ ଗ୍ରାମରେ ଏକ କ୍ଷୁଦ୍ର ଶ୍ଵାନ ମନ୍ଦିର,”କୁତିଆ ମହାରାଣୀ କୀ ମନ୍ଦିର” ଅଛି । ବାରଣାସୀ ନିକଟରେ ଏକ କାଳଭୈରବ ମନ୍ଦିର ଅଛି ଏବଂ ନିକଟ ଅତୀତରେ ଟିଭିରେ ପ୍ରସାରିତ ‘କାଳଭୈରବ’ ସିରିଏଲରେ ଦେଖିଥିବେ,ଦେବ ଦେବ ମହାଦେବଙ୍କ ଏକ ଅବତାର,କାଳଭୈରବଙ୍କର ବାହନହେଲା କୁକୁର । ପ୍ରାଣୀଜଗତରେ କୁକୁରଟା ସର୍ବାଧିକ ବିଶ୍ଵାସୀ ପ୍ରାଣୀ, ଆଉ କୁକୁରର ଘ୍ରାଣଶକ୍ତି ସମସ୍ତଙ୍କଠାରୁ ଅଧିକ, ତେଣୁ ବନ୍ୟା,ବାତ୍ୟା,ଭୂମିକମ୍ପ ଇତ୍ୟାଦିରେ କୁକୁରକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଏ।ବହୁତ ସ୍ଥାନରେ ପୋଲିସ ବାହିନୀରେ ଏକ ଡଗ୍ ସ୍କ୍ୱାର୍ଡ ଥାଏ। ଏହା ଭିନ୍ନ କଥା ଯେ ଆମ ଦେଶର ମଣି ପୁର ରାଜ୍ୟରେ କୁକୁର ମାଂସ ଅତିପ୍ରିୟ । ଅପରପକ୍ଷେ ଓଡିଆରେ ଗୋଟିଏ ଢଗ ଅଛି,”ତେଲ ଵହଳ ହେଲେ…………..” ଏଇ ପ୍ରସଙ୍ଗଟି ସେଇଭଳି ଏକ ବିଷୟ।ଯାହାର ହାତକୁ ପାଟିକୁ ଫୁରସତ ନଥାଏ,ଅର୍ଥାତ୍ ଯାହାର ହାତ ନଚଳିଲେ ପାଟିକୁ ଖାଦ୍ୟ ଯାଏ ନାହିଁ ତାକୁ ଏଭଳି କଥା ସକାଶେ ଅବସର କାହିଁ ?ଯାହାର ଚଳଣୀ ସ୍ବଛଳ,ଦୈନନ୍ଦିନ ଆବଶ୍ୟକତା ନିମନ୍ତେ ଚିନ୍ତା ନଥାଏ,ସିଏ ଏ ପ୍ରକାର ଉଦ୍ଭଟ ଚିନ୍ତାଧାରାର ରାସ୍ତାରେ ଯାଇପାରେ,ତା’ବୋଲି ଏଭଳି ବିସ୍ମୟକର ପ୍ରସଙ୍ଗ ଚୟନ ପ୍ରାୟ ବିରଳରୁ ଵିରଳତମ !ମାତ୍ର ଦେଖାଯାଏ ପାଶ୍ଚାତ୍ୟ ଦେଶମାନଙ୍କରେ କୁକୁର/ବିରାଡ଼ି ଇତ୍ୟାଦି ପୋଷା ଜନ୍ତୁଙ୍କ ନାଁରେ ବିତ୍ତଶାଳୀ ବ୍ୟକ୍ତିମାନେ ଅନ୍ତିମ ସମୟରେ ନଚେତ୍ ଉତ୍ତରାଧିକାରୀ ସୂତ୍ରେ ବିପୁଳଧନସମ୍ପତ୍ତି ଲେଖାଇ ଦେଉଛନ୍ତି ଵା ଉଇଲ୍ କରିଯାଉଛନ୍ତି । ବର୍ତ୍ତମାନ ଅନେକ ପ୍ରାଚ୍ୟ ଦେଶରେ ମଧ୍ୟ ବିଷାକ୍ତ ସାପ,କୁମ୍ଭୀର,ବଣମଣିଷ,ଗୋଧି ଆଦି ପୋଷା ଜନ୍ତୁ ଭାବେ ରଖୁଛନ୍ତି,ଯାହା ପ୍ରାୟ ପାଶ୍ଚାତ୍ୟରେ ଦେଖାଥିଲା ।ଏ ଶ୍ରେଣୀର ମଣିଷ ମାନେ ସାଧାରଣ ମାନବ ତ ନୁହଁନ୍ତି,”ମହାମାନବ।” ଶେଷରେ ଓଡ଼ିଆ ରୀତିକାବ୍ୟ ରଚୟିତା ବିଶ୍ଵପ୍ରସିଦ୍ଧ ଜୟଦେବଙ୍କ ଗୀତଗୋବିନ୍ଦ ଅନୁସରଣରେ,”ସମ୍ବାଦ କୃତ, ସାରମେୟ ରୂପ,ଜୟ ଟୋକୋ, ଜୟ ଜାପାନ ହରେ ।”
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯