ଶ୍ରୀକାନ୍ତ ସାହୁଙ୍କ ଠାରୁ ମୋତେ ସୁରକ୍ଷା ଦିଅ : ନାରୀନେତ୍ରୀ ସଂଯୁକ୍ତା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦଳୀୟ ନେତ୍ରୀ ସଂଯୁକ୍ତା ମହଲା ଭୁବନେଶ୍ୱର ମହିଳା ଥାନାରେ ପୁଣି ଏତଲା ଦେଇଛନ୍ତି । ତା’ସହିତ ସେ ପୋଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୀର୍ଘ ୯ ବର୍ଷ ଧରି ତାଙ୍କ ସହିତ ସଂପର୍କ ରଖି ଏବେ ପ୍ରତାରଣା କରିଛନ୍ତି ବୋଲି ସଂଯୁକ୍ତା ମହଲା କହିଛନ୍ତି । ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୋତେ ମୋ ଅଧିକାର ପ୍ରଦାନ କରିବା ସହ ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି ବୋଲି ସେ କହିଛନ୍ତି I ଶ୍ରୀକାନ୍ତ ସାହୁ ମୋତେ ମାରି ଦେବାକୁ ଧମକ ଦେଉଛନ୍ତି। ଦୁଇ ଦିନ ହେଲାଣି ମୋ ପଛରେ ଲୋକ ଲଗାଇଛନ୍ତି। ମୁଁ ଯେଉଁଆଡ଼େ ଯାଉଛି ୪ରୁ ୬ ଜଣ ଲୋକ ମୋତେ ପିଛା କରୁଛନ୍ତି। ଯେଉଁ ସଂସ୍ଥାଗୁଡ଼ିକ ସହିତ ମୁଁ ଜଡ଼ିତ ସେହି ସବୁ ସ୍ଥାନକୁ ତାଙ୍କ ଦ୍ୱାରା ନିଯୁକ୍ତ ଲୋକେ ସେଠାରେ ପହଞ୍ଚି ଧମକଚମକ ଦେଉଛନ୍ତି। ଘରୁ ବାହାରିବାକୁ ମୋତେ ଡର ଲାଗୁଛି। ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ବର୍ତ୍ତମାନ ସୁରକ୍ଷା ଦରକାର ବୋଲି ସେ ଭୟଭୀତ ହୋଇ କହିଛନ୍ତି । ତଥାପି ଆଶା କରୁଛି ମୋତେ ନ୍ୟାୟ ମିଳିବ। ନହେଲେ ମୁଁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ସବୁ କଥା କହିବି ବୋଲି ସେ କହିଛନ୍ତି I ତେବେ ତୁରନ୍ତ ସୁରକ୍ଷା ଯୋଗାଇ ଦେବାପାଇଁ ସେ ପୋଲିସକୁ ଅନୁରୋଧ କରିଛନ୍ତି I

ଉଲ୍ଲେଖ ଯୋଗ୍ୟ ଯେ,ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତଙ୍କ ସହ ସଂଯୁକ୍ତାଙ୍କ ନିବିଡ଼ ସମ୍ପର୍କ ବିଷୟରେ ବିଜେଡି ମହଲରେ ସମସ୍ତେ ଅବଗତ ଥିଲେ । ଶ୍ରୀକାନ୍ତଙ୍କୁ ୨୦୨୨ ଜୁନ୍ ମାସରେ ମନ୍ତ୍ରୀ ପଦ ମିଳିବାର ଖୁସିରେ ଗୋପାଳପୁରର ଏକ ତାରକା ହୋଟେଲରେ ସକସେସ ପାର୍ଟିର ଆୟୋଜନ ହୋଇଥିଲା । ଯେଉଁଥିରେ ସଂଯୁକ୍ତା ନିଜର ବାନ୍ଧବୀମାନଙ୍କ ସହ ସାମିଲ ହୋଇଥିଲେ । ସଂଯୁକ୍ତା ଏହି ସକସେସ ପାର୍ଟିର ମୁଖ୍ୟ ଆୟୋଜକ ଭାବେ ନିଜ ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ସାଙ୍ଗରେ ଗୋପାଳପୁର ନେଇ ଆସି ଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଯୁବବିଜେଡି ମହାସଚିବ ଏଲିନା ଦାସ ପ୍ରମୁଖ ଏହି ପାର୍ଟିରେ ଯୋଗ ଦେଇଥିଲେ । ଏପରିକି ସେମାନଙ୍କର ରହିବା ଓ ବୁଲିବା ପାଇଁ ମଧ୍ୟ ସେଠାରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ସଂଯୁକ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ଏହି ପାର୍ଟିରେ ସାମିଲ ହୋଇଥିବା ମହିଳା ନେତ୍ରୀମାନଙ୍କ ଫଟୋଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।