ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ। ଆଜି ବିଧିବଧ ଭାବେ କ୍ୟାବିନେଟ ନିର୍ଦ୍ଧାରଣ କରିଛି I ପୂର୍ବରୁ ଥିବା ୫ ପ୍ରତିଶତ ପଦୋନ୍ନତି କୋଟାକୁ ରାଜ୍ୟ ସରକାର ୨୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଅଧିକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏହି ପଦୋନ୍ନତିଜନିତ ସୁବିଧା ପାଇବେ । ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୧୯୯୭ର ସଂଶୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାକୁ ପଦୋନ୍ନତିରେ ଅଧିକ ସୁଯୋଗ ଦେବା ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପୂର୍ବରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାକୁ ପଦୋନ୍ନତିରେ ୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଥିବା ବେଳେ ଏବେ ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି । ଯେଉଁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ସହ ମୌଳିକ କମ୍ପ୍ୟୁଟର ଦକ୍ଷତା ଥିବ ସେମାନଙ୍କୁ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦବୀକୁ ପଦୋନ୍ନତିରେ ଅଧିକ ସୁଯୋଗ ମିଳିବ ବୋଲି କ୍ୟାବିନେଟ ନିର୍ଦ୍ଧାରଣ କରିଥିବା ଜଣାପଡିଛି ।