ଲକ୍ ଡାଉନ ଯୋଗୁଁ ଫସି ରହିଛନ୍ତି ଓଡ଼ିଆ ଦାଦନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାଜ୍ୟର ଏକ ଘରୋଇ କମ୍ପାନୀରେ କାମ କରିବାକୁଯାଇ ଫସିଯାଇଛନ୍ତି ଓଡ଼ିଆ ଦାଦନ ଶ୍ରମିକ । ଦୀର୍ଘଦିନରୁ କର୍ଣ୍ଣାଟକର ଏକ ଘରୋଇ ପ୍ରତିଷ୍ଠାନରେ ଦକ୍ଷିଣାଞ୍ଚଳ ଜିଲ୍ଲା ରାୟଗଡା, କୋରାପୁଟର, ମାଲକାନଗିରି ସମେତ ନବରଙ୍ଗପୁର ଓ ଗଜପତି ଜିଲ୍ଲାର୧୦ରୁ ଉର୍ଦ୍ଧ୍ୱ ଓଡିଆ ଯୁବ ଶ୍ରମିକ ସେଠାରେ ଯାଇ ଦାଦନ ଶ୍ରମିକ ରୂପେ କାର୍ଯ୍ୟରତ ଥିଲେ । କରୋନା ମହାମାରୀ ଆତଙ୍କ ଯୋଗୁଁ ସମଗ୍ର ଦେଶ ଏବେ ତାଲା ବନ୍ଦ ହୋଇପଡିଛି । ଯାହାଫଳରେ ସମ୍ପୃକ୍ତ କମ୍ପାନୀ ଠପ୍ ହୋଇଛି । ତେବେ ଘରକୁ ଆସିବାର ଆଉ କୌଣସି ମାଧ୍ୟମ ନ ପାଇ ସେଠାରେ ଫସି ରହି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରସାର କରି ସେମାନେ ଫସିଥିବା ସୂଚନା ଦେଇଛନ୍ତି । ଉକ୍ତ ଅଞ୍ଚଳରେ ତାଲା ବନ୍ଦ ଆଇନ କଡାକଡି ରୂପେ ପାଳନ ହେଉଥିବାରୁ ଘରୁ ଗୋଡ କାଢ଼ୁ ଥିବା ବ୍ୟକ୍ତି ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି । ଏପରି ସ୍ଥଳେ ଚାରିଦିନ ଠାରୁ ନ ଖାଇ ନପିଇ ଭୋକ ଉପାସରେ ଏମାନେ ଦିନ କାଟୁଥିବା କହିଛନ୍ତି । ଏଭଳି ସମୟରେ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରି ନିଜ ଘରକୁ ଫେରାଇ ଆଣିବାକୁ ସେ ଭିଡିଓରେ ଓଡ଼ିଶା ସରକାରଙ୍କୁ ନେହୁରା ହୋଇଛନ୍ତି । ସୂଚନା ଅନୁଯାୟୀ ରାୟଗଡ଼ା ସହର ସ୍ଥିତ ଅଶୋକ ନଗର ଦ୍ୱିତୀୟ ଗଳି ବାସିନ୍ଦା ମୁକୁନ୍ଦ ଗରଡ଼ା ଉକ୍ତ ସ୍ଥାନରେ ଫସି ରହିଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ତାଙ୍କ ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ମୁକୁନ୍ଦଙ୍କ ବାପା ଶ୍ୟାମ ଗରଡ଼ା ନିଜେ ପନିପରିବା ଚାଷ କରି ବିଭିନ୍ନ ସାହି ସାହି ବୁଲି ପରିବା ବିକ୍ରି କରି ନିଜ ପରିବାର ପୋଷଣ କରୁଥିବା ବେଳେ ବର୍ତ୍ତମାନ ପୁଅର ଦୁଃଖ ଓ ଦୁର୍ଦ୍ଦଶା ଦେଖି କାନ୍ଦି କାନ୍ଦି ଦିନ ବିତାଉଛନ୍ତି ପୁରା ପରିବାର । ନିଜ ପୁଅକୁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ।

ରିପୋର୍ଟ : ତୁଷାର ରଂଜନ ସାହୁ