ଲକଡାଉନ ଯୋଗୁଁ ଟ୍ରାକ୍ଟର ଧକ୍କାରେ ବଞ୍ଚିଲେ ସ୍ଥାନୀୟ ଲୋକେ : ୩ଟି ବାଇକ ଓ ୧ଟି ସାଇକେଲ ଚୁରମାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଲଗୁଣ୍ଠା ବାଙ୍କ ବଜାରଠାରେ ଏକ ଟ୍ରାକ୍ଟର ଧକ୍କାରେ ରାସ୍ତା କଡରେ ନିଜ ଘର ପାଖରେରେ ଥିବା ସ୍ଥାନୀୟ ଲୋକଙ୍କ ୩ଟି ବାଇକ ଓ ଗୋଟିଏ ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବେଲଗୁଣ୍ଠା ଧୋବାସାହିର ପାଣ ପାତ୍ରଙ୍କ ଟ୍ରାକ୍ଟର (ଓଆର ୦୭ଡବ୍ଲୁ ୦୦୭୦)କୁ ତାଙ୍କ ଡ୍ରାଇଭର ବେଲଗୁଣ୍ଠା ଖଦାଳ ସାହିର ରାଜେନ୍ଦ୍ର ନାଇକ ଚଲାଉଥିଲେ । ଆଜି ସେ ମଦ୍ୟପାନ କରି ଡ୍ରାଇଭିଂ କରି ଟ୍ରାକ୍ଟରକୁ ନେଇ ଦ୍ରୁତ ଗତିରେ ପେଣ୍ଠ ସାହି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ରାକେଶ କୁମାର ସାହୁଙ୍କ ବଜାଜ ଅଭେଞ୍ଜର ମଟର ସାଇକେଲ (ଓଡି ୦୭ଏଲ ୬୧୨୮)କୁ ପ୍ରଥମେ ଟ୍ରାକ୍ଟରଟି ମାଡି ଯାଇଥିଲା ଫଳରେ ବାଇକଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ପରେ ପୁଣି ଲବ ପାତ୍ରଙ୍କ ଏକ ସାଇକେଲ ଏବଂ ସିଡ଼ି ଡିଲକ୍ସ ମଟର ସାଇକେଲ (ଓଆର ୨୫ ବି ୮୦୮୨) ଉପରେ ମାଡିଯିବା ଫଳରେ ଗାଡି ଓ ସାଇକେଲ ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଥିଲା ଏବଂ ନିକଟରେ ଥିବା ବିନାୟକ ସିନ୍ଧେଙ୍କ ସ୍ପ୍ଲେଣ୍ଡର ପ୍ଲସ (ଓ ଆର ୦୭ଏଏ୩୬୦୪)କୁ ଧକ୍କା ଦେବାରୁ ଏହା ମଧ୍ୟ ଆଂଶିକ ଭାଙ୍ଗିଥିବା ଜଣାପଡିଛି । ଏହାସହ ଏକ ଦୋକାନ ଉପରେ ମଧ୍ୟ ଚଢ଼ିଯାଇଥିବା ଜଣାପଡିଛି । ଟ୍ରାକ୍ଟରଟିରେ ଜମିରେ ଚାଷ କରିବା ପାଇଁ ବ୍ୟବହୃତ ହେଉଥିବା ଲୁହାର ଚାଷ ଉପକରଣ ଲାଗିଥିଲା । ବାଙ୍କବଜାର ବେଲଗୁଣ୍ଠାର ବ୍ୟବସାୟୀକ ଅଞ୍ଚଳ ହୋଇଥିଲେ ମଧ୍ୟ ଲକଡାଉନ ଯୋଗୁଁ ଲୋକେ ଘରେ ଥିଲେ ଏବଂ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ଯାହା ଫଳରେ କୌଣସି ଲୋକ ଏହି ଦୁର୍ଘଟଣାରେ ଶିକାର ହୋଇ ନାହାନ୍ତି । ଏହି ଦୁର୍ଘଟଣାର ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଗାଡିମାଲିକଙ୍କୁ ଡକାଇ ଗାଡିକୁ ଥାନାରେ ଅଟକ ରଖିଛନ୍ତି । ଏହାସହ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା