ରେଲ୍ ବସ୍…

ଆପଣମାନେ ଟ୍ରେନଲାଇନରେ ଅନ୍ୟ ଗାଡ଼ି, ଜିପ୍,କାର କିମ୍ବା ଟ୍ରକ୍ ଚାଲିବାର ଦେଖିଛନ୍ତି ? କେହି କେହି ଦେଖି ଥାଇପାରନ୍ତି, ବିଶେଷ କରି ବଡ଼ ବଡ଼ କାରଖାନା, ଯଥାବରଗ ସିମେଣ୍ଟ କାରଖାନା, ତାଳଚେର ସାର କାରଖାନା (ପୁରୁଣା) ଇତ୍ୟାଦିରେ । କୋଉଠି କୋଉଠି ରେଲ୍ ଲାଇନରେ ହାତଟଣା(ବର୍ତ୍ତମାନ ସ୍ବୟଂକ୍ରିୟ) ଛୋଟ ଗାଡ଼ି ଚାଲୁଥିବାର ଦେଖିଥିବେ । ଏଗୁଡିକୁ ଟ୍ରେନଲାଇନ ସର୍ବେକ୍ଷଣ କାର୍ଯ୍ୟରେ ଲଗାଯାଇଥାଏ । ଏହା ବ୍ୟତୀତ କିଛି ବର୍ଷ ତଳେ ଭୁବନେଶ୍ୱର – ବ୍ରହ୍ମପୁର ମଧ୍ୟରେ ‘ରୋଡଟ୍ରେନ’, ଚାଲୁଥିବାର ଦେଖିଥିବେ, ଯୋଉଥିରେ ୨ଟି(ପଛଟି ଇଞ୍ଜିନ ବିହିନ) ବସ୍ ଆଗପଛ ଯୋଡାଯୋଡି ହୋଇ ଚାଲୁଥାଏ । ନିକଟ ଅତୀତରେ ଆମରାଜ୍ୟର ଚିଲିକାରେ ଚାଲିବାର ପ୍ରସ୍ତାବଥିଲା, ମାତ୍ର ସ୍ଥଗିତ ରହିଲା ଏବଂ ଗତ ୨୦୨୦ ଅକ୍ଟୋବର ୩୧ରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୪୬ତମ ଜୟନ୍ତୀରେ ଗୁଜୁରାଟ ସାବରମତୀ ନଦୀତଟରୁ କେଭେଡିଆ (ନର୍ମଦା ଜିଲ୍ଲା, ଗୁଜୁରାଟ) ସ୍ଥିତ “ଷ୍ଟାଚ୍ୟୁ ଅଫ୍ ୟୁନିଟି”(ଲୌହମାନବଙ୍କପ୍ରତିମୂର୍ତ୍ତି) ପର୍ଯ୍ୟନ୍ତ “ସି-ପ୍ଲେନ୍”(ଜଳରେ ଚାଲିପାରୁଥିବା ଉଡାଜାହାଜ)ର ଉଦଘାଟନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଉ ଗୋଟିଏ କଥା ଅନେକ ହିନ୍ଦୀ ଏବଂ ଇନଗ୍ରେଜି ସିନେମାରେ ଦେଖିଥିବେ ସମୁଦ୍ରରେ ଚାଲୁଥିବା କିଛି ବୋଟ୍ ବା ଜାହାଜ ପାଣିରୁ ବାହାରି ଆସି ହଠାତ୍ ଭୂମିରେ ଚାଲୁଥିବାର, ଏଗୁଡିକୁ କୁହାଯାଏ “ହୋଭରକ୍ରାଫ୍ଟ”, ଏସବୁ ବିଶେଷ କରି ଯୁଦ୍ଧ ସମୟରେ କାମରେ ଆସେ । ବେଙ୍ଗ, ସାପ ଆଦି କିଛି ପ୍ରାଣୀ ଯେପରି ଉଭୟଚର, ଅର୍ଥାତ୍ ଭୂମି ଓ ଜଳ ଉଭୟରେ ଚଳପ୍ରଚଳ କରିପାରନ୍ତି, ଏଇ ଯାନଗୁଡିକ ମଧ୍ୟ ସେମିତି ଉଭୟଚର । କୋଲକାତାରେ ଚାଲୁଥିବା ଟ୍ରାମ(ଗାଡ଼ି)ତ ପ୍ରାୟ ସମସ୍ତେ ଦେଖିଥିବେ । ଅଧୁନା ପୃଥିବୀରେ ଅନେକ ପ୍ରକାର ଆବିଷ୍କାର, ଉଦ୍ଭାବନ, ନୂଆ, ବିଚିତ୍ର ପଦାର୍ଥ ନିର୍ମାଣରେ ଚୀନ୍ ଅଗ୍ରଣୀ ଥିଲେ ମଧ୍ୟ ବୈଷୟିକ ଜ୍ଞାନ ଓ କଳାକୌଶଳ ପ୍ରସ୍ତୁତି ତଥା ପ୍ରଦର୍ଶନରେ ଜାପାନ ଯେ ବିଶ୍ଵରେ ଅଗ୍ରଗଣ୍ୟ ଏହା ସର୍ଵମାନ୍ୟ । ଜାପାନୀ ମାନେ କାଳେ କାଳେ ଏଥିନିମନ୍ତେ ବିଶ୍ଵବନ୍ଦିତ । ସେଇ ଜାପାନ ଦେଶରେ ନିକଟରେ ଏମିତି ଏକ ଉଭୟଚର ଯାନ ନିର୍ମାଣ କରିଛନ୍ତି ଯାହା ସାଧାରଣ ରାସ୍ତାରେ ଗତି କରିବା ସଙ୍ଗେ ସଙ୍ଗେ ରେଲଲାଇନରେ ମଧ୍ୟ ଚାଲିପାରୁଛି । ଗତ ୨୦୨୧ ଡିସେମ୍ବର ୨୬ରେ ଶୁଭ ଉଦ୍ଘାଟନ ହୋଇଥିବା ଏହି ଯାନଟି ଏକ ସାଧାରଣ ମିନିବସ୍ ଯାହା ସର୍ବସାଧାରଣ ରାସ୍ତାରେ ରବରଚକା ସାହାଯ୍ୟରେ ଚାଲୁଥାଏ, ହଠାତ୍ ଆବଶ୍ୟକ ହେଲେ ଟ୍ରେନ୍ ଲାଇନ ଉପରେ ଠିଆ ହୋପଡ଼ିବ, ଲାଇନର ଦୁଇପଟେ ୪ଟି ଚକ ସାହାଯ୍ୟରେ, ତା’ପରେ ଏକ ସୁଇଚ୍ ଟିପିବା ମାତ୍ରେ ସାମ୍ନାର ରବରଚକ ଦୁଇଟି ଉପରକୁ ଉଠିଯାଇ ଦୁଇଟି ଛୋଟ ଟ୍ରେନ ଚକ ବାହାରି ଆସିବ ଠିକ୍ ଲାଇନ ଉପରକୁ । ସେମିତି ପଛରେ ମଧ୍ୟ ଦୁଇଟି ରେଳଚକ ବାହାରି ଆସିବ ଲାଇନ ଉପରକୁ, ମାତ୍ର ପଛର ରବରଚକ ୨ଟି ସେମିତି ତଳେ ଲାଗି ରହିଥିବ ଯାନଟିକୁ ଗତି ପ୍ରଦାନ ସକାଶେ, କାରଣ ପଛଚକା ଦୁଇଟି ଇଞ୍ଜିନ ସହିତ ଜଡ଼ିତ । ଏହି ପ୍ରକ୍ରିୟା ନିମନ୍ତେ ସମୟ ଲାଗେ ମାତ୍ର ୧୫ ସେକେଣ୍ଡ । ତା’ପରେ ଗାଡ଼ିଟି ୨୧ଜଣ ଯାତ୍ରୀଙ୍କ ସହିତ ଟ୍ରେନଲାଇନରେ ଘଣ୍ଟା ପ୍ରତି ୬୦ କି.ମି. ଏବଂ ରାସ୍ତାରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ଗତି କରିପାରେ । ଡିଜେଲ୍ ଚାଳିତ ଏହି ଯାନଟି (ବିଖ୍ୟାତ ଟୋୟୋଟା କମ୍ପାନୀ ନିର୍ମିତ) ୭୫% ପର୍ଯ୍ୟନ୍ତ ଇନ୍ଧନ ବଞ୍ଚାଇବାରେ ସକ୍ଷମ ଏବଂ ମରାମତି ଖର୍ଚ୍ଚ ସାଶ୍ରୟୀ, ତେଣୁ ଯାତ୍ରୀ ପରିବହନ ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ୍ ହୋଇଥିବ । ଜାପାନ ଦେଶର ଦକ୍ଷିଣ ପ୍ରାନ୍ତର ସମୁଦ୍ର ତଟାଞ୍ଚଳ ସିକୋକୁ ପ୍ରଦେଶରେ ବିଶ୍ଵରେ ୧ମ ପଦାର୍ପଣ କରିଥିବା ଏହି ଉଭୟଚର ଯାନ (ଯାହାକୁ ଜାପାନରେ dual mode vehicle – DMV, ଦୁଇ ପ୍ରକାର ପ୍ରଣାଳୀରେ ଚାଲି ପାରୁଥିବା) ଜାପାନର ଅପେକ୍ଷାକୃତ ଅଳ୍ପୋନ୍ନତ (ଯେଉଁ ଅଞ୍ଚଳରେ ମିଶ୍ରିତ ଭାଵେ ରେଳ ଲାଇନ କିମ୍ବା ରାସ୍ତାର ବିକାଶ ହୋଇପାରିଛି) ସମୁଦ୍ର ତଟାଞ୍ଚଳରେ ଯାତାୟତର ସୁବିଧା ଯୋଗାଇ ଦେଉଛି । ବର୍ତ୍ତମାନ ଅଳ୍ପ କିଛି ସଂଖ୍ୟାରେ ଉପଲବ୍ଧ ଏହି ଯାନଗୁଡିକ ଜାପାନର ସିକୋକୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ବୟସ୍କ ବାସିନ୍ଦାମାନଙ୍କ ନିମନ୍ତେ ବରଦାନ ସଦୃଶ ହୋଇଛି ଏବଂ ସେ ଅଞ୍ଚଳରେ ଓ ସେମାନଙ୍କର ଯାତାୟତରେ ବିପ୍ଳବ ଆଣିଦେବାର ଆଶା କରାଯାଉଛି । ୨୦୨୦ରେ ଜାପାନର ତୋକୁସୀମା ଓ କୋଚି ମଧ୍ୟରେ ଏହି ଯାନର ପରୀକ୍ଷାମୂଳକ ଯାତାୟାତ ଆରମ୍ଭ କରାଯାଇଥିଲା । ଏହା ବର୍ତ୍ତମାନ ଜାପାନର ଦକ୍ଷିଣସ୍ଥ ସମୁଦ୍ର ତଟବର୍ତ୍ତୀ ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳକୁ ପରସ୍ପର ଯୋଡିବା ସହିତ ସମୁଦ୍ର ତଟବର୍ତ୍ତୀ ଦୃଶ୍ୟ ସବୁ ଦେଖାଇବାରେ ସାହାଯ୍ୟ କରିପାରୁଛି । ଜାପାନର “ଆଶା କୋଷ୍ଟ ରେଲୱେ”ର ସିଇଓ ତଥା “କାଇଓ”, ସହରର ମେୟର ସେଗେକି ମ୍ୟୁରା କହିଛନ୍ତି, କାଇଓ ଭଳି ଛୋଟ ସହର ଗୁଡିକରେ ଯୋଉଠି ସ୍ଥାନୀୟ  ପରିବହନ କମ୍ପାନୀଗୁଡିକ ତିଷ୍ଠି ପାରୁନାହାନ୍ତି ଏହି ଯାନଗୁଡିକ ଅତୀବ ସହାୟକ ହେବ । କାଇଓର ସ୍ଥାନୀୟ ବାସିନ୍ଦାମାନଙ୍କ ମତରେ ଏହି ଯାନଗୁଡିକ ନିକଟସ୍ଥ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଯାତାୟତରେ ସହାୟତା କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଗତିରେ ସହାୟକ ହେବ ।ଏହି ଯାନଗୁଡିକର ଉଦ୍ଘାଟନ ଅବସରରେ ତୋକୁସୀମା ଗଭର୍ଣ୍ଣର କାମଳ ଲିଜୁମୀ କହିଛନ୍ତି, “ଏହା ମାଧ୍ୟମରେ ଜାପାନ ଅବଶିଷ୍ଟ ପୃଥିବୀକୁ ଆଶା ଓ ସ୍ୱପ୍ନ ଦେବାକୁ ଚାହେଁ ।” ଅନେକ ବର୍ଷ ହେଲା ଏହି ଯାନ ପ୍ରକଳ୍ପର  ପରୀକ୍ଷା ନିରୀକ୍ଷା ଚାଲିଥିଲା ।୨୦୨୦ ଟୋକିଓ ଅଲିମ୍ପିକ ସମୟରେ ଏହି ଦ୍ଵି-ପ୍ରକାର ଯାନର ଶୁଭାରମ୍ଭର ପ୍ରସ୍ତାବ ଥିଲା, ମାତ୍ର ଶେଷସୁଦ୍ଧା ନିର୍ଣ୍ଣାୟକ ପରୀକ୍ଷା ସରି ନଥିବାରୁ ସ୍ଥଗିତ ଥିଲା । ଆପଣମାନେ ତ ରୋଡ୍ ଟ୍ରେନ୍ ଦେଖି ସାରିଛନ୍ତି, ଅତଏବ ଏହି ଉଭୟଚର ଗାଡ଼ିକୁ “ରେଲବସ୍”, କହିଲେ ଯୁକ୍ତିଯୁକ୍ତ ହେବ ବୋଲି ମୋର ବ୍ୟକ୍ତିଗତ ମତ । ଆଗାମୀ ଦିନରେ ଆମ ଦେଶରେ ମଧ୍ୟ ଏହି ରେଲବସ୍ ର ପ୍ରଚଳନ ହେବାର ଆଶା କରୁଛି । ନାଁ କ’ଣ କହୁଛନ୍ତି ଆପଣମାନେ ?

ଲେଖକ – ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯