ରେଡକ୍ରସ ପାଣ୍ଠିରୁ ବରିଷ୍ଠ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୌଦ୍ଧ ଜିଲା ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ସତୀଶ ଚନ୍ଦ୍ର ପଟ୍ଟନାୟକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଶ୍ରୀ ପଟ୍ଟନୟକ ବର୍ତ୍ତମାନ ୯୨ବର୍ଷରେ ଉପନିତ ହୋଇ ଥିବାବେଳେ ଅନେକ ସମସ୍ୟା ଦେଇ ତାଙ୍କ ପରିବାର ଗତି କରୁଛି । ଶାରିରୀକ ଅସୁସ୍ଥତା ସହିତ ଚିକିତ୍ସା ପାଇଁ ମଧ୍ୟ ତାଙ୍କ ପାଖରେ ଆବଶ୍ୟକୀୟ ସମ୍ବଳ ଅଭାବ ରହିଥିବା ବେଳେ ଜିଲା ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଶ୍ରୀ ପଟ୍ଟନାୟକଙ୍କ ପାଇଁ ମାସିକ ୫ଶହ ଟଙ୍କା ପେନଶନର ବ୍ୟବସ୍ଥା କରାଯାଇଛି । ହେଲେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଏ ସଂପର୍କରେ ଜିଲା ସାମ୍ବାଦିକ ସଂଘପକ୍ଷରୁ ଲିଖିତ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସାମ୍ବାଦିକ ଶ୍ରୀ ପଟ୍ଟନାୟକଙ୍କୁ  କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା । ଜିଲାପାଳ ଶ୍ରୀ ମିଶ୍ର ସାମ୍ବାଦିକ ସଂଘ ପକ୍ଷରୁ ଲିଖିତ ଆବେଦନ ପାଇବାପରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବା ସହିତ ଜିଲା ରେଡକ୍ରସ ପାଣ୍ଠିରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପଟ୍ଟନାୟକଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଅନୁମୋଦନ କରିଥିଲେ । ଜିଲା ଜରୂରୀକାଳୀନ ଅଧିକାରୀ ଅବିନାଶ ପାଣ୍ଡିଆ ଏ ସଂପର୍କରେ ଜିଲା ସାମ୍ବାଦିକ ସଂଘକୁ ସୂଚନା ଦେବା ସହିତ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି କୁମାର ଧରୁଆ, ଜିଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ,ଜରୂରୀ ବିଭାଗ କର୍ମଚାରୀ ଶିବ ଦଳବେହେରା ଓ ଜିଲା ସାମ୍ବାଦିକ ସଂଘର ସମ୍ପାଦକ ଶଶାଙ୍କ ଶେଖର ମିଶ୍ର ବରିଷ୍ଠ ସାମ୍ବାଦିକ ଶ୍ରୀ ପଟ୍ଟନାୟଙ୍କ ଘରକୁ ଯାଇ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଜିଲା ପ୍ରଶାସନ ପକ୍ଷରୁ ଏହି ସହଯୋଗ ପାଇଁ ଜିଲାସାମ୍ବାଦିକ ସଂଘ ପକ୍ଷରୁ  ଜିଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା