ରାଜରାସ୍ତାକୁ ନଯିବାକୁ ଆନ୍ଦୋଳନରତ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ:

ଭୁବନେଶ୍ୱର: ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ଶିକ୍ଷକମାନେ ଆଲୋଚନାକୁ ନଆସି ବାରମ୍ବାର ରାଜରାସ୍ତାକୁ ବାଛୁଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ ଘୋର ବାଧା ସୃଷ୍ଟି ହେଉଛି, ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ବିଧାନସଭାରେ ଶିକ୍ଷକଙ୍କ ସମସ୍ୟା ନେଇ ଆସିଥିବା ମୁଲତବି ପ୍ରସ୍ତାବର ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା ଯେତେବେଳେ ଲାଗି ରହିଥିଲା ସେତେବେଳରୁ ଏପର୍ଯ୍ୟନ୍ତ ସରକାର ସବୁବେଳେ ଶିକ୍ଷକଙ୍କ ଦାବି ପୂରଣ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଶିକ୍ଷା ବ୍ୟବସ୍ଥାକୁ
ଶାଣିତ ଓ ଶିକ୍ଷକ କର୍ମଚାରୀଙ୍କ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ବିଜୁ ପଟ୍ଟନାୟକ। ତାଙ୍କ ମନ୍ତ୍ରିତ୍ୱକାଳରେ ସରକାର ୧୯୯୧ରେ ବେସରକାରୀ ଅନୁଦାନପ୍ରାପ୍ତ ୫୦୨୦ଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ୨୯୨୯ଟି ହାଇସ୍କୁଲକୁ ସରକାରୀ କରାଯାଇଥିଲା। ଯାହାକି ଶିକ୍ଷା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଏହାବ୍ୟତୀତ ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ନୂତନ ଗ୍ରାଣ୍ଟ ଇନ୍‍ ଏଡ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ୧୦୦ ପ୍ରତିଶତ ଅନୁଦାନ ପାଉଥିବା କର୍ମଚାରୀମାନେ ଦରମା ସହିତ ଗ୍ରେଡ ପେ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ପାଇପାରିବେ। ଏହାସହିତ ଯୋଗ୍ୟତା ଦିନଠାରୁ ନୋସନାଲ ଫିକ୍ସେସନ୍‍, ୱାଲ ନୋଟିସ୍‍ ସମ୍ପର୍କରେ ବିହୀତ ଆଦେଶ ନିର୍ଗମନ ଓ ଇପିଏଫ୍‍ ସାଙ୍ଗକୁ ଏକ୍ସଗ୍ରାସିଆ ସୁବିଧା ପ୍ରଦାନ କରାଯାଇଛି। ଏସବୁ ସତ୍ତ୍ବେ ଯଦି ଶିକ୍ଷକମାନେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବେ ରାଜରାସ୍ତାକୁ ବାଛିବେ ତେବେ କ’ଣ କରାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରରେ କହିଥିଲେ। ବିଧାନସଭାରେ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତର ପଢ଼ିବାବେଳେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା।