ଶିକ୍ଷକ ସମସ୍ୟାର ସରକାର କରିବେ ଆଲୋଚନା

ଭୁବନେଶ୍ୱର: ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା, ବିଦ୍ୟାଳୟର ଅବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ମୁଲତବି ପ୍ରସ୍ତାବ ଓ ଶାସକଦଳ ସଭ୍ୟ ସମୀର ରଞ୍ଜନ ଦାସଙ୍କ ସହିତ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ଆସିଥିବା ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଆଲୋଚନାବେଳେ ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ହୁଲ୍‍ସ୍ତୁଲ ହୋଇ ଉଠିଥିଲା। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧୨ଟା ୫୪ ପର୍ଯ୍ୟନ୍ତ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଗୃହ ମଧ୍ୟଭାଗକୁ ଆସି ରୁଲିଂ ଦାବି କରିଥିଲେ। ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମାତ୍ର ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗ ଉପରେ ରୁଲିଂ ଦେବେନାହିଁ ବୋଲି ରୋକ୍‍ଠୋକ୍‍ ମନା କରି ଦେଇଥିଲେ।
ମାତ୍ର ଅପରାହ୍ନ ୩ଟାରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପୁନଶ୍ଚ ଶିକ୍ଷକଙ୍କ ଦାବି ସମ୍ପର୍କରେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତି ଶ୍ରୀ ଅମାତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ
ଶ୍ରୀ ବାହିନୀପତି ସିଧାସଳଖ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଯେପର୍ଯ୍ୟନ୍ତ ଶିକ୍ଷକଙ୍କ ସମସ୍ୟା ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ। ବାଚସ୍ପତି ଗୃହ ସ୍ୱାଭାବିକ କରିବା ପାଇଁ ସଦସ୍ୟଙ୍କ ସହଯୋଗ ଲୋଡିଥିଲେ ବି ତାହା ସମ୍ଭବ ହୋଇନଥିଲା। ତିନୋଟି ପର୍ଯ୍ୟାୟରେ ଗୃହକୁ ଦେଢ଼ଘଣ୍ଟା ମୁଲତବି କରାଯିବା ପରେ ସହ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ପରେ ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ସରକାର ଆଲୋଚନା କରିବାକୁ ବାଚସ୍ପତି ଶ୍ରୀ ଅମାତ ରୁଲିଂ ଦେଇଥିଲେ। ଅପରାହ୍ନ ୪ଟା ୩୮ବେଳକୁ ଗୃହ ସ୍ୱାଭାବିକ ହୋଇଥିଲା।
ପୂର୍ବାହ୍ନରେ ଶିକ୍ଷକଙ୍କ ସମସ୍ୟା ଆଗତ ମୁଲତବି ପ୍ରସ୍ତାବ ଉପରେ ଆଲୋଚନାରେ ଭାଗନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଓଡ଼ିଶାରେ ଶିକ୍ଷା ଅଧିକାର ନିୟମ କାର୍ଯ୍ୟକାରୀ ହେଉନାହିଁ। ଶିକ୍ଷା କହିଲେ ଉତ୍ତମ ଶିକ୍ଷାକୁ ବୁଝାଏ। ଉତ୍ତମ ଶିକ୍ଷା ସେତିକି ବେଳେ ସମ୍ଭବ ଯେତେବେଳେ ଶିକ୍ଷକଙ୍କୁ ଉପଯୁକ୍ତ ଦରମା ମିଳିବ। ମାତ୍ର ଓଡ଼ିଶାରେ ଶିକ୍ଷା ସହାୟକ, ଜିଲା ପରିଷଦ ଶିକ୍ଷକ, ଠିକା ଶିକ୍ଷକଙ୍କ ଭଳି ବହୁ ପ୍ରକାର ଶିକ୍ଷକ ତିଆରି ହୋଇଛନ୍ତି। ତେବେ ଶିକ୍ଷକମାନେ ନିଜର ମୌଳିକ ଅଧିକାର କ’ଣ ବୁଝନ୍ତି ନାହିଁ କି ଛାତ୍ରଛାତ୍ରୀଙ୍କ ଅଧିକାର କ’ଣ ଜାଣନ୍ତି ନାହିଁ। ବିନା ଶିକ୍ଷାରେ ରାଜ୍ୟର ବିକାଶ ପରିକଳ୍ପନା କରିବା ଅସମ୍ଭବ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବାବେଳେ ଶିକ୍ଷକଙ୍କ ସମସ୍ୟା ସମାଧାନ ନେଇ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହିତ ରୁଲିଂ ଦାବି କରିଥିଲେ। ଏହି ଆଲୋଚନାରେ ସଦସ୍ୟ ଅଂଶୁମାନ ମହାନ୍ତି, ବିଭୂତି ଭୂଷଣ ହରିଚନ୍ଦନ, ଡ. ପ୍ରଫୁଲ୍ଲ ମାଝୀ, ରବିନାରାୟଣ ନାୟକ, ପ୍ରଦୀପ ପୁରୋହିତ ଏବଂ ସମୀର ରଞ୍ଜନ ଦାସଙ୍କ ସହିତ ମହେଶ ସାହୁ, କ୍ୟାପଟେନ୍‍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଭାଗ ନେଇଥିଲେ।