ଯାନବାହନର ଆଶ୍ରୟସ୍ଥଳ କଣ ବଡବଜାର ପୋଲ : ପ୍ରଶାସନ ନିରବଦ୍ରଷ୍ଟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରୁ ପଶ୍ଚିମବଂଗ ଲମ୍ବିଯାଇଥିବା ଓଟି ରୋଡର ଜଳେଶ୍ୱର, ବଡବଜାରସ୍ଥିତ ପୋଲ ଏବେ ଯାନବାହନ ଗୁଡିକର ପାର୍କି ଓ ବୁଲା ଗୋରୁ, ଗାଈ,ଷଣ୍ଢଙ୍କର ବାସସ୍ଥଳି ପାଲଟିଛି । ଫଳରେ ସେଠାରେ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି ।କିନ୍ତୁ ଏପରି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଘଟଣାରେ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଛି । ୬୦ନଂ ଜାତୀୟ ରାଜପଥର ଚାଲନ୍ତିଠାରୁ ପଶ୍ଚିମବଂଗର ଦାନ୍ତୁନ ଥାନା ଘୋଳେଇବାଙ୍କ ପର୍ଯ୍ୟନ୍ତ ଓଟି ରୋଡ ଲମ୍ବି ଯାଇଛି । ଏହି ରାସ୍ତାଦେଇ ଶହ ଶହ ବାଇକ୍, କାର୍, ଟ୍ରକ୍, ବସ୍ ଯାତାୟାତ କରିଥାଏ, ଏହା ବ୍ୟତିତ ଜଳେଶ୍ୱରରୁ ବାଟଗ୍ରାମ-ଚନ୍ଦନେଶ୍ୱର-ଦୀଘା, କିମ୍ବା ମୋହନପୁର, କାନ୍ଥିକୁ ମଧ୍ୟ ଏହି ରୋଡରେ ଯାନଗୁଡିକ ଯାତାୟାତ କରିଥାଏ । କିନ୍ତୁ ଏହି ରାସ୍ତାର ବଡବଜାର ସ୍ଥିତ ଇଂରେଜ ଅମଳର ଏକ ପୋଲ ସଂକିର୍ଣ୍ଣଥିବାରୁ ୨ଟି ଯାନ ଯାତାୟାତ କରିପାରୁନଥିଲା । ଅନ୍ୟପକ୍ଷରେ ପୋଲଟିର କିଛିଅଂଶ ଝଡିଯାଇଥିବାରୁ ସେଠାରେ ୯୦ମିଟର ଲମ୍ବର ଏକ ପୋଲ ନିର୍ମାଣ କରାଯାଇଛି । ଏବେ ଏହି ପୋଲ ଉପରେ ବହୁ ଯାନବାହନ ପାର୍କି କରିବା ସହିତ ଗୋରୁ, ଗାଈ, ଛେଳି, ଷଣ୍ଢଙ୍କ ବାସସ୍ତଳି ପାଲଟିଛି । ଏହା ହେବା ଫଳରେ ରାସ୍ତାଟି ସଂକୁଚିତ ହେବା ସହିତ ଦୁର୍ଘଟଣାମାନ ଘଟୁଛି । ପ୍ରକାଶଯୋଗ୍ୟ କିଛିଦିନ ପୂର୍ବରୁ ଏକ ଗାଈର ପିଲା ଜନ୍ମ ହେବା ସହିତ ରାସ୍ତାଟି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏପରି ଘଟଣାରେ ଅତୀତରେ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ତତ୍ାକଳୀନ ଆଇଆଇସି ଓ ପରେ ଏସ୍ଡିପିଓ ସୁଦର୍ଶନ ଦାସଙ୍କୁ ଲିଖିତଭାବେ ଜଣାଇ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରତିକାର କରାଯାଇନାହିଁ । ସୋମବାର ଦିନ ଏହି ପୋଲରେ ସାଧାରଣଭାବେ ଯାତାୟାତ କରିବା କଷ୍ଟସାଧ୍ୟ ହେଉଛି । ପ୍ରକାଶଯୋଗ୍ୟେ ପୋଲଟି ଅଧିକ ଉଚ୍ଚ ହୋଇଥିବା ବେଳେ ୨ପଟ ରାସ୍ତା ଗଡାଣି ରହିଛି । ପୁଣି ବଡବଜାରଛକ ଠାରେ ୩ ଦିଗକୁ ରାସ୍ତା ରହିଥିବାରୁ ଯେ କୌଣସି ସମୟରେ ବଡ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ଏବେ ଜଳେଶ୍ୱରରେ ନୂତନ ଏସ୍ଡିପିଓ ଅଂକିତା କୁମ୍ଭାର ଓ ଆଇଆଇସି ଧନେଶ୍ୱର ସାହୁ ଏବଂ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଯୋଗ ଦେଇଥିବାରୁ ଏପରି ଏକ ସମବେଦନଶୀଳ ଘଟଣାର ସମାଧାନ ହୋଇ ପାରିବ ବୋଲି ଜଳେଶ୍ୱର ବାସୀ ଆଶା ବାନ୍ଧିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା