ମୌସୁମୀ ଆସିଲା : ଚାଷୀଙ୍କୁ ବିହନ ନୋଇଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଏକ କୃଷି ବହୁଳ ଅଞ୍ଚଳ ଭାବେ ପରିଚିତ । ତେଣୁ ଏହାକୁ ଜିଲାର ଭାତହାଣ୍ଡି ବୋଲି କହୁଯାଏ । ଚଳିତବର୍ଷ ପ୍ରତିକୂଳ ପାଗ ଯୋଗୁଁ ଉତ୍ତର ବାଲେଶ୍ୱରରେ ଚାଷୀମାନେ ଖରିଫ ଧାନଚାଷ ଲାଗି ଖରାଟିଆ ବୁଣାବୁଣି କରିନାହାନ୍ତି । ତେଣୁ ରଜ ପରେ ମୌସୁମୀ ବର୍ଷା ହେଲେ କାଦୁଅ ଧାନ ତଳି ପକାଇବେ । ପ୍ରତିକୂଳ ପାଗରେ ଚାଷୀମାନେ ରବିଧାନ ସଂଗ୍ରହ କରି ଅଭାବି ବିକ୍ରୀର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ନିକଟରେ ବିକଳ୍ପ ନଥିବାରୁ ଏବେ ପୁଣି ଖରିଫ ଫସଲ ଲାଗି ସଜବାଜ ହେଲେଣି । ଏଣେ ସେବାସମବାୟ ସମିତିରେ ଧାନ ବିକ୍ରି କରିପାରୁନଥିବା ବେଳେ ସେମାନଙ୍କ ନିକଟରେ ଖରିଫ ଫସଲ ଲାଗି ବିହନ ନାହିଁ । ଜଳେଶ୍ୱର ବ୍ଲକରେ ୨୩୧୦୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ଲାଗି ଧାର୍ଯ୍ୟ ହୋଇଛି । ସେଥିଲାଗି ୧୭ ହଜାର କ୍ୟୁଣ୍ଟାଲ ବିହନ ଆବଶ୍ୟକ ହେବ । କୃଷି ବିଭାଗ ପକ୍ଷରୁ ଜଳେଶ୍ୱରକୁ ୩୨୦୦ କ୍ୟୁଣ୍ଟଲ ଧାନ ବିହନ ମଗା ଯାଇଛି । ଓଡିଶା ବିହନ ନିଗମ ଜଳେଶ୍ୱରକୁ ୮ଟି ଏଜେଣ୍ଟ ମାଧ୍ୟମରେ ୫୩୫ ମ୍ୟୁଣ୍ଟାଲ ବିହନ ଯୋଗାଇଛନ୍ତି । ତେଣୁ ଜଳେଶ୍ୱରରେ ବିହନର ଘୋର ଅଭାବ ଦେଖାଯିବାର ସମ୍ଭାବନ ରହିଛି । ଏହି ସୁଯୋଗରେ ଦଲାଲମାନେ ବାହାର ରାଜ୍ୟର ଧାନ ବିହନ ବିକ୍ରି କରିବାରେ ଲାଗି ପଡିଛନ୍ତି । ବିହନ ନିଗମର ଧାନ ବିହନ କ୍ୟୁଣ୍ଟଲ ପ୍ରତି ୧୯୫୦ରୁ ୨୨୫୦ ଟଙ୍କା ମଧ୍ୟରେ ଥିବାବେଳେ କୃଷକମାନେ ବାଧ୍ୟ ହୋଇ ବାହାର ରାଜ୍ୟର ଧାନ ବିହନ କ୍ୟୁଣ୍ଟଲ ପ୍ରତି ୬୦୦୦ରୁ ୧୦୦୦୦ ହଜାର ଟଙ୍କା ମଧ୍ୟରେ କିଣୁଛନ୍ତି । ସେ ସବୁ ଧାନ ଚାଷର ପ୍ରଣାଳୀ ଓ ରୋଗ, ପୋକ ନିରାକରଣ ସଂପର୍କରେ ଚାଷୀମାନେ ଅଜ୍ଞ ଅଛନ୍ତିି । ଗତ ବର୍ଷ ଦଲାଲ ମାନଙ୍କ ପ୍ରଲୋଭନରେ ପଡି ବହୁ ଚାଷୀ ଅଳ୍ପମିଆଦି ପ୍ରିମିୟମ ସ୍ୱର୍ଣ୍ଣ ଧାନ ଚାଷ କରି କ୍ଷତିର ସମ୍ମୁଖୀନ ହୋଇଥିଲେ । କାରଣ ଧାନ ରୁଇବା କ୍ଷଣି କେଣ୍ଡା ବାହାରିବା ଆରମ୍ଭ ହୋଇଥିଲା । ଏହାର ପ୍ରତିକାର ଲାଗି କୃଷି ବିଭାଗ ପାଖରେ କୌଣସି ବିକଳ୍ପ ନ ଥିଲା । ବହୁ ସମୟରେ କୃଷକମାନେ ବାହାର ରାଜ୍ୟର ବିହନ ବ୍ୟବହାର କରିବା ପୂର୍ବରୁ କୃଷି ବିଭାଗ ସହିତ ସମ୍ପର୍କ ରଖୁନଥିବା ଯୋଗୁଁ ଏପରି କ୍ଷତିର ଶୀକାର ହେଉଥିବା ଜଣେ କୃଷି କର୍ମଚାରୀ କହିଛନ୍ତି । କୃଷକମାନେ ପାରମ୍ପରିକ ଚାଷରେ ବେଶ୍ ଧୂରନ୍ଦର ଥିବା ବେଳେ କଖୁରିଆ, ମୁଗି, ପାଟିଣି, ଧୂଳିଆ, ଭୁତିଆ, ଖାଟିଆ ଭଳି ପାରମ୍ପାରିକ ଧାନ ଚାଷକୁ ଭୁଲି ଗଲେଣି । ଏବେ ସ୍ୱଳ୍ପ ମିଆଦି ଅଧିକ ଅମଳକ୍ଷମ ଧାନ ଚାଷ କରୁଥିବାରୁ ସେମାନଙ୍କୁ ସେହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଆବଶ୍ୟକ ହୋଇଛି । ତେଣୁ ବାହାର ରାଜ୍ୟର ଦଲାଲ ମାନଙ୍କ ଦ୍ୱାରା ବିକ୍ରି ହେଉଥିବା ଧାନ ବିହନକୁ କିଣି ଯେପରି ଚାଷୀ କ୍ଷତିର ସମ୍ମୁଖୀନ ନ ହୁଏ ସେଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ ଉଠିଆ ଚାଷୀ ମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।