ଲକ୍ଷ୍ମଣନାଥ ସେବା ସମବାୟ ସମିତିର ଅଭାବି ଧାନ ବିକ୍ର ସଂପର୍କରେ ବିକ୍ଷୋଭ ଓ ଜିଲାପାଳଙ୍କୁ ଦାବୀପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ଥିବା ୧୯ଟି ସେବା ସମବାୟ ସମିତିରେ ଧାନ ବିକ୍ରିକୁ ନେଇ ବିବାଦ ଥମିବାରେ ନାମ ଧରୁନାହିଁ । ଆଜି ଶୁକ୍ରବାର ଲକ୍ଷ୍ମଣନାଥ ସେବା ସମବାୟ ସମିତିରେ ଚାଷୀମାନେ ଅଭାବି ଧାନ ବିକ୍ରିକୁ ନେଇ ବିକ୍ଷୋଭ କରାଯିବା ସହିତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଟୋକନ ପାଇଥିବା ସମସ୍ତ ଚାଷୀଙ୍କୁ ଠାରୁ ଧାନ କ୍ରୟ କରିବା, ସବୁ ଚାଷୀଙ୍କୁ ଟୋକେନ୍ ପ୍ରଦାନ କରିବା, ଅଖାର ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରିବା, ଟୋକନ୍ ପରିମାଣ ଅନୁଯାୟୀ ଧାନ କିଣାଯିବା, ଟୋକନ୍ ଅବଧି ୧୨ ଦିନ ପରିବର୍ତ୍ତେ ୧ ମାସ କରାଯିବା, କଟନି ଛଟନି ବନ୍ଦ କରିବା ପ୍ରଭୃତି ଦାବି ଦେଇ ବହୁ ଚାଷୀ ସମିତି ସମ୍ମୁଖରେ ସକାଳ ୭ଟାରୁ ବସିଛନ୍ତି । ଏ ସମ୍ପର୍କରେ ଜିଲାପାଳଙ୍କୁ ଏକ ଦାବିପତ୍ର ସମ୍ପାଦକଙ୍କ ମଧ୍ୟମରେ ପ୍ରଦାନ କରାଯାଇଛି । ଆଜିର ଏହି ବିକ୍ଷୋଭରେ ସୁଦାମ ଚରଣ ପାତ୍ର, ତ୍ରିଲୋଚନ ଦାସ ଅଧିକାରୀ, ପଂଚାନନ ଗିରି, ସୁଦର୍ଶନ ପାତ୍ର, କୃଷ୍ଣଚନ୍ଦ୍ର ଗିରି, ଅନନ୍ତ ଦାସ ଅଧିକାରୀ, ସଜୟ ପାତ୍ର, ବ୍ରଜଗୋପାଳ ଦାସ, ସଂଜୟ ଗିରି, ସମର ବଲ୍ଲଭ ଗିରି, ଗୌରହରି ସେନାପତି, କେଦାର ନାଥ ଜେନା, ଅଶୋକ ଗିରି, ଅନାଦୀରଂଜନ ଦାସ, ମଧୁସୂଦନ ଦାସ, ଝାଡେଶ୍ୱର ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ଧାରଣାରେ ବସିଥିଲେ ମଧ୍ୟ କୌଣସି ପଦାଧିକାରୀ ଆସିନଥିବା ଜଣାପଡିଛି ।