ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ : କେନ୍ଦୁପତ୍ର କର୍ମଚାରୀ ସଂଘର ଅସନ୍ତୋଷ…

ପଦ୍ମପୁର (ସମୃଦ୍ଧ ଓଡିଶା) ଲକଡାଉନ ସମୟରେ କୌଣସି ଶିଳ୍ପ ସଂସ୍ଥାରେ କାହାକୁ ଜଣକୁ ମଧ୍ୟ ଛଟେଇ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଥିଲେ । ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୨ ହଜାର ସିଜିନାଲ କର୍ମଚାରୀ ମୁନସୀ, ଚପରାସୀ ଓ ସେକସନ ୱାଚରମାନଙ୍କୁ ଛଟେଇ କରାଯିବା ଘଟଣା ଗତ କିଛି ଦିନ ସାରା ରାଜ୍ୟରେ ଚର୍ଚ୍ଚା ପାଲଟି ଥିଲା । ପୂର୍ବତନ ବିଧାୟକ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ଏ ସମସ୍ୟା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଆକର୍ଷଣ କଲାପରେ କେନ୍ଦୁପତ୍ର ଶ୍ରମିକମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁନସୀ, ଚପରାସୀଙ୍କ ଛଟେଇ ବନ୍ଦ ହେବା ସହ, ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ଓ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ସାମାଜିକ ମଙ୍ଗଳ ପାଣ୍ଠି ବଳବତ୍ତର ରହିଲା । ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇକମାଲ ଠାରେ ଅନୁଷ୍ଠିତ ହୋଇଥିଲା । ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପୂର୍ବତନ ବିଧାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଓଡିଶାରେ ୩୦ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟରତ ୪ ଶହ ଜଣ ସେକସନ ଚେକରଙ୍କୁ ଛଟେଇ କରାଯାଇଥିବା ଏବଂ କୁଶଳୀ କର୍ମଚାରୀର ମଜୁରୀ ପାଉଥିବା ସିଜି ୱାଚର ୪ଶହ ଜଣଙ୍କ ଠାରୁ ସେମାନଙ୍କ ମଜୁରୀ ଟଙ୍କାରୁ ବତ୍ତର୍ମାନ ରିକୋଭରୀ କରାଯାଉଥିବାରୁ ବୈଠକରେ ସଂଘର ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରା ଯାଇ ଥିବାରୁ ପୁଣି ଥରେ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ସଂଘର ନେତା ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସଂପାଦକ କୋକିଳ ସାହୁ, ଅରମାନ ଖାଁ, ଚୁଡାମଣି ପାଣିଗ୍ରାହୀ, ମହେନ୍ଦ୍ର ପ୍ରଧାନ, ଋଷବ ପ୍ରଧାନ, ବଂଶିଧର ପ୍ରଧାନ, ପଚାନନ ପ୍ରଧାନ,ପାରେଶ୍ବର ପାତ୍ର, ଖେତ କୁମାର ବିଭାର, ହରିହର ପାଣ୍ତେ, ରାମଚନ୍ଦ୍ର ସାହୁ, ଗୁଣନିଧି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ