‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନ ଆରମ୍ଭ ହେଲା

ଭୁବନେଶ୍ୱର: ତୃଣମୂଳସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ନୂଆ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି। ଯୁବଗୋଷ୍ଠୀଙ୍କୁ ସମାଜର ପ୍ରକୃତ ପ୍ରେରଣାର ଉତ୍ସ ବୋଲି ସମ୍ବୋଧନ କରିବା ସହ ଓଡିଶାର ପ୍ରଗତିରେ ମୁଖ୍ୟ ଭୂମିକା ନେବା ପାଇଁ ଏହି ଅବସରରେ ସେ ଆହ୍ଵାନ କରିଛନ୍ତି।ସୋମବାର ଅପରାହ୍ଣରେ କଟକ ଜବାହରଲାଲ ନେହରୁ ଇନ୍‍ଡୋର ଷ୍ଟାଡିୟମ୍‍ଠାରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ବୀରପୁରୁଷଙ୍କ ମାଟି ହେଉଛି ଓଡ଼ିଶା । ଓଡିଶାର ବୀର ସନ୍ତାନମାନେ ସଂଗ୍ରାମ କରି ରାଜ୍ୟର ନାମକୁ ଉଚ୍ଚା କରିଛନ୍ତି। ସ୍ୱାଭିମାନ ଓଡ଼ିଶାରେ ଦକ୍ଷତାସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଅଭାବ ନାହିଁ। ହେଲେ ଏହି ପ୍ରତିଭାଙ୍କୁ ସଠିକ ସମ୍ମାନ ମିଳୁନାହିଁ। ଗାଁ ମଲ୍ଲୀ ଗାଁରେ ଫୁଟି ମଉଳି ଯାଉଛି। ଏହି ଗାଁର ମଲ୍ଲୀମାନଙ୍କୁ ଖୋଜି ବାହାର କରି ହିରୋର ଆଖ୍ୟା ଦିଆଯିବ ଏବଂ ପୁରସ୍କୃତ ମଧ୍ୟ କରାଯିବ। ଏହି ଅଭିଯାନ ଦ୍ୱାରା ପ୍ରତ୍ୟେକ ଲୋକଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଚିହ୍ନଟ କରିବା ଓ ସ୍ୱୀକୃତି ଦେବା ଏହି ଯୋଜନାର ମୁଖ୍ୟଲକ୍ଷ୍ୟ ।ଏହି ଅବସରରେ ବିଜୁ ଯୁବ ବାହିନୀର ଏକ ସ୍ୱତନ୍ତ୍ର ୱେବ୍‍ସାଇଟ୍‍କୁ ସେ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଝିଲ୍ଲୀ ଦଳବେହେରା, ମହମ୍ମଦ ଜାଫର ଇକ୍‍ବାଲ, ମୁନି ଟିଗା, ନୀଳମାଧବ ବେହେରା, ସ୍ୱର୍ଣ୍ଣଲତା ଦଳାଇ, ମମତା ଦଳାଇଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିବା ସହିତ ମୁଁ ହିରୋ ‘ସିଗ୍‍ନେଚର ସଙ୍ଗୀତ’ର ଶୁଭ ଉନ୍ମୋଚନ କରିଥିଲେ।‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନରେ ସାମିଲ ହେବା ପାଇଁ www.bijuyuvavahini.com ୱେବସାଇଟ୍ ଦେଖନ୍ତୁ କିମ୍ବା ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ ବୋଲି ବିଜୁ ଯୁବ ବାହିନୀ ପକ୍ଷରୁ କୁହାଯାଇଛି ।