ମା’ ନିଜ ବାଙ୍କେଶ୍ଵରୀ ଓ ମା’ ମହୁରୀ କାଳୁଆ ପୀଠର ଆହୁରି ଉନ୍ନତି ହେବ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଦିଗପହଣ୍ଡି ବ୍ଲକର ମା’ ନିଜ ବାଙ୍କେଶ୍ଵରୀ ଓ କୁକୁଡାଖଣ୍ଡି ଜକର ମା’ ମହୁରୀ କାଳୁଆ ପୀଠ ଅନ୍ୟତମ I ନିର୍ବାଚନ ମଣ୍ଡଳୀ ପୁନଃର୍ଗଠନ ପରେ ଏହି ଉଭୟ ଶକ୍ତି ପୀଠ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଅଛି I ବାଙ୍କେଶ୍ଵରୀ ମନ୍ଦିର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି. ତୁରୁବୁଡି ପଞ୍ଚାୟତର କେରାଣ୍ଡି ମାଳ ପାହାଡ଼ ଶୀର୍ଷରେ ଅବସ୍ଥିତ I ମା’ ନିଜ ବାଙ୍କେଶ୍ଵରୀ ଦିଗପହଣ୍ଡି ବ୍ଲକ ତଥା ଗଂଜାମ ଜିଲ୍ଲା ଏବଂ ବ୍ରହ୍ମପୁର ମହାନଗରୀର ଅନେକ ଲୋକଙ୍କ ଇଷ୍ଟ ଦେବୀ ଅଟନ୍ତି I ଏହା ବ୍ୟତୀତ ନିଘଞ୍ଚ ବନରାଜି ଓ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ହୋଇଥିବା ଯୋଗୁଁ ଏଠାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ I ସେହିପରି ବ୍ରହ୍ମପୁର ମହାନଗରୀର ଅନତି ଦୂରରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅନନ୍ତେଇ ଓ ବଁଥପଲ୍ଲୀ ଗ୍ରାମ ମଧ୍ୟରେ ଅବସ୍ଥିତ ମହୁରୀ କାଳୁଆ ଶକ୍ତି ପୀଠ I ମହୁରୀ ରାଜାଙ୍କ ଇଷ୍ଟ ଦେବୀ ମା ମହୁରୀ କାଳୁଆ ବ୍ରହ୍ମପୁର ସହର ବାସୀଙ୍କ ସମେତ ଗଂଜାମ ଜିଲ୍ଲାର ଅନେକ ଲୋକଙ୍କ ଇଷ୍ଟ ଦେବୀ ଅଟନ୍ତି I ଏହି ଉଭୟ ଶକ୍ତିପୀଠକୁ ଓଡିଶା ପର୍ଯ୍ୟଟନ ମାନ ଚିତ୍ରରେ ସ୍ଥାନ ଦେବା ପାଇଁ ଡ଼ା. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ୱପ୍ନ ଥିଲା I ସେଥିପାଇଁ ସେ ନିରନ୍ତର ଚେଷ୍ଟା ବି କରି ଆସିଛନ୍ତି I ଗତ ଜୁନ ମାସ 14 ତାରିଖରେ ଏହି ଉଭୟ ଶକ୍ତିପୀଠର ଉନ୍ନତି କରଣ ପାଇଁ “Special Project Fund ” ରୁ ଅର୍ଥ ମଂଜୁର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ କଥା ଆଲୋଚନା କଲା ବେଳେ ବିଧାୟକ ପାତ୍ରଙ୍କ ପୁତ୍ର ଏହି ଉଭୟ ଶକ୍ତି ପିଠାକୁ Iconic Project ରୂପେ ଗଢି ତୋଳି ତାରାତାରିଣୀ ମନ୍ଦିର ଭଳି ଏହାର ଭିତ୍ତିଭୂମିର ଉନ୍ନତି କରିବା ସକାଶେ ଦାବି କରିଥିଲେ ବୋଲି ସେ ଜଣାଇଛନ୍ତି I ଉନ୍ନତ ମାନର ରାସ୍ତା ସହ ପାନୀୟ ଜଳ, ପ୍ରମୋଦ ଉଦ୍ୟାନ, ପାଇଖାନା, ରୋଷେଇ ଶାଳ, ବିଶ୍ରାମ କକ୍ଷ ଓ ପନ୍ଥାନିବାସ ଓ ଅନ୍ୟାନ୍ୟ ଅନୁସଙ୍ଗିକ ଭିତ୍ତଭୂମିର ବିକାଶକରିବା ପାଇଁ ନିରନ୍ତର ଭାବରେ ମୋ ଦାବି ଜାରି ରହିବ ବୋଲି ବିଧାୟକ ପାତ୍ରଙ୍କ ପୁତ୍ର କହିଛନ୍ତି I ପୁଣି ସେ କହିଛନ୍ତି ଯେ ରାଜନୀତିରେ ରହେ କି ନ ରହେ କିନ୍ତୁ ତାଙ୍କ ବାପାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ତାଙ୍କ ସହ ପୁତ୍ର ବିପ୍ଲବପାତ୍ର ଏହି ଉଭୟ ଶକ୍ତିପୀଠକୁ ଉନ୍ନତ କରି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏହି ଉଭୟ ଶକ୍ତିପୀଠକୁ ଗୁରୁତ୍ୱପୂର୍ଣ ସ୍ଥାନ ଦେବାପାଇଁ ସଂକଳ୍ପବଦ୍ଧ ଅଟନ୍ତି । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟାଳୟ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି| ତାଙ୍କର ଆଶା ଖୁବ ଶୀଘ୍ର ତାଙ୍କ ଦାବିକୁ ଗ୍ରହଣ କରାଯିବ ଏବଂ ଯଥା ଶୀଘ୍ର ଉଭୟ ପୀଠର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ରିପୋର୍ଟ : ନିମାଇ ଚରଣ ପଣ୍ଡା