ମଣିପୁର ସ୍ଥିତି ପରଖିବାକୁ ଆଜି I.N.D.I.A ଟିମର ୨୦ଜଣ ସାଂସଦ ଇମ୍ଫାଲ ଗସ୍ତ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଣିପୁଣ ହିଂସା, ସଂସଦରେ ତାତି, ନିର୍ବାଚନୀ ପ୍ରଚାର ମାହୋଲ ମଧ୍ୟରେ ମଣିପୁର ଗସ୍ତ କରିବେ ବିରୋଧୀ ମିଳିତ ମଞ୍ଚର ୨୦ଜଣ ସାଂସଦ। ଇଣ୍ଡିଆନ୍ ନ୍ୟାସନାଲ୍ ଇନକ୍ଲୁସିଭ୍ ଆଲାଏନ୍ସ(INDIA)ର ଏହି ୨୦ଜଣ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 29 ଏବଂ 30 ମଣିପୁର ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ଆକଳନ କରିବେ। ଏହି ପ୍ରତିନିଧି ଦଳରେ କଂଗ୍ରେସ ସାସଂଦ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଫୁଲୋ ଦେବୀ ନେତମ, କେ ସୁରେଶ, TMCର ସୁସ୍ମିତା ଦେବ, AAPରୁ ସୁଶୀଲ ଗୁପ୍ତା, ଶିବସେନାରୁ ଅରବିନ୍ଦ ସାୱନ୍ତ, DMKରୁ କନିମୋଜି କରୁଣାନିଧି, JD(U) ନେତା ରାଜୀବ ରଞ୍ଜନ ସିଂହ ଏବଂ ଅନୀଲ ପ୍ରସାଦ ହେଗଡେ, ସାନ୍ଦୋଶ କୁମାର(CPI), ଏନ୍ ରହୀମ(CPIM), ମନୋଜ କୁମାର ଝା(RJD), ଜାଭେଦ ଅଲି ଖାନ(ସମାଜବାଡି ପାର୍ଟୀ), ମହୁଆ ମାଜି (JMM), ପିପି ମହମ୍ମଦ ଫୈଜଲ(NCP), ଇଟି ମହମ୍ମଦ ବଶିର(IUML), ଏନ.କେ ପ୍ରେମଚନ୍ଦ୍ରନ(RSP), ଡି ରବିକୁମାର(VCK), ଥିରୁ ଥୋଲ ଥିରୁମାଭାଲଭାନ(VCK) ଏବଂ ଜୟନ୍ତ ସିଂ(RLD) ରହିଛନ୍ତି। ମଣିପୁର ଗସ୍ତ ରାଜନୈତିକ ପ୍ରସଙ୍ଗ ଉଠାଇବା ପାଇଁ ନୁହେଁ, ବରଂ ଲୋକଙ୍କ ଯନ୍ତ୍ରଣା ବୁଝିବାକୁ ଆମେ ସେଠାକୁ ଯାଉଛୁ ବୋଲି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସେ ଆହୁରି କହିଛନ୍ତି, “ମଣିପୁରରେ ସୃଷ୍ଟି ହୋଇଥିବା ସମ୍ବେଦନଶୀଳ ପରିସ୍ଥିତିର ସମାଧାନ ପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ। ଏହା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନୁହେଁ, ବରଂ ସେଠାରେ ସାମ୍ପ୍ରଦାୟିକ ହିଂସା ମଧ୍ୟ ଲାଗିରହିଛି। ଯାହାର ପ୍ରଭାବ ପଡୋଶୀ ରାଜ୍ୟ ଉପରେ ମଧ୍ୟ ପଡୁଛି। ସରକାର ତାଙ୍କ ଦାୟିତ୍ୱକୁ ଆଦୌ ପୂରଣ କରିନାହାଁନ୍ତି। ଆମେ ମଣିପୁରରେ ବାସ୍ତବ ପରିସ୍ଥିତିର ଆକଳନ କରିବାକୁ ଯାଉଛୁ।” କଂଗ୍ରେସ ସାଂସଦ ନାସିର ହୁସେନ୍‌ଙ୍କ ଅନୁଯାୟୀ, “I.N.D.I.A ସାଂସଦମାନେ ଶନିବାର ସକାଳେ ଦିଲ୍ଲୀରୁ ବାହାରିବେ। ଅପରାହ୍ନରେ ଇମ୍ଫାଲରେ ପହଞ୍ଚିବେ। ଏହାପରେ ସେମାନେ ରାଜ୍ୟର ପାର୍ବତ୍ୟ ଅଞ୍ଚଳ ତଥା ଉପତ୍ୟକାରେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ।” ଏହି ପ୍ରତିନିଧି ଦଳ ରବିବାର ମଣିପୁର ରାଜ୍ୟପାଳ ଅନୁସୟା ଉଇକିଙ୍କୁ ମଧ୍ୟ ଭେଟିବେ। ହୁସେନ୍‌ଙ୍କ ଅନୁଯାୟୀ ଏହି ଗସ୍ତ ପରେ ସାଂସଦମାନେ ସଂସଦରେ ଏକ ଆଲୋଚନା କରିବାକୁ ଚାହୁଁଛନ୍ତି। ଯଦି ଏନେଇ ସଂସଦରେ ଆଲୋଚନା ଅନୁମତି ନମିଳେ, ତେବେ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କଂଗ୍ରେସ ନେତା କହିଛନ୍ତି। ହୁସେନ୍‌ କହିଛନ୍ତି, ସଂସଦର ଚାଲିଥିବା ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ଆଲୋଚନା ନକରିବାକୁ କେନ୍ଦ୍ରର ବିଜେପି ସରକାର ଜିଦ୍‌ ଧରିଛନ୍ତି। ମଣିପୁରରେ ପ୍ରବଳ ହିଂସା, ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ଜାତିଗତ ବିବାଦ ଦେଖାଦେଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ରାଜ୍ୟବାସୀଙ୍କ ଦୁଃଖ ବୁଝିବା ପାଇଁ ସମୟ ନାହିଁ ବୋଲି ସେ କହିଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ଅଛି, ବିରୋଧୀ ଦଳର ନେତାଙ୍କୁ ସମାଲୋଚନା କରୁଛନ୍ତି, କିନ୍ତୁ ମଣିପୁରର ଲୋକଙ୍କ ପାଇଁ ପଦୁଟିଏ କହିବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ନାସିର ହୁସେନ୍ କହିଛନ୍ତି। ମଣିପୁରରେ ଗତ ମେ’ 3ରୁ ଜାତିଗତ ହିଂସା ଲାଗି ରହିଛି। ଏଥିରେ 160 ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି। ଜୁଲାଇ 19ରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାରଇଲ୍ ହେବା ପରେ ସମଗ୍ର ଦେଶରେ ଏହାକୁ ନେଇ ନିନ୍ଦ କରାଯାଇଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ପ୍ରଥମ କରି ସଂସଦରେ ବିବୃତି ରଖିଥିଲେ ପ୍ରଧାନମନ୍ତ୍ରୀ। ମାତ୍ର ଏହାପରେ ହିଂସା ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବର୍ତ୍ତମାନ ବିରୋଧୀଙ୍କ ମଣିପୁର ଗସ୍ତ ମୌସୁମୀ ଅଧିବେଶନକୁ କେଉଁ ମୋଡକୁ ନେଉଛି ତା ଉପରେ ନଜର।