ମହାନତା ଦେଖାଇଲେ ମହାନ୍ ସଂଘର ସଭାପତି…

ବ୍ରହମପୁର (ସମୃଦ୍ଧ ଓଡିଶା) ଆଜିର ସମାଜରେ ଅବହେଳିତ ବରିଷ୍ଠ ନାଗରିକମାନଙ୍କୁ ଯତ୍ନ ନେଇ ପାରୁନଥିବା ବେଳେ ବିଶିଷ୍ଟ ସମାଜସେବୀ ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ନିଜର କିଛି ସଦସ୍ୟ – ସଦସ୍ୟାଙ୍କ ସହୋଯୋଗରେ ଦୀର୍ଘ ୧୨ ବର୍ଷ ଧରି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ଵ ପ୍ରଚେଷ୍ଟାରେ ବିଶ୍ୱ ନିକେତନ ନାମକ ଜରା ନିବାସ ପ୍ରତିଷ୍ଠା କରି ଅସହାୟ ବରିଷ୍ଠ ନାଗରିକ ମାନଙ୍କ ସେବା କରି ସମସ୍ତ ପ୍ରକାର ବ୍ୟବସ୍ଥା କରିଚାଲିଛନ୍ତି । ଏପରିକି ବହୁ ପିତା ମାତାଙ୍କୁ ନିଜ ପୂତ୍ର ସହ ଆପୋଷ ବୁଝାମଣା ମାଧ୍ୟମରେ ପରିବାରଙ୍କ ମିଳାମିଶା କରିଛନ୍ତି । ଗତକାଲି ୮୭ ବର୍ଷର ବୃଦ୍ଧା ଅନ୍ତେବାସିଙ୍କ ବିୟୋଗରେ ତାଙ୍କର ସମ୍ପର୍କୀୟ ନ ଆସିପାରିବାରୁ ଆଶ୍ରମ ପକ୍ଷରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ହେଲେ ପରମ୍ପରା ଅନୁଯାୟୀ ନିଜ ଲୋକ ମୁଖାଗ୍ନୀ ଦେବାକଥା କିନ୍ତୁ ବୃଦ୍ଧାଙ୍କ ଏକମାତ୍ର ସମ୍ପର୍କୀୟ ସ୍ୱାସ୍ଥ୍ୟଗତ କାରଣରୁ ନ ଆସି ପାରିବାରୁ ବିଶ୍ୱ ନିକେତନର ପ୍ରତିଷ୍ଠାତା ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ନିଜେ ମୂଖାଗ୍ନି ଦେଇ ନିଜର ମହାନତା ଦେଖେଇବା ସହ ଅନ୍ୟମାନଙ୍କ ନିମନ୍ତେ ମାର୍ଗ ଦର୍ଶକ ସାଜିଛନ୍ତି । ବ୍ରଜ ନାୟକ, ଚିତ୍ତରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ସନ୍ଦିପ ଦଳାଇ, ଡି ଚିରନଜିବି ରେଡ୍ଡୀ, ଜିପୁ ସାହୁ, କୃଷ୍ଣ ଗୌଡ଼, ସି ହେଚ ଲୋକନାଥ ରେଡିଙ୍କ ସମତେ ବହୁ ଅଞ୍ଚଳବାସି ଉପସ୍ଥିତ ଥିଲେ । ଶ୍ରୀ ସାବତଙ୍କ ଏହି ମହାନତା ଯୋଗୁଁ ବିଭିନ୍ନ ମହଲରୁ ସାଧୁବାଦ ତଥା ପ୍ରସଂଶା କରାଯାଇଛି । ପ୍ରକାଶ ଥାଉକି ଶ୍ରୀ ସାବତ ଦୀର୍ଘ ୩୭ ବର୍ଷ ଧରି ମହାନ୍ ସଂଘ ସହ ରୋଟାରୀ କ୍ଲବ ମିଡ ଟାଉନ, ଲାୟନ୍ସ କ୍ଲବ, ୱାକରସ କ୍ଲବ, ୱାଇସ ମେନ୍ କ୍ଲବ, ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସିଦ୍ଧିବିନାୟକ ପୀଠ, ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ପରି ଅନେକ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନ କଲ୍ୟାଣ କାର୍ଯ କରି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କରି ପ୍ରେରଣାରେ ଶତାଧିକ ମହିଳା, ଯୁବକ ଓ ଅନ୍ୟମାନେ ସମାଜ ସେବା କାର୍ଯ୍ୟରେ ନିୟୋଜିତ ହୋଇ ଜନ କଲ୍ୟାଣ କରୁଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା