ଏଣିକି ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସଂପର୍କିତ ସୂଚନା ବିଭିନ୍ନ ସରକାରୀ ବିଭାଗଗୁଡିକ ଇ-ମେଲ ମାଧ୍ୟମରେ ପାଇପାରିବେ…

କଟକ (ସମୃଦ୍ଧ ଓଡିଶା) ଏଣିକି ନୂଆ ବ୍ୟବସ୍ଥା ଅନୁସାରେ ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସଂପର୍କିତ ସୂଚନା ବିଭିନ୍ନ ସରକାରୀ ବିଭାଗ ଗୁଡିକ ତୁରନ୍ତ ଇ-ମେଲ ମାଧ୍ୟମରେ ପାଇପାରିବେ ଏଥିପାଇଁ ଅଟୋମେଟେଡ୍ ଇ-ମେଲ ଆଲର୍ଟ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରାଯାଇଛି ବୋଲି ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ପ୍ରଦାନ କରୁଥିବା ରାୟ ଓ ନିର୍ଦ୍ଦେଶନାମା ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହେବା କ୍ଷଣି ମାମଲାରେ ପକ୍ଷ ଥିବା ସମ୍ପୃକ୍ତ ସରକାରୀ ବିଭାଗର ଇ-ମେଲ୍‌କୁ ଏହା ପଠାଯିବ । କେସ୍‌ ଇନଫରମେସନ ସିଷ୍ଟମ(ସିଆଇଏସ)ରେ ପଞ୍ଜୀକୃତ ସରକାରୀ ବିଭାଗ ଗୁଡିକ ଇ-ମେଲ ମାଧ୍ୟମରେ ଏପରି ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ପାଇପାରିବେ । ଇ-ମେଲ୍ ଆଲର୍ଟ ବ୍ୟବସ୍ଥା ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଲାଗି ମାମଲା ଫାଇଲିଂ ଓ ରେଜିଷ୍ଟ୍ରେସନ ସମୟରେ ବିଭିନ୍ନ ସରକାରୀ ବିଭାଗକୁ ଠିକ ଭାବେ ଟ୍ୟାଗ୍ କରାଯିବ । ସିଆଇଏସରେ ସବୁ ସରକାରୀ ବିଭାଗର ମାଷ୍ଟର ଡାଟା ରଖାଯିବ । ବିଭିନ୍ନ ସରକାରୀ ବିଭାଗର ନୋଡାଲ ଅଫିସର, ଇ-ମେଲ ଆଇଡି ଓ ଅନ୍ୟାନ୍ୟ ତଥ୍ୟ ସଂଲଗ୍ନ କରିବା ସହିତ ଏ ସଂପର୍କିତ ବିସ୍ତୃତ ତଥ୍ୟ ଅପ‌ଗ୍ରେଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନଭେମ୍ବର ୧ ତାରିଖରୁ ରାଜ୍ୟ ସରକାରଙ୍କ ପ୍ରତି ବିଭାଗ ପାଇଁ ହାଇକୋର୍ଟରେ ମାମଲା ଗୁଡିକର ଇ-ଫାଇଲିଂକୁ ବାଧ୍ୟତାମୂଳକ କରାଯାଇଛି । ଇ-ଫାଇଲିଂ ପରେ ଏହାର ହାର୍ଡକପି ଦାଖଲ କରାଯିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି । ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଏଜେନ୍ସି ଗୁଡିକ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ । ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଉଥିବା ଡକ୍ୟୁମେଣ୍ଟର ହାର୍ଡ କପି ଦାଖଲ ଆବଶ୍ୟକ ନାହିଁ । ଇ-ଫାଇଲିଂ ମାଧ୍ୟମରେ ଦାଖଲ ମାମଲା ସଂପର୍କିତ ଅରିଜିନାଲ ଡକ୍ୟୁମେଣ୍ଟ ପକ୍ଷ ପାଖରେ ରଖିବେ । ଏହି ପ୍ରସଙ୍ଗରେ ସମସ୍ୟା ହେଲେ ହାଇକୋର୍ଟଙ୍କ ଇ-ଫାଇଲିଂ ଷ୍ଟେସନର ସହାୟତା ନିଆଯାଇ ପାରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ଆସନ୍ତା ଡିସେମ୍ବର ୧ତାରିଖରୁ ହାଇକୋର୍ଟରେ ମାମଲା ଗୁଡିକର ଇ-ଫାଇଲିଂ ବାଧ୍ୟତାମୂଳକ କରାଯାଇଛି ବୋଲି ସୂଚନା ମିଳିଛି ।