ରାସ୍ତାଘାଟ,ପାନୀୟଜଳ,କୃଷିକ୍ଷେତ୍ର ପାଇଁ ଜଳ ପ୍ରକଳ୍ପ ନିର୍ମାଣରେ ବୃନ୍ଦାବନ ବାବୁଙ୍କ ଅବଦାନ ଅତୁଳନୀୟ : ଚନ୍ଦ୍ରଶେଖର..

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱର୍ଗତ ବୃନ୍ଦାବନ ନାୟକ ବ୍ରହ୍ମପୁର ନଗରପାଳ ଭାବେ ଏବଂ ହିଞ୍ଜିଳି ବିଧାୟକ ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ତଥା ଓଡ଼ିଶାରେ ରାସ୍ତା ଘାଟ, ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ତେଣୁ ତାଙ୍କୁ ଯଥାର୍ଥରେ କର୍ମବୀର ଭାବେ ସ୍ମରଣ କରାଯାଉଛି । ପ୍ରତିବର୍ଷ ତାଙ୍କର ଶ୍ରାଦ୍ଧ ଦିବସ ଓ ଜୟନ୍ତୀ ଦିବସ ପାଳନ ପୂର୍ବକ ତାଙ୍କର ଗୁଣ କୀର୍ତ୍ତନ କରାଯାଉଛି ବୋଲି ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ ପ୍ରକାଶ କରିଛନ୍ତି । ବୃନ୍ଦାବନ ନାୟକ ସ୍ମୃତି କମିଟି ଓ ଏସଏମଆଇଟି ମିଳିତ ଅନୁକୁଲ୍ୟରେ ଆଜି ହିଲପାଟଣା ସ୍ଥିତ ଏସଏମଆଇଟି ମୁଖ୍ୟ କାର୍ଯ୍ୟାଳୟ ସଭା କକ୍ଷରେ ଆୟୋଜିତ ବୃନ୍ଦାବନ ବାବୁଙ୍କ ୧୧୧ ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ କହିଥିଲେ ଯେ, ବୃନ୍ଦାବନ ବାବୁଙ୍କ ସହ କାମ କରିବାର ସୁଯୋଗ ସେ ପାଇଥିଲେ । ତାଙ୍କଠାରୁ ଅନେକ କିଛି ସେ ଶିକ୍ଷା ଲାଭ କରି ପାରିଛନ୍ତି । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସ୍ୱର୍ଗତ ନାୟକଙ୍କ ଆଦର୍ଶରେ ଆଜିର ଯୁବସମାଜ ଅନୁପ୍ରାଣିତ ହୋଇ ସେବାମୂଳକ କାମ କରିବାକୁ ଆହ୍ଵାନ ଦେଇଥିଲେ । ବରିଷ୍ଠ ଚିକିତ୍ସକ ଡା.ପି.ସି ସାହୁ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏସଏମଆଇଟି ସଭାପତି ଡ଼ଃ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଡା.ଶଙ୍କର ନାରାୟଣ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଟପ୍ପର ସର୍ବାଧିକ ନମ୍ବର ରଖିଥିବା ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ଏସଏମଆଇଟି ଛାତ୍ରୀ ଶର୍ମିଷ୍ଠା ମହାରଣାଙ୍କୁ ମାନପତ୍ର, ରନୀଂସିଲଡ଼ ଓ ଉପଢୌକନ ପ୍ରଦାନ କରି ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା