ମନ୍ତ୍ରୀଙ୍କ ପତିଆରାରେ ବିରୋଧୀ ବିଜେପି ଶୂନ୍ୟ, ତଥାପି ସ୍ଥିତି ମଜବୁତ ଅଛି : ଘୁମୁସର ଜିଲ୍ଲା ସଭାପତି…

ପୋଲସରା (ସମୃଦ୍ଧ ଓଡିଶା) ରାଜନୀତିର ଦୀର୍ଘ ବର୍ଷ ଧରି ସାଙ୍ଗଠନିକ ଦାୟିତ୍ୱରେ ଥିବା ବିରୋଧୀ ବିଜେପିର ସପ୍ତରଥୀ ନେତାଙ୍କୁ କଡ଼ା ଟକ୍କର ଦେଇ ପୋଲସରା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଏବେ ବିରୋଧୀ ବିଜେପିକୁ ରସା ତଳକୁ ଠେଲି ଦେଲାଣି । ବିଜେପିର ଦଳୀୟ କନ୍ଧଳ ଏବେ ଦାଣ୍ଡରେ ପଡ଼ି ହାଟ ମଝିରେ ପହଞ୍ଚି ଲାଣି । ସାଙ୍ଗଠନିକ ଦାୟିତ୍ବରେ ଥିବା ଘୁମୁସର ବିଜେପିର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ଦାୟିତ୍ୱ ହୀନତାର କାରଣ ଦର୍ଶାଇ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା ଜାତୀୟ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । ଯାହା ଗଂଜାମ ଜିଲ୍ଲା ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ପାଇଁ ଶକ୍ତ ଧକ୍କା । ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଜାତୀୟ ବିଜେପି ଦଳ ଯେଉଁ ଭଳି ଭାବେ ଲୋକଙ୍କ ଆସ୍ଥା ଓ କିଛିଟା ବିଶ୍ୱାସ ଭାଜନ କରିଥିଲା ତାହା ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଘଟିଛି । ଯାହା ଚଳିତ ପୌର ନିର୍ବାଚନରେ ପୋଲସରା ଏନ୍.ଏ.ସିର ୧୯ଟି ୱାର୍ଡରୁ ବିଜେଡି ହାତକୁ ଅଧ୍ୟକ୍ଷ ସମେତ ୧୩ଟି ୱାର୍ଡରୁ ଯାଇଥିବା ବେଳେ ଜାତୀୟ ବିଜେପି ମାତ୍ର ୬ଟି ଓ୍ବାଡ଼ରେ ବିଜୟୀ ହୋଇଥିଲା । ଗତ ସାଧାରଣ ବିଧାନସଭା ନିର୍ବାଚନରେ ପୋଲସରା ଏନ୍.ଏ.ସିରେ ୩୩ ଶହ ଭୋଟରେ ବିଜେପି ଆଗୁଆ ଥିବା ବେଳେ ଚଳିତ ପୌର ନିର୍ବାଚନରେ ବିଜେପିକୁ ମାତ୍ ଦେଇ ୧୧୯୯ ଭୋଟରେ ବିଜେଡି ଆଗୁଆ ରହିଥିଲା । ଯାହାର ଫଳ ସ୍ବରୂପ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ରାଜ୍ୟ ଶ୍ରମମନ୍ତ୍ରୀ ଭାବେ ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଗୁରୁଦାୟିତ୍ୱ ମିଳିଲା । ଯାହା ଗଂଜାମ ଜିଲ୍ଲା ସମେତ ପୋଲସରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଲା । ଏଭଳି ସ୍ଥିତିରେ ନିକଟ ପୌର ନିର୍ବାଚନରେ ବିଜେପି ଦଳରୁ ଜିତିଥିବା ୬ ଜଣ କାଉନସିଲର ମଧ୍ୟରୁ ୫ ଜଣ କାଉନସିଲର ଅଣନିଶ୍ବାସୀ ହୋଇ ଶାସକ ବିଜେଡ଼ି ଦଳରେ ସାମିଲ ହେବା ପାଇଁ କସରତ ଆରମ୍ଭ କରିଛନ୍ତି । ଯାହା ବର୍ତ୍ତମାନ ପୋଲସରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ଗତ ଦିନରେ ଘୁମୁସର ଜିଲ୍ଲା ସଭାପତି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ବିଦ୍ରୋହୀ ନେତା ପ୍ରଭାକର ପଣ୍ଡାଙ୍କୁ ନିଜ ସପକ୍ଷକୁ ଆଣି ବିଜେଡି ବିପକ୍ଷରେ ନିର୍ବାଚନୀ ପତିଆରା ଦେଖାଇଥିଲେ । ହେଲେ ବିଧାୟକଙ୍କ ଜନପ୍ରିୟତା ଆଗରେ ଘୁମୁସର ବିଜେପି ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକ କ୍ଷମତାକୁ ହାତେଇବାର ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ସାଧାରଣ ନିର୍ବାଚନ ପରେ ଘୁମୁସର ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ଗୋକୁଳାନନ୍ଦ ମଲ୍ଲିକଙ୍କ ପାରିବା ପଣିଆ ଓ କ୍ଷମତାର ଅପବ୍ୟବହାର ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥିଲା । ଘୁମୁସର ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକଙ୍କ ଜାତୀୟ ଦଳରେ ମନୋମୁଖୀ ଆଚରଣ ପ୍ରଦର୍ଶନକୁ ନେଇ ଘୁମୁସର ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀରେ ନେତା ଓ ଆଗଧାଡିରେ ଥିବା କର୍ମୀ ମାନେ ପ୍ରତିବାଦର ସ୍ବର ଶାଣିତ କରିବାରେ ଲାଗିଲେ । ଜିଲ୍ଳାର ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱରେ ଥିବା ପ୍ରମୋଦ ପଣ୍ଡାଙ୍କୁ ବିଜେପି ଦଳରେ ଅଣଦେଖା କରାଯିବାର ସଙ୍ଗିନ ଅଭିଯୋଗ ଆଣିଲେ । ପରେ ସେ ଜିଲ୍ଲା ସଭାପତିଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ନିଜ ଦଳୀୟ କର୍ମୀମାନଙ୍କୁ ସାଙ୍ଗରେ ନେଇ ଜାତୀୟ ବିଜେପି ଦଳ ପରିତ୍ୟାଗ କରିଥଲେ । ଏପରିକି ଘୁମୁସର ସାଙ୍ଗଠନିକ ଜିଲ୍ଲାର ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପିର ନିର୍ବାଚିତ ଜନପ୍ରତିନିଧି ବର୍ତ୍ତମାନ ବିଜେଡି ମୁହାଁ ହେଉଥିବା ନେଇ ରାଜନୈତିକ ସୂତ୍ରରୁ ଖବର ଜଣାପଡିଛି । ବର୍ତ୍ତମାନ ବିଧାୟକ ତଥା ରାଜ୍ୟର ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସାହୁଙ୍କ ବିକାଶ ମୂଳକ କାର୍ଯ୍ୟଦକ୍ଷତା ଓ ବଳିଷ୍ଠ ନେତୃତ୍ବରେ ଅନୁପ୍ରାଣିତ ହୋଇ ଜାତୀୟ ବିଜେପିର ବହୁ ଦଳୀୟ ନେତା ଓ କର୍ମୀମାନେ ବିଜେଡି ଦଳରେ ସାମିଲ ହେବାକୁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଜାତୀୟ ବିଜେପିର ମୂଳ ସଂଗଠନକୁ ପ୍ରତ୍ୟାଖ୍ୟାନ କରି ତୃଣମୂଳ ସ୍ତରରେ ବିଜେଡି ମୁହାଁ ହେଉଥିବା ନେଇ ସବୁ ରାଜନୈତିକ ମହଲରେ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ଉଷ୍ମତାର ତାତିରେ ଗତ ୩୦ ତାରିଖରେ ମଥୁରା ମଣ୍ଡଳ ବିଜେପି ସଭାପତି ଲଡୁକିଶୋର ସାହୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସାହୁ ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଥିବା ନେଇ ସୂଚନା ଦେଇଛନ୍ତି । ଏହି କ୍ରମରେ ବିଜେଡି ସ୍ରୋତରେ ସାମିଲ ହେବାକୁ ନେଇ ଗତ କିଛିଦିନ ପୂର୍ବରୁ ପୋଲସରା ଏନ୍.ଏ.ସିର ୫ଜଣ କାଉନସିଲର, ଚିରିକିପଡା ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ, ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ଭାବରଡା ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ଅରଖପୁର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର ଓ ତାଙ୍କ ସମର୍ଥକ ମାନେ ଏବଂ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କିଛି ବିଜେପି ସମର୍ଥକ ଗତ ୩୧ ତାରିଖ ଦିନ ଭୂବନେଶ୍ୱର ସ୍ଥିତ ମନ୍ତ୍ରୀ ଏବଂ କବିସୂର୍ଯ୍ୟନଗର ବିଧାୟିକାଙ୍କ ବାସଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରି ଫେରିଛନ୍ତି । ସେହି ପରି ଭାବେ ପୋଲସରାରେ ବିଜେପି ସଙ୍ଗଠନ ଶତକଡ଼ା ୮୫%ଭାବ ରସା ତଳକୁ ଯାଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରମୋଦ ପଣ୍ଡା ଛବି ପରିବର୍ତ୍ତନ କରିଥିଲେ । ଯାହା ଆଗାମୀ ୨୦୨୪ ନିର୍ବାଚନ ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀ ସଂପୂର୍ଣ୍ଣ ଭାବେ ବିରୋଧୀ ବିଜେପି ଶୂନ୍ୟ ହୋଇଯିବ । ସେହି ଅନୁପାତରେ ଶାସକ ବିଜେଡି ତୃଣମୂଳ ସ୍ତରରେ ସଙ୍ଗଠନ କୁ ମଜୁଭୁତ କରି ପୋଲସରା ନିର୍ବାଚନ ମଣ୍ଡଳୀକୁ ବିଜେଡି ଗଡ଼ ଭାବେ ପ୍ରତିଷ୍ଠିତ କରିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ନିଜର ମତ ପ୍ରକାଶ କରିଛନ୍ତି । ସେପଟେ କିନ୍ତୁ ଏସବୁ ପ୍ରସଙ୍ଗକୁ ସଂପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇ ଛନ୍ତି ଘୁମୁସର ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକ । ଆମେ ତୃଣମୂଳ ସ୍ତରରେ ଆମ ସଙ୍ଗଠନ ସଂପୂର୍ଣ୍ଣ ମଜୁଭୁତ ଅଛି । ଏଠି କିଛି ଲୋକ ନିଜର ସ୍ବାର୍ଥ ପାଇଁ ରାଜନୈତିକ ଦଳ ଛାଡି ଅନ୍ୟ କୌଣସି ଦଳକୁ ଯିବେ, ଏହା ତାଙ୍କର ବ୍ୟକ୍ତିଗତ କଥା । ବର୍ତ୍ତମାନ ମୋଦିଙ୍କ ଜନହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ବିଜେଡି ନେତା ବିଜେପିରେ ସାମିଲ ହେବା ନେଇ ଭିତିରିଆ ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ ଘୁମୁସର ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକ ।

ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା