ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୋରଡା ଏନଏସିର ୮ ୱାର୍ଡର ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ୱାର୍ଡର କାଉନ୍ସିଲର ରଜନୀ କାନ୍ତ ମହାପାତ୍ର । ଏ ସମ୍ପର୍କରେ ସୋରଡା କାର୍ଯ୍ୟନିର୍ବାହୀ ଅଧିକାରୀ, ଗଞ୍ଜାମ ଜିଲ୍ଲାପାଳ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି । ୮ ୱାର୍ଡ କାଉନ୍ସିଲରଙ୍କ କହିବା ପ୍ରକାରେ ସ୍ଥାନୀୟ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ୮ ନମ୍ବର ୱାର୍ଡ ଓ ୯ ନମ୍ବର ୱାର୍ଡର ପାଖାପାଖି ୪୦ରୁ ୪୫ ଜଣ ପିଲା ରହିଛନ୍ତି । ଏହି ସମସ୍ତ ପିଲାଙ୍କ ପାଇଁ ଗୋଟିଏ ଛୋଟ ଗୃହ କରାଯାଇଛି । ଗୃହ ମଧ୍ୟରେ ଅଧିକରୁ ଅଧିକ ୨୦ରୁ ୨୫ ଜଣ ବସିଲେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କ ବସିବା ପାଇଁ ଜାଗା ଟିକେ ନାହିଁ । ଏହାସତ୍ତ୍ୱେ ମଧ୍ୟ ଠେଲା ପେଲା ହୋଇ ୪୦ରୁ ଉର୍ଦ୍ଧ ଏଠାରେ ବସନ୍ତି । ଏହି ଅଙ୍ଗନବାଡି ଗୃହରେ ବିଦ୍ୟୁତ ସଂଯୋଗ ଏ ଯାଏଁ ହୋଇନି । ଫଳରେ ବର୍ତମାନ ଯେଉଁଭଳି ଖରା ହେଉଛି ସେଥିରେ ବିନା ବିଦ୍ୟୁତରେ କେନ୍ଦ୍ରରେ ସିଝୁ ଛନ୍ତି ପିଲାମାନେ । ନୂତନ ଭାବେ ଗୃହଟି ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ହେଲେ ସେଥିରେ ପାଣି ଗଳୁଛି । ଛାତରୁ ପାଣି ଗଳି ସଂପୂର୍ଣ୍ଣ ଗୃହରେ ଭରି ହୋଇଯାଉଛି । ପରିଣାମ ସ୍ୱରୂପ ପିଲା ଏଥିରେ ବସିବା କଥା ତହ ଦୂରରେ ଥାଉ ବହି ଖାତା ରହିବା ମଧ୍ୟ ସମ୍ଭବ ହେଉନି । ଗୋଟିଏ ଛୋଟିଆ ଗୃହ ଥିବାରୁ ଏଠାରେ ବସି ଖାଇବା ମଧ୍ୟ ସୁବିଧା ନାହି । କେମିତି କଣ କରି ଯଦି ଖାଇବାକୁ ଦିଆଯାଏ ତେବେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଏଠାରେ ପିଲାମାନେ ବସି ଖାଇ ପାରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଅଙ୍ଗନବାଡି କର୍ମୀମାନେ ବାରଣ୍ଡାରେ ପିଲାଙ୍କୁ ଖାଇବାକୁ ଦିଅନ୍ତି । ବାରଣ୍ଡା ପରିବେଶ ମଧ୍ୟ କହିଲେ ନ ସରେ । ବାରଣ୍ଡା ଆଗରେ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ପରିଶ୍ରଗାର ଥିବା ଯୋଗୁଁ ପିଲାମାନେ ସେଠାରେ ପରିଶ୍ରା କରିବା ଦ୍ଵାରା କବାଟ ଖୋଲୁଖୋଲୁ ଦୁର୍ଗନ୍ଧରେ ନାକ ଫାଟୁଛି । ଏପରି ପରିବେଶରେ କେମିତିରେ ହେଲେ ପିଲାମାନେ ବସି ଖାଇଥାନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଦୁଇଟି ୱାର୍ଡର ପିଲାମାନେ ନିର୍ଭର କରୁଥିଲେ ମଧ୍ୟ ଭିଭାଗୀୟ କତୃପକ୍ଷ ଏଥିପ୍ରତି ଦ୍ରୁଷ୍ଟି ଦେଉନହନ୍ତି । ଏପରିକି ସୋରଡା ବ୍ଲକ ସିଡିପିଓ ଦୁଇ ଦୁଇ ଥର ସୋରଡା ଏନଏସି ସାଧାରଣ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ଅଧ୍ୟକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରୁନଥିବା ଅଭିଯୋଗ ହେଉଛି । ସୋରଡା ଏନଏସିରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ସୁପରିଚାଳନା ଓ ଆବଶ୍ୟକ ମରାମତି ପାଇଁ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ କରିବା ସହ ଏହାର ଉନ୍ନୟନ କ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କିନ୍ତୁ ଏହିପରି ଅବହେଳା ପିଲାଙ୍କୁ ଅସ୍ଵାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ କରୁଛି । ଅଙ୍ଗନବାଡି କେନ୍ଦ୍ର ନିକଟରେ ଅଳ୍ପ କିଛି ଜାଗା ରହିଛି, କିନ୍ତୁ ତାହା ଗଛ ଲଟାରେ ଭରି ହେଇଛି । ପରିସ୍ଥିତି ଏପରି ଯେ ଭଙ୍ଗା ଦଦରା କୋଠାରେ ପିଲାମାନେ ବସୁଛନ୍ତି । ଅଙ୍ଗନବାଡି ଗୃହ ନିକଟରେ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ଦୁଇଟି ଗୃହ ସଂପୂର୍ଣ୍ଣ ଅବ୍ୟବହୃତ ହୋଇ ରହିବା ସହ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି, ଏହାକୁ ଯଦି ଭାଙ୍ଗି ଦୁଇଟି ଗୃହ ନିର୍ମାଣ କରାଯାଏ ତେବେ ଅଙ୍ଗନବାଡି କେନ୍ଦ୍ରର କିଛି ସୁଫଳ ମିଳିପାରନ୍ତା । ଅବ୍ୟବସ୍ଥା ଯୋଗୁଁ ପରିବାର ବର୍ଗ ମଧ୍ୟ କୁନି କୁନି ପିଲାଙ୍କୁ ଏହି କେନ୍ଦ୍ର ଛାଡିବାକୁ ଅମଙ୍ଗ ହେଉଛନ୍ତି । ଆଜି ଏହି ୱାର୍ଡର କାଉନ୍ସିଲର ହଠାତ ଏହି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ପରି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ କଥା ହେଲା ଏହି ପରି କେନ୍ଦ୍ରରେ ମଧ୍ୟ ବିଭିନ୍ନ ସଚେତନ କାର୍ଯ୍ୟ, ବୈଠକ ଓ ଟିକାକରଣ କାର୍ଯ୍ୟକ୍ରମ ଚାଲୁଅଛି । ତଥାପି ଏହିପରି ଅବ୍ୟବସ୍ଥାର ଦୂରୀକରଣ ପାଇଁ କୌଣସି ପଦକ୍ଷେପ ନିଆନଯିବା ଦୁର୍ଭାଗ୍ୟ ଜନକ ବୋଲି ଏଠାକାର କାଉନ୍ସିଲର ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଏହାର ଉନ୍ନତି ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେବା ପାଇଁ ପତ୍ର ମାଧ୍ୟମରେ ଜଣାଇଛନ୍ତି ସୋରଡା ୮ ନମ୍ବର ୱାର୍ଡର କାଉନ୍ସିଲର ରଜନୀ କାନ୍ତ ମହାପାତ୍ର ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ