ଭଟ୍ଟର ହସ୍‌ପିଟାଲରେ ସନ୍ଦେହଯୁକ୍ତ ୨ ରୋଗୀଙ୍କୁ ପଠାଗଲା ଜିଲା ମୁଖ୍ୟ ଡାକ୍ତରଖାନା : ଆତଙ୍କରେ ଜଳେଶ୍ୱରବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳକୁ ରାଜ୍ୟ ବାହାର ଓ ବିଦେଶରୁ ବହୁ ବ୍ୟକ୍ତି ଘର ବାହୁଡା ହେଉଥିବା ବେଳେ ଆଜି ରବିବାର ଦ୍ୱି ପ୍ରହରରେ ଚାଲନ୍ତି ଗାଁର ୨ ଯୁବକ ଚିକିତ୍ସାଲାଗି ଜିକେଭଟ୍ଟର ହସପିଟାଲରେ ପହଞ୍ଚିଥିଲେ । ସେମାନେ ଅନ୍ୟ ରାଜ୍ୟରୁ ଆସି ଦୀର୍ଘଦିନ ଜ୍ୱର, ସର୍ଦ୍ଦି, କାଶ ଭୋଗୁ ଥିବାରୁ ଭଟ୍ଟର ହସ୍‌ପିଟାଲର ଡାକ୍ତର ପ୍ରାଥମିକ ଚିକିତ୍ସାପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୂଚନା ଦେଇଥିଲେ । ତାଙ୍କୁ ତୁରନ୍ତ ବାଲେଶ୍ୱର ପଠାଇବା ନିର୍ଦ୍ଦେଶ ମିଳିବାପରେ ଜଳେଶ୍ୱର ଅଂଚଳରେ ଆତଙ୍କ ଖେଳିଥିଲା । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହାମ୍ମଦନଗରପାଟଣା ପଂଚାୟତ ଅଧିନସ୍ଥ ଚାଲନ୍ତି ଗାଁର ୨ ଯୁବକ ହାଇଦ୍ରାବାଦରେ କାର୍ଯ୍ୟକରୁଥିବା ବେଳେ ନିକଟରେ ଗାଁକୁ ଆସିଛନ୍ତି । କିନ୍ତୁ ସେମାନଙ୍କୁ ଜ୍ୱର ଲାଗି ରହୁଥିବାରୁ ସନ୍ଦେହଯୁକ୍ତ ଅବସ୍ଥାରେ ଜନୈକ ଡାକ୍ତରଙ୍କ ପରାମର୍ଶକ୍ରମେ ଭଟ୍ଟର ହସ୍‌ପିଟାଲକୁ ଆସିଥିଲେ । ସେମାନଙ୍କ କେତେକ ଲକ୍ଷଣ କରୋନା ପିଡିତଙ୍କ ସହିତ ସାମଞ୍ଜସ୍ୟ ରହୁଥିବାରୁ ଡାକ୍ତର ସିଡିଏମ୍‌ଓଙ୍କୁ ଜଣାଇଥିଲେ । ବାଲେଶ୍ୱର ପଠାଇବାକୁ ନିର୍ଦ୍ଦେଶପାଇ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲେନ୍ସରେ ବାଲେଶ୍ୱର ପଠାଯାଇଥିଲା । ବିଦ୍ୟୁତ୍ ବେଗରେ ଖବର ପ୍ରଚାରିତ ହେବାପରେ ଜଳେଶ୍ୱର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପରିକି ହସ୍‌ପିଟାଲର ଆଉଟଡୋର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା । କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । କିନ୍ତୁ ବାଲେଶ୍ୱରରେ ୨ ଜ୍ୱର ରୋଗୀଙ୍କର ସାଧାରଣ ପରୀକ୍ଷାବେଳେ ଥଣ୍ଡାଜନୀତ ଇସନ୍‌ଫୁଲିଆ ଥିବା ପରୀକ୍ଷାରୁ ଜଣାପଡିଛି । ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ଏକ ସୂଚନାରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଅନ୍ୟ ରାଜ୍ୟରୁ ଆସିଥିବା ୧୬୧୦ ଓ ବିଦେଶରୁ ଆସିଥିବା ୭ ତଥା ମ୍ୟୁନିସିୀପାଲଟି ଅଂଚଳରେ ଅନ୍ୟ ରାଜ୍ୟରୁ ଆସିଥିବା ୧୬୩ ବ୍ୟକ୍ତି ଓ ବିଦେଶରୁ ଆସିଥିବା ୫ ବ୍ୟକ୍ତି ପଂଜିକୃତ ହୋଇଥିବା ବେଳେ ବହୁ ବ୍ୟକ୍ତି ଅଦ୍ୟାବଧି ପଂଜିକରଣ କରିନଥିବାରୁ ସେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବିଦେଶ ଫେରନ୍ତା ଓ ସ୍ୱଦେଶ ଫେରନ୍ତାମାନଙ୍କୁ ଚିହ୍ନଟ କରାଯାଇ ପୋଲିସ୍ ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହିତ ରେଜିଷ୍ଟେସନ କରାଇବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା