ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ : ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ…

ଶେରଗଡ଼/ସୋରଡା/ଧରାକୋଟ (ସମୃଦ୍ଧ ଓଡିଶା) ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବଡ଼ଗଡ଼ ଥାନାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ । ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ଜବତ ହୋଇଛି । ଗିରଫମାନେ ହେଲେ ଖଣ୍ଡବନ୍ଧ ଗ୍ରାମର ଅନିଲ ଡାକୁଆ, ଜାହାଡ଼ାର କୃଷ୍ଣଚନ୍ଦ୍ର ଜେନା, ବଳରାମପୁରର ମିଲିକେଶନ ବେହେରା, ବାଟଶାସନର ଲକ୍ଷ୍ମୀନାରାୟଣ ବେହେରା, ଜଗନ୍ନାଥପୁରର ସୁଜିତ ବିଷୋୟୀ, ଢଉଗଁାର ରାଜେଶ୍ୱର ନାୟକ, ମଙ୍ଗଳପୁରର ଶ୍ରୀକାନ୍ତ ଗୌଡ, ଡାକିବଜାର କବି ଗୌଡ, ଭାଲିଆଗୋଚ୍ଛା ଗ୍ରାମର ବସନ୍ତ କୁମାର ବିଷୋୟୀ, ପଲ୍ଲିଗୁମୁଳାର ଅମର ନାଥ ମୁନି, ମେଣ୍ଟିବାଉଁଶର ଅରୁଣ ନାୟକ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଆସିକା କୋର୍ଟକୁ ଚାଲାଣ କରାଯାଇଛି । କେନ୍ଦୁପଲ୍ଲୀର ବ୍ୟବସାୟୀ ବି.ବାୟା ପାତ୍ର, ସୋରଡାର ଏ.ଗଣେଷ ପାତ୍ର ଓ ଏସ୍‌. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶରେ ଛେଳି ବିକି ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଗତ ୨୭ତାରିଖ ସନ୍ଧ୍ୟାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲାରେ ପହଞ୍ଚିଥିଲେ । ପୂର୍ବରୁ ପରିଚିତ ଡ଼ାକିବଦା ଗ୍ରାମର ଅଟୋ ଚାଳକ କବି ଗୌଡ଼ଙ୍କୁ ଘରେ ନେଇ ଛାଡିବାକୁ ଡାକିଥିଲେ । ପୂର୍ବରୁ ଥରେ ଛେଳି ବିକି ଲକ୍ଷାଧିକ ଟଙ୍କା ଧରି କବିଙ୍କ ଅଟୋରେ ଏମାନେ ଯାଇଥିବାରୁ ତାଙ୍କର ଲୋଭ ହୋଇଥିଲା । ସେ ଭାଲିଆଗୋଚ୍ଛା ଗ୍ରାମର ବସନ୍ତ ବିଷୋୟୀଙ୍କୁ ଡାକି ଲୁଟ୍‌ ଯୋଜନା କରିଥିଲେ । ବସନ୍ତ ତାଙ୍କ ପରିଚିତ ଜାହାଡାର କୃଷ୍ଣଚନ୍ଦ୍ରଙ୍କୁ ବାଦଗଡ ଛକରେ ଲୁଟ୍‌ ପାଇଁ ଯୋଜନା କରିବାକୁ କହିଥିଲେ । କବି ଓ ବସନ୍ତ ଚାଳକ କ୍ୟାବିନ୍‌ରେ ବସିଥିବା ବେଳେ ବାୟା, ଗଣେଶ ଓ ତ୍ରିପତି ଅଟୋ ଡ଼ାଲାରେ ବସିଥିଲେ । ବାଦଗଡ ଛକରେ ସେମାନଙ୍କଠାରୁ ଲୁଟ୍‌ ହୋଇଥିଲା । ଧରାକୋଟ ଥାନାରେ ବାୟା ଏତଲା ଦେବାପରେ ପୋଲିସ ନଂ.୮୩/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଧରାକୋଟ, ଆସିକା, ବଡଗଡ ଓ ସୋରଡା ଥାନା ଅଧିକାରୀଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ୍‌ ଗଠନ କରିଥିଲେ । ଅଟୋ ଚାଳକ କବି ଓ ବସନ୍ତଙ୍କୁ ଡାକି ଜେରାପରେ ସେମାନେ ସତ ମାନି ଯାଇଥିଲେ । ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା ।

ରିପୋର୍ଟ : ବିପ୍ଳବ ସେଠି