ବନ୍ଦ ପଡିଛି ପରିବହନ ବିଭାଗ ସାଇଟ୍‌ : ଅନିଶ୍ଚିତତା ଭିତରେ ଚ‌ାଳକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସଂଶୋଧିତ ମୋଟରଯାନ ଆଇନ ୨୦୧୯ ସେପ୍ଟେମ୍ବରରେ ଲାଗୁ ହେଲା ପରେ ଆଇନ କଡ଼ାକଡ଼ି ପାଳନ କରାଯାଇଥିଲା । କିନ୍ତୁ ଲକ୍ଷାଧିକ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର, ପଲ୍ୟୁସନ୍ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ନ ଥିବାରୁ ଏ ସବୁ କାଗଜପତ୍ର କରିବା ପାଇଁ ସରକାର ସମୟ ସୀମାରେ କୋହଳ କରିଥିଲେ । ପ୍ରଥମେ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ତିନି ମାସ ଓ ପରେ ଚଳିତ ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ଆଉ ୩ ମାସ କୋହଳ କରାଯାଇଥିଲା । କିନ୍ତୁ ଏହା ଭିତରେ କରୋନା ପାଇଁ ଲକ୍‌ଡାଉନ୍ ଲାଗୁ ହେବା ପରେ ଜୁନ୍ ୩୦ ପର୍ଯ୍ୟନ୍ତ କୌଣସି ଗାଡ଼ି କାଗଜପତ୍ର ଯାଞ୍ଚ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଏହି କୋହଳ ସମୟସୀମାକୁ ଆଉ ମାସେ ବାକି ରହିଛି । କିନ୍ତୁ ଏଯାଏ ଆର୍‌ଟିଓ ଅନ୍‌ଲାଇନ୍ ଆବେଦନ ସାଇଟ୍ ବନ୍ଦ ରହିଛି । କେବେ ଖୋଲିବ, ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି । ଯାହାକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଗାଡିଚାଳକ । ତେବେ ଲକ୍‌ଡାଉନ୍ ପରଠାରୁ ଆର୍‌ଟିଓ ଅନଲାଇନ୍ ସାଇଟକୁ ବନ୍ଦ କରି ଦିଆଯାଇଛି । ଫଳରେ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ନବୀକରଣ ଲାଗି ଆଉ କେହି ଆବେଦନ କରିପାରିବେ ନାହିଁ । କିନ୍ତୁ ସ୍ଥିତି ଏବେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲି ଗଲାଣି । କିନ୍ତୁ ଆରଟିଓ ଅନଲାଇନ୍ ସାଇଟ୍ ପୂର୍ବଭଳି ବନ୍ଦ ରହିଛି । କିନ୍ତୁ ଧରପଗଡ଼ ପୁଣି ଜୋରଦାର ହେବା ପୂର୍ବରୁ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଲାଗି ଅନଲାଇନ୍ ସାଇଟ୍ ଖୋଲାଯାଉ ବୋଲି ଜଣେ ଚାଳକ କହିଛନ୍ତି । ସାମାଜିକ ଦୂରତ୍ବ ରକ୍ଷା ସହ ଅଳ୍ପସଂଖ୍ୟକ ଚାଳକ ଯାଇ ଟେଷ୍ଟ ଦେଇପାରିବାର ବ୍ୟବସ୍ଥା କରାଗଲେ, ଚାପ କମିବା ସହ ଆଗକୁ ଭିଡ଼ ମଧ୍ୟ କମିବ ବୋଲି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ଲାଗି ପ୍ରାୟ ୧୧ଲକ୍ଷ ଚାଳକ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷରୁ ଅଧିକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳି ସାରିଛି । ଆବେଦନକାରୀଙ୍କ ମଧ୍ୟରୁ ରାଜଧାନୀର ୧ଲକ୍ଷରୁ ଅଧିକ ରହିଛନ୍ତି । ‌

ରିପୋର୍ଟ : ଆକାଶ ମିଶ୍ର