ବ୍ରହ୍ମପୁରରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର:ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଧର୍ମନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରରେ ଏଆଇସିସି ସମ୍ପାଦକ ଅନୀଲ କୁମାର ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଶୁଭେନ୍ଦୁ ମହାନ୍ତି, ନକୁଳ ନାୟକ, ଅଭିଷେକ ମହାନନ୍ଦ, ଭୀଷ୍ମାଚାର୍ଯ୍ୟ ମହାପାତ୍ର, ରମେଶ ଜେନା, ଚିନ୍ତାମଣି ଦ୍ୟାନ ସାମନ୍ତରା, ଲିଙ୍ଗରାଜ ଚୌଧୁରୀ, ଭୋକାଲି ସେଠୀ, ସାକା ସୁଜିତ, ପିତବାସ ପଣ୍ଡା, ଦୀପକ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏହି ଶିବିରରେ ଜିଲ୍ଲାର ବ୍ଲକ ସଭାପତି, ଏନ୍ଏସି ସଭାପତି ସମେତ ବିଭିନ୍ନ ସଂଗଠନର ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ । ଦଳକୁ କିପରି ତୃଣମୂଳ ସ୍ତରରୁ ସୁଦୃଢ କରାଯାଇ ପାରିବ ଓ ଆଗାମୀ ନିର୍ବାଚନରେ ଦଳ କିପରି ଓଡ଼ିଶାରେ ବିଜୟ ଲାଭ କରିପାରିବ ସେନେଇ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ନାହିଁ, ଯାହା କରନ୍ତି ତାହା କୁହନ୍ତି ନାହିଁ ଏଣୁ ତାଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରଦୀପ ମାଝୀ କହିବା ସହ ଓଡ଼ିଶାରେ ବିଜେଡ଼ି ଆମର ମୁଖ୍ୟ ପ୍ରତିଦ୍ୱନ୍ଦି ବୋଲି କହିଥିଲେ । ଅନ୍ୟ ପଟେ ପ୍ରଶିକ୍ଷଣ ଶିବିର ପ୍ରଭାବ କର୍ମୀମାନଙ୍କ ଉପରେ ଭଲ ପଡ଼ିବ ବୋଲି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ କହିଛନ୍ତି । ତେବେ ସଭା ଚାଲୁଥିବା ସମୟରେ ସର୍ତମୂଳକ ଜାମିନରେ ଥିବା ରମେଶ ଜେନାଙ୍କୁ ଟାଉନଥାନାର ଜଣେ ଏସଆଇ ଆସି ସଭାରେ ବସିବା ପାଇଁ ଅନୁମତି ନାହିଁ ବୋଲି କହିବାରୁ ରମେଶ ଜେନା ସଭା ସ୍ଥଳ ଛାଡ଼ି ଚାଲିଯାଇଥିଲେ । ତେବେ ଏନେଇ ପୁଲିସ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।