ଚିତ୍ରକୋଣ୍ଡାରେ ମହିଳାଙ୍କ ଆତ୍ମହତ୍ୟା ପରେ ଠେଲାରିକ୍ସାରେ ବୁହା ହେଲା ଶବ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାସ୍ଥିତ ଶ୍ରୀହରି କଲୋନୀର ଇନ୍ଦିରାବାସରେ ରହୁଥିବା ଲଳିତା ମାଳି ନାମକ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ମୃତ ମହିଳା ଜଣଙ୍କ ଚିତ୍ରକୋଣ୍ଡା ନିକଟରେ ଏକ ଜଳଖିଆ ଦୋକାନ କରି ଆସୁଥିଲେ । ତାଙ୍କର ସ୍ୱାମୀ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଥିବାବେଳେ ନିଜର ଦୁଇ ସନ୍ତାନକୁ ଧରି ଚିତ୍ରକୋଣ୍ଡାଠାରେ ଏକ ଘର ଭଡ଼ା ନେଇ ରହିଆସୁଥିଲେ । ଗତକାଲି କୌଣସି କାରଣକୁ ମହିଳା ଜଣଙ୍କ ଘରେ କେହି ନଥିବାର ସୁଯୋଗ ନେଇ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି । ସକାଳୁ ପରିବାର ବର୍ଗ ରହୁଥିବା ଘରର କବାଟ ବନ୍ଦ ଥିବା ଦେଖି  ଅଂଚଳବାସୀଙ୍କୁ ଖବର ଦେଇଥିଲେ । ଏ ନେଇ ଅଂଚଳବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଉକ୍ତ ଘରର କବାଟ ଭାଙ୍ଗି ଦେଖିବା ବେଳକୁ ମହିଳାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଦୁର୍ଭାଗ୍ୟର କଥା ଏହି ଯେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଶବକୁ ଜବତ କରି ନିଜେ ନନେଇ ଅଂଳଚାବାସୀଙ୍କୁ ଶବ ନେବା ପାଇଁ କହିଥିଲେ । ମହିଳାଙ୍କର କେହି ନଥିବା ହେତୁ ଅଂଚଳବାସୀ ଶବକୁ ଏକ ଠେଲାରିକ୍ସାରେ ଠେଲି ଠେଲି ଶବ ବ୍ୟବଚ୍ଛେଦ ନିମନ୍ତେ ନେଇଥିଲେ । ସରକାରଙ୍କ ଅନେକ ଯୋଜନା ଥିବାବେଳେ ମୃତ ଦେହକୁ ଠେଲା ଗାଡ଼ିରେ ଠେଲି ନେବା ଦୃଶ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।