ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତିର ପିତା ମହାତ୍ମାଗାନ୍ଧି ଏବଂ ଜୟ ଜବାନ ଜୟ କିଷାନର ଉଦ୍‌ଘୋଷକ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିବସ ଥିବାରୁୁ ଆଜି ‘ମେ ଆଇ ହେଲ୍ପ ୟୁ’ ସଂଗଠନ ପକ୍ଷରୁ ନିଶାନିବାରଣ ସଚେତନତା ଓ ଜୟନ୍ତୀ ପାଳିତ ହୋଇ ଯାଇଛି । ରେଳଷ୍ଟେସନ ଠାରୁୁ ଜିକେ ଭଟ୍ଟର ଡାକ୍ତରଖାନା ପର୍ଯ୍ୟନ୍ତ ଏହି ଜନ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧଳ ଜହର ଓ ମାଦକ ଦ୍ରବ୍ୟ ସେବନ ନ କରିବା ଗାନ୍ଧିଜୀଙ୍କ ଦର୍ଶନରେ ସ୍ୱଚ୍ଛତା ବଜାଇ ରଖିବା, ସମସ୍ତଙ୍କୁ ସ୍ୱାସ୍ଥସେବା ପହଞ୍ଚାଇବା ଲାଗି ସଂଗଠନର ସଭାପତି ଜଗନ୍ନାଥ ପରିଡା ଉଦ୍‌ବୋଧନ ଦେଇଥିଲେ । ହସ୍‌ପିଟାଲରେ ରୋଗୀଙ୍କୁ ଫଳବଣ୍ଟନ ସହିତ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ସଂପାଦକ ରମେଶ ଜେନା, ସତ୍ୟବ୍ରତ ପ୍ରମାଣିକ, ନରହରି ବେହେରା, ମନୋରଂଜନ ପ୍ରଧାନ, ଜ୍ୟୋତ୍ସାରାଣୀ ମହାନ୍ତି, ଗୀତାରାଣୀ ଦାସ, ସୁଷମା ପ୍ରଧାନ, ତୋଫାନ ଆଚାର୍ଯ୍ୟ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରିବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯ୍ୟରେ ଆଜି ଜଳେଶ୍ୱରର ବିଜୁ ଯୁବ ଓ ଛାତ୍ର ଜନତା, ବିଜୁ ମହିଳା ସଂଘ ପକ୍ଷରୁ ପୌରପାଳିକା ଓ ବ୍ଲକ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ବ୍ଲକ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଗାନ୍ଧି ଓ ଶାସ୍ତ୍ରୀଙ୍କ ଦର୍ଶନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡିର ସଭାପତି ସଂଚିତା ସେନାପତି, ଯୁବ ସଭାପତି ଚନ୍ଦନ କର, ଛାତ୍ର ସଭାପତି କାଳିଚରଣ ଦାସ, ଆନନ୍ଦ କର, ଭଗିରଥ ଚନ୍ଦ, ରାସ ବିହାରୀ ରଣା, ସୁରଜ ଚୌରାସିଆ, ରିଣ୍ଟୁ ବ୍ରହ୍ମ ପ୍ରମୁଖ ବ୍ଳକ ଓ ମ୍ୟୁନିସିପାଲଟି ପରିସରକୁ ସଫେଇ କରିଥିଲେ । ସେହିପରି ଦକ୍ଷିଣ ପ୍ରହରାଜପୁର ଓ ଶ୍ରୀରାମପୁର ପଞ୍ଚାୟତରେ ବିଧାୟକ ଅଶ୍ୱିନୀ ପାତ୍ର, ଆଲୋକ ଗିରି, ସତ୍ୟନାରାୟଣ ଦାସ, ମଧୁସୂଦନ ସେନାପତିଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ସ୍କୁଲ ଓ ରାସ୍ତାଘାଟ ପରିସ୍କାର କରିଥିଲେ ।

ରିପୋର୍ଟ : ଭୂପତି ପରିଡା