ବାଲିମି- ବାବନ୍ଧ-ଓଡାପଡା ପିଡବ୍ଲୁଡି ରାସ୍ତା ମରାମତି ନାଁରେ ଚଞ୍ଚକତା ଅଭିଯୋଗ

ଢେଙ୍କାନାଳ(ସମୃଦ୍ଧଓଡିଶା)ରାଜ୍ୟ ସରକାରଙ୍କ ପକ୍ଷରୁ ୧୯,୯୬,୪୦,୫୦୦ ଟଙ୍କା ବ୍ୟୟରେ ବାଲିମି-ବାବନ୍ଧ-ଓଡାପଡା ପିଡ଼ବ୍ଲୁଡି ୨୦କିମି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା । ଏହି କାର୍ଯ୍ୟ ଭବାନୀ କନଷ୍ଟ୍ରକସନ କମ୍ପାନୀକୁ ଦିଆଯାଇଥିଲା । ୨୭/୦୨/୨୦୧୯ ରେ କାର୍ଯ୍ୟ ଆରମ୍ଭ ହୋଇ ୧୦/୦୪/୨୦୨୦ରେ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ୨୦ କିମି ରାସ୍ତାରେ ଦୈନିକ ଶହ ଶହ କଳାପଥର ଗାଡି ଯିବାଆସିବା କରିଥାଏ । ରାସ୍ତାର ଉଭୟ ପାର୍ଶ୍ଵରେ ଠିକ ଭାବେ ମାଟି ନ ଦେଇଥିବାରୁ ପିଚୁ ଭାଙ୍ଗି କେଉଁଠି ଖାଲ ହୋଇଯାଇଛି ତ କେଉଁଠି ଭାଙ୍ଗି ଯାଇଛି । ରାସ୍ତା ନିର୍ମାଣ ହେବାର ୪ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଲାଣି । ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ କାନକୁ ଶୁଭି ନ ଥାଏ । ରାସ୍ତାର ଉତ୍ତମ ମରାମତି ପାଇଁ ବାବନ୍ଧ ଗ୍ରାମର ଗ୍ରାମବାସୀ ମାନେ ଲିଖିତ ଭାବରେ ଅଗଷ୍ଟ ମାସରେ ପୂର୍ବତନ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ । ଜିଲ୍ଲା ପାଳ ମହୋଦୟ ସାଙ୍ଗେ ସାଙ୍ଗେ କାମ ଆରମ୍ଭ କରିବାକୁ ହିନ୍ଦୋଳ ଏସଡିଓ ମହୋଦୟ ଦିପ୍ତୀ ମୋହନ ମଲ୍ଲିକ ଙ୍କୁ ଆଦେଶ ଦେଇଥିଲେ । କିନ୍ତୁ ସମ୍ପୃକ୍ତ ଅଧିକାରୀ ଜଣକ କଥା କୁ ଗୁରୁତ୍ୱ ଦେଇନଥିଲେ । ପରେ ପରେ ପୁଣି ଅଭିଯୋଗ ଯିବାପରେ ଖାଲ ଗୁଡ଼ିକର ମରାମତି କରିଥିଲେ । ଭଲ ଭାବରେ ପିଚୁ ପଡିବ ବୋଲି ଆମ ପ୍ରତିନିଧିଙ୍କୁ ଅକ୍ଟୋବର ମାସରେ ଜଣେଇ ଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ପିଚୁ ପକେଇନଥିଲେ । ସୂଚନାଯୋଗ୍ୟ ହିନ୍ଦୋଳ ବ୍ଲକର ଯେ କୌଣସି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କୌଣସି ବି ପ୍ରଶାସନିକ ଅଧିକାରୀ ଏମିତି କାମକୁ ନ ଦେଖି ବିଲ କରିଦେଉଛନ୍ତି ।ସମ୍ପୃକ୍ତ ଅଧିକାରୀ କାହା ବଳରେ ଏମିତି ନିମ୍ନ ମାନର କାମ କରି ନିଜକୁ ଜଣେ ପ୍ରଭାବଶାଳୀ ଅଫିସର ବୋଲାଉଛନ୍ତି ?? ସେ କଥା ତଦନ୍ତ ସାପେକ୍ଷ । ଘଟଣାର ସତ୍ୟା ସତ୍ୟ ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ଦିଆଯାଉ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ନା ଗେଲ୍ହା ପୁଅ ଭଳି ବ୍ୟବହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ : ରଜତ କୁମାର ମହାପାତ୍ର