କିଶୋର ପଣ୍ଡା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଟକର ମାଷ୍ଟର୍ସ କ୍ଲବ ସେମିଫାଇନାଲରେ ପହଞ୍ଚିଲା

ନିମାପଡ଼ା(ସମୃଦ୍ଧଓଡିଶା) ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ” ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ କ୍ରିକେଟ ଟୁର୍ନାମେଣ୍ଟ” ଦ୍ୱିତୀୟ କ୍ଵାଟରଫାଇନାଲ ମ୍ୟାଚରେ ଡିଆରକେ ବାରିପଦା ମୟୁରଭଞ୍ଜ ବନାମ ମାଷ୍ଟର୍ସ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜିର ମ୍ୟାଚରେ ଡିଆର କେ ବାରିପଦାକୁ ୪ ୱ୍ଵିକେଟରେ ହରାଇ ମାଷ୍ଟର୍ସ କ୍ଲବ କଟକ ସେମିଫାଇନାଲରେ ପ୍ରବେଶ କରିଛି l ଟସଜିତି ଡିଆରକେ ବାରିପଦା ବ୍ୟାଟିଂ କରି ନିର୍ଦ୍ଧାରିତ ୩0 ଓଭର ମଧ୍ୟରୁ ୨୯.୫ ଓଭରରେ ସମସ୍ତ ୱ୍ଵିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା l ଦଳର ପକ୍ଷରୁ ବ୍ୟାଟର ସୌମ୍ୟରଞ୍ଜନ ମହନ୍ତ ୫0 ଏବଂ ମନୁରାମ ୪୪ ରନ ସଂଗ୍ରହ କରିଥିଲା l ପ୍ରତିପକ୍ଷ ଦଳ ମାଷ୍ଟର୍ସ କ୍ଲବ ପକ୍ଷରୁ ବୋଲର ସନ୍ତୋଷ ସେଠୀ ୩ ଏବଂ ଫୟଜଲ ରେହେମାନ ୨ଟି ୱ୍ଵିକେଟ ଅକ୍ତିଆର କରିଥିଲେ l ଜବାବରେ ଦ୍ଵିତୀୟାର୍ଦ୍ଧରେ ମାଷ୍ଟର୍ସ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୩0 ଓଭର ଖେଳରୁ ୨୬. ୫ ଓଭରରେ ୬ଟି ୱ୍ଵିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟଲାଭ କରିଛି l ମାଷ୍ଟର୍ସ କ୍ଲବ ବ୍ୟାଟର ଶାନ୍ତନୁ ଦାଶ ୩୪ ଏବଂ ରୋହିତ ସାଗରଙ୍କ ୩୧ ରନ କରିଥିବା ବେଳେ ପ୍ରତିପକ୍ଷ ଡିଆରକେ ଦଳର ବୋଲର ମାରି ଲୋକନାଥ ୨ ଏବଂ ହୀରକ ସିଂ ୧ଟି ୱ୍ଵିକେଟ ଅକ୍ତିଆର କରିଥିଲେ l ମାଷ୍ଟର୍ସ କ୍ଲବ କଟକର ଖେଳାଳି ରୋହିତ ସାଗର ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ଅତିଥି ପୂର୍ବତନ ଖେଳାଳି ତଥା ଓସିଏ ପ୍ୟାନେଲ ଅମ୍ପେୟାର ନିର୍ମଳ ମିଶ୍ରଙ୍କ ଏବଂ ଲଷ୍ମୀପତି ମୋବାଇଲି ପ୍ରୋପାଇଟର ସୁଭାଶିଷ ରାଉତରାୟ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ତ୍ରିଭୁବନ ନାଥ ଦାଶ ଓ ଦେବେନ୍ଦ୍ର ମିଶ୍ର l ସ୍କୋରର ଦାୟିତ୍ୱରେ ରହିଥିଲେ ରୋଶନଜିତୀ ରାୟ ଏବଂ ଓମ ପ୍ରଧାନ l ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ l ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚ ମାଷ୍ଟର୍ସ କ୍ଲବ କଟକ ବନାମ ଜୟଦେବ ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ l

ରିପୋର୍ଟ : ରଜତ କୁମାର ମହାପାତ୍ର