ପ୍ରଫେସର ଭାଗବତ ପ୍ରସାଦ ରଥଙ୍କୁ ସୁରେନ୍ଦ୍ର ସାରସ୍ୱତ ସମ୍ମାନ ପ୍ରଦାନ

ରାୟଗଡା (ତୁଷାର ରଞ୍ଜନ ସାହୁ) କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ ଟ୍ରଷ୍ଟ ଏବଂ ରାଜ୍ୟ ଜନଶିକ୍ଷା ଓ ନିରନ୍ତର ଶିକ୍ଷା ସାଧନ କେନ୍ଦ୍ର. ଅଗ୍ରଗାମୀ, ରାୟଗଡଙ୍କ ମିଳିତ କାର୍ଯ୍ୟକ୍ରମରେ ପ୍ରଫେସର ଭାଗବତ ପ୍ରସାଦ ରଥଙ୍କୁ ପ୍ରଦାନ କରାଯାଇଛି ତାଙ୍କର ଉତ୍ସର୍ଗଗୀତ ଜୀବନ ପାଇଁ ସୁରେନ୍ଦ୍ର ସାରସ୍ୱତ ସମ୍ମାନ । ଶ୍ରୀଯୁକ୍ତ ରଥଙ୍କ ବାସଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମେମୋରିଆଲ ଟ୍ରଷ୍ଟର ପରିଚାଳିକା ପ୍ରଫେସର ଲୋପାମୁଦ୍ରା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଫେସର ରଥଙ୍କୁ ଜଣେ କୃତବିଦ୍ୟ ମଣିଷଭାବେ ଆଲୋଚନା କରିଥିଲେ । ରାୟଗଡା ମୁନିସିପାଲିଟିର ଉପାଧ୍ୟକ୍ଷ ଡ଼ଃ ନିରଞ୍ଜନ ବକ୍ସିପାତ୍ର ଅଙ୍ଗବସ୍ତ୍ର ପ୍ରଫେସର ରଥଙ୍କୁ ପ୍ରଦାନ କରିଥିଲେ ଏବଂ ଅଗ୍ରଗାମୀର ନିର୍ଦ୍ଧେଶକ ଅଚ୍ୟୁତ ଦାସ ମାନପତ୍ର ପ୍ରଦାନ କରିଥିଲେ ଅଧ୍ୟାପିକା ଡ଼ଃ ବାସନ୍ତୀ ମହାନ୍ତି ପୁଷ୍ପଗୁଚ୍ଛ ଦେଇ ନିଜର କୃତଜ୍ଞତା ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ବକ୍ସିପାତ୍ର ପ୍ରଫେସର ରଥଙ୍କର ବହୁମୂଖୀ ଶିକ୍ଷକ ଜୀବନ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଅଚ୍ୟୁତ ଦାସ, ରାୟଗଡା କାହିଁକି ସମଗ୍ର ଓଡିଶା ପ୍ରଫେସର ରଥଙ୍କୁ ଯେଭଳି ସମ୍ମାନ ପ୍ରଦର୍ଶନ କରାଯିବା କଥା ସେପରି କରିନଥିବା ସମ୍ପର୍କରେ ମତ ଦେଇଥିଲେ । ରାୟଗଡା ମହିଳା ମହା ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ଡ଼ଃ ଦୁଷ୍ମନ୍ତ ନାୟକ ନିଜ ଆଲୋଚନାରେ ପ୍ରଫେସର ରଥଙ୍କ ଜଣେ ଗଭୀର ଜ୍ଞାନ ଦୃଷ୍ଟି ସମ୍ପର୍ଣ ତ୍ୟାଗୀ ଅଧ୍ୟାପକ ରୂପେ ଚିତ୍ରଣ କରିଥିଲେ । ଡ଼ଃ ଲୋପାମୁଦ୍ରା ମହାନ୍ତି ସହରାଞ୍ଚଳରେ ଯୁଗଜନ୍ମା ସାହିତ୍ୟିକ ମାନଙ୍କ ଉତ୍ସବ ପାଳନ କରାନଯାଇ ଗ୍ରାମାଞ୍ଚଳ ଗୁଡିକରେ ସେଗୁଡିକର ଆୟୋଜନ କରାଗଲେ ଏହାର ଗଭୀର ପ୍ରଭାବ ଜନମାନସରେ ପଡିବ ବୋଲି ମତ ଦେଇଥିଲେ । ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ରବି ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାରେ ଗାଳ୍ପିକ ତଥା କବି ଆଶୁତୋଷ ପାତ୍ର, ଡମ୍ବରୁଧର ପଟନାୟକ, ଡ଼ଃ ଗୌରାଙ୍ଗ ଚରଣ ରାଉତ, ଯୋଗେଶ୍ୱର ଦାଶ, ଜୟରାମ ଜେନା, ସବ୍ୟସାଚି ବିଷୋୟୀ ପ୍ରଭୃତି ଉପସ୍ଥିତ ରହିଥିଲେ ।