ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରଥମ ଦିନରେ ଯୋଗଦେବେ ଐତିହାସିକ ହରମନ କୁଲକେ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରଥମ ଦିନରେ ଯୋଗଦେବେ ଐତିହାସିକ ପଦ୍ମଶ୍ରୀ ହର୍‌ମାନ୍‌ କୁଲ୍‌କେ । ଜର୍ମାନୀର ବର୍ଲିନ ଜନ୍ମିତ ପ୍ରଫେସର କୁଲକେ ଭାରତୀୟ ଉପମହାଦେଶର ଭାଷା,ସଂସ୍କୃତି, ସାହିତ୍ୟ ଓ ଇତିହାସ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଅଗାଧ୍ୟ୍ୟ ପାଣ୍ଡିତ୍ୱ ରହିଛି । ସେହିଭଳି ଓଡିଶା ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ଼ । ରାଜ୍ୟର କଳା, ସଂସ୍କୃତିକୁ ପ୍ରତି ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିବା ସହ ଓଡ଼ିଶାର ଇତିହାସକୁ ସେ ଅତି ନିକଟରୁ ଦେଖିଥିବା ପ୍ରତୀୟମାନ ହୁଏ । ସେ ଓଡ଼ିଶାର ଇତିହାସକୁ ନେଇ ଅନେକ ଗବେଷଣାତ୍ମକ ପ୍ରବନ୍ଧ ମାନ ପ୍ରକାଶ କରିଛନ୍ତି । ସେ ୧୯୭୦ ରୁ ୭୫ ମସିହା ମଧ୍ୟରେ ଓଡିଶା ଗବେଷଣା ପ୍ରକଳ୍ପର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ସଂଯୋଜକ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି । ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୭୮ରୁ ୭୯ ମସିହା ମଧ୍ୟରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଓଡିଶା ଓ ଭାରତର ସାଂସ୍କୃତିକ ଐକ୍ୟ, ଓଡ଼ିଶାର ରୂପରେଖ, ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରା, ଓଡ଼ିଶାର କୁର୍ମୀ ସମ୍ପ୍ରଦାୟ, ଓଡିଶା ଓ ବିଜୟନଗରର ମଧ୍ୟଯୁଗୀୟ ଇତିହାସ ଉପରେ ବିଭିନ୍ନ ଲେଖାମାନ ଲେଖି ଓଡ଼ିଶାର ନିକଟତର ହୋଇପାରିଛନ୍ତି । ବହୁତ ବର୍ଷର ବ୍ୟବଧାନ ପରେ ପ୍ରଫେସର କୁଲକେଙ୍କ ପରି ଜଣେ ମହାନ ଐତିହାସିକଙ୍କ ଠାରୁ ଓଡ଼ିଶାବାସୀ ସାରଗର୍ଭକ ତଥ୍ୟଭିତ୍ତିକ ସୂଚନା ପାଇବାର ସୁଯୋଗ ପାଇବେ । ଏହାଦ୍ୱାରା ରାଜ୍ୟର ଐତିହାସିକ, ଭାଷାବିତ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଅନେକ କିଛି ଶିଖି ପାରିବେ ବୋଲି ଆଶା କରାଯାଉଛି । ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ : ରଜତ ମହାପାତ୍ର