ପ୍ରତିଶୋଧର ରଜତ ଜୟନ୍ତୀ

ଏଇ ୨୦୨୩ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ପ୍ରଚଣ୍ଡ ଆକ୍ରମଣ କରି ୩୦୦ ଲୋକଙ୍କର ପ୍ରାଣହାନୀ ଘଟାଇଛନ୍ତି ଓ ସମାନ ସଂଖ୍ୟକ ଲୋକଙ୍କୁ ପଣବନ୍ଦୀ କରି ନେଇଯାଇଛନ୍ତି।ଅକ୍ଟୋବର ୭କୁ ସେମାନେ ବାଛିବାର କାରଣ ଠିକ୍ ପଚାଶ ବର୍ଷ ତଳେ ୧୯୭୩ ଅକ୍ଟୋବର ୬ ତାରିଖରେ ଇସ୍ରାଏଲ ଆକ୍ରମଣର ରଜତ ଜୟନ୍ତୀ ପାଳନ। ଆପଣମାନେ ବହୁତପ୍ରକାର ରଜତ ଜୟନ୍ତୀ ପାଳନ ପ୍ରସଙ୍ଗ ଜାଣିଥିବେ/ଶୁଣିଥିଵେ, ବିଭିନ୍ନ ଅନୁଷ୍ଠାନର, ଶିକ୍ଷାୟତନର, ଚିକିତ୍ସାଳୟର, ଦାତବ୍ୟ ଅନୁଷ୍ଠାନର, ମହାମନିଷୀମାନଙ୍କର ଜୟନ୍ତୀ ବା ତିରୋଧାନ ଦିବସର ରଜତଜୟନ୍ତୀ ପାଳନ ହୁଏ, ମାତ୍ର ପ୍ରତିଶୋଧର ଯେ ରଜତ ଜୟନ୍ତୀ ପାଳନ କରାଯାଏ, ତା’ ପ୍ରଥମଥର ଦେଖିବାକୁ/ଶୁଣିବାକୁ ମିଳିଲା ।ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା,ବିଶ୍ଵର ସର୍ବାଧିକ ଦକ୍ଷ, ଭରସାଯୋଗ୍ୟ, ଶ୍ରେଷ୍ଠତମ ଗୁଇନ୍ଦା ସଂସ୍ଥା, ଇସ୍ରାଏଲର “ମୋସାଦ” ତା’ର ନାକତଳେ ସଂଘଠିତ ଏପରି ସାଂଘାତିକ ନାରକୀୟ କାଣ୍ଡର କିଛି ପ୍ରାକ୍ ସୂଚନା ପାଇପାରିଲା ନାହିଁ କିପରି ?ହମାସର ଭୟଙ୍କର ବର୍ବର ଆକ୍ରମଣ କେବଳ ଭୂଭାଗରେ ସୀମିତ ନଥିଲା, ତାହା ଜଳ, ସ୍ଥଳ,ଆକାଶ ସବୁପଟୁ ହୋଇଥିଲା।ଉପରୁ ପାରାଗ୍ଲାଇଡର ମାଧ୍ୟମରେ ଓହ୍ଲାଇ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଘରେ ଘରେ ପଶି ବନ୍ଧୁକମୁନରେ ଅନେକ ମହିଳା, ପୁରୁଷ ଶିଶୁ ଇତ୍ୟାଦିଙ୍କୁ ପଣବନ୍ଦୀ କରି ନେଇଗଲେ ଏବଂ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି ସେଇ ପଣବନ୍ଦୀମାନଙ୍କ ଉପରେ । ପୁଣି ହମାସ ଗୋଷ୍ଠୀ ଇସ୍ରାଏଲ ଉପରେ ଅନ୍ତତଃ ପାଞ୍ଚ- ହଜାର ରକେଟ୍ ମାଡକରି ଅନେକ ଧନଜୀବନ ନଷ୍ଟକରିବା ସହିତ ଅନେକ ଘର ଜାଳି- ଦେଇଛନ୍ତି।ଅଦ୍ୟାବଧି ଇସ୍ରାଏଲର ୧୨୦୦ ନାଗରିକ ପ୍ରାଣହରାଇଛନ୍ତି (୧୩-୧୦-୨୦୨୩) ଏଭଳି ଆକ୍ରମଣ ନିମନ୍ତେ ହମାସକୁ ଅନେକ ପ୍ରକାର ଆର୍ଥିକ,ପାରିଵେଶିକ,ସାମରିକ ସାହାଯ୍ୟର ଆବଶ୍ୟକତା ପଡିଥିବ, ଯାହାର ସଠିକ୍ ଆକଳନର ବିଫଳତା ଇସ୍ରାଏଲର ସାମଗ୍ରୀକ ଗୁଇନ୍ଦାବିଫଳତାକୁ ଦର୍ଶାଏ,ଯୋଉଥିରେ ଇସ୍ରାଏଲର, ସୀମା ସୁରକ୍ଷା, ମୋସାଦ ଏବଂ ସାମରିକସୁରକ୍ଷା ମଧ୍ୟ ଅନ୍ତର୍ଭୁକ୍ତ।କାରଣ ଇସ୍ରାଏଲର ଇତିହାସ କହେ,ତାଙ୍କ ଦେଶରେ ବା ଅନ୍ୟତ୍ର କେଉଁଠି ଇସ୍ରାଏଲୀ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ତାଙ୍କ ସେନାବାହିନୀର ପ୍ରାଥମିକ କାର୍ଯ୍ୟ,ଏହା ଦେଶର କାର୍ଯ୍ୟ,ସମ୍ପୃକ୍ତ ନାଗରିକର ନୁହେଁ । ୧୯୭୨ ମ୍ୟୁନିକ୍ ଅଲିମ୍ପିକରେ ପାଲେଷ୍ଟାଇନର ଆତଙ୍କବାଦୀମାନଙ୍କ ଆକ୍ରମଣରେ ୯ ଜଣ ଇସ୍ରାଏଲୀ ପ୍ରତିଯୋଗୀ ପ୍ରାଣ ହରାଇଥିଲେ,ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ବିଶ୍ଵସାରା ଖୋଜି ଖୋଜି ସେହି ଆତଙ୍କବାଦୀଙ୍କୁ ଖତମ କରିଥିଲା । ସେହି ବିଶ୍ଵବିଖ୍ୟାତ ଗୋଇନ୍ଦା ସଂସ୍ଥାର ବିଫଳତା ଅଷ୍ଟମାଶ୍ଚର୍ଯ୍ୟ ନିଶ୍ଚୟ,ଏହା ଭ୍ରୁକୁଞ୍ଚନ ସୃଷ୍ଟିକରିବା ସ୍ବାଭାବିକ। ଏବେ ଇସ୍ରାଏଲ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ବିଧିବଦ୍ଧଭାଵେ ହମାସ ବିରୁଦ୍ଧରେ ଯୁଦ୍ଧ ଘୋଷଣା ସହିତ,ଗାଜାଷ୍ଟ୍ରିପ୍ ପ୍ରାୟ ଧ୍ୱଂସସ୍ତୁପରେ ପରିଣତ ହେଲାଣି, ପ୍ରାୟ ୪,୦୦,୦୦୦ଲକ୍ଷ ଲୋକ ଗାଜା ଛାଡି ସାରିଲେଣି,ଅନେକ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି, ପ୍ରାୟ ୩,୦୦୦ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି,ଗଣ ଶଵ ସତ୍କାର ସକାଶେ ୫୦୦ଟି ବୃହତ୍ତ ଗର୍ତ୍ତ ଖୋଳାଯାଇଛି,ଏଇଥିରୁ ଯୁଦ୍ଧର ଭୟାବହତା ଅନୁମେୟ। ଇସ୍ରାଏଲ ଚାରିପଟେ ଗାଜାକୁ ଘେରାବନ୍ଦୀ କରିରଖିଛି,ହମାସର ନେତା/ଅଭିଯୁକ୍ତମାନଙ୍କୁ ଖୋଜି ଖୋଜି ମାରୁଛି।ଗାଜାକୁ ପାଣି, ବିଜୁଳି,ଖାଦ୍ୟ, ଇନ୍ଧନ ସଵୁ ଯୋଗାଣ ବନ୍ଦ କରିଦିଆଯାଇଛି,ଯେତେପର୍ଯ୍ୟନ୍ତ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ ନ କରିଛି, ସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ, ଫଳରେ ଗାଜାରେଥିବା ଅଧିବାସୀମାନେ ହାହାକାର କରୁଛନ୍ତି,ଜୀବନ୍ମୁତଅବସ୍ଥାରେ କାଳ କାଟୁଛନ୍ତି,ଇନ୍ଧନବିନା ନାଁ ପାୱାରପ୍ଲାଣ୍ଟ କାମକରୁଛି ନାଁ ଜଳଯୋଗାଣ ହୋଇପାରୁଛି ।ଏଣେ ହମାସ ମଧ୍ୟ ତା’ ଜିଦରେ ଅଟଳ,ହମାସର ଉକ୍ତି,ଅବରୋଧ ଯେତେ ବଢିବ, ଇସ୍ରାଏଲୀ ପଣବନ୍ଦୀଙ୍କ ଦୁର୍ଦ୍ଦଶା ସେତେ ବଢିବ,ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ । ଏଇ ପରିପ୍ରେକ୍ଷୀରେ ଇସ୍ରାଏଲକୁ ଆମେରିକା,ଅଷ୍ଟ୍ରେଲିଆ,ଅନେକ ୟୁରୋପୀୟ ରାଷ୍ଟ୍ର,ଭାରତ, ଦକ୍ଷିଣ କୋରିଆ, ଜାପାନ ଆଦି ଦେଶ ସମର୍ଥନ କଲେଣି, ଅପରପକ୍ଷେ ପାଲେଷ୍ଟାଇନକୁ ମଧ୍ୟ ଇରାନ୍, ସିରିଆ, ଜୋର୍ଡାନ, ଲେବାନନ୍, ତୁର୍କୀ, ପାକିସ୍ତାନ ଆଦି ଦେଶ ସମର୍ଥନ କରିଛନ୍ତି, ମାତ୍ର ବିସ୍ମୟର କଥା ପ୍ରଥମ ମୁସଲିମ ଦେଶଭାଵେ ୟୁଏଇ ବା ୟୁନାଇଟେଡ ଆରବ ଏମିରେଟ୍ସ ହମାସର ଏହି ଅମାନବୀୟ ଆକ୍ରମଣକୁ ନିନ୍ଦା କରିଛି, ନିକଟ ଅତୀତରେ ଯୋଉ ୟୁଏଇ ଇସ୍ରାଏଲ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲା ପ୍ରଥମ ମଧ୍ୟ ପ୍ରାଚ୍ୟ ଦେଶଭାଵେ ।ଥରେ ଭାବନ୍ତୁ ତ ଯଦି ୟୁଏଇ, ପାଶ୍ଚାତ୍ୟ ଗୋଷ୍ଠୀଭଳି ଇସ୍ରାଏଲକୁ ସାହାଯ୍ୟ କରିବାକୁ ଆଗେଇ ଆସେ, ତୈଳ ଗୋଷ୍ଠୀ, OPEC-Organisation of Petroleum Exporting Countriesର ଏକତା ଆଉ ରହିବଟି !ଇସ୍ରାଏଲରେ ଇତିମଧ୍ୟରେ ସମସ୍ୟାର ସମାଧାନ ସକାଶେ ବିରୋଧୀଙ୍କୁ ମିଶାଇ ଏକ ମିଳିତ ସରକାର ଗଠନ କରାଯାଇଛି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ନେତୃତ୍ୱରେ।ପୁଣି ଏବେ ସିରିଆ, ଇରାନ, ଜୋର୍ଡାନ, ଇସ୍ରାଏଲ ଉପରେ ଉତ୍ତର ଦକ୍ଷିଣ ସଵୁପଟୁ ଆକ୍ରମଣ ଆରମ୍ଭ କରିଦେଲେଣି, ଉଭୟପକ୍ଷ ସ୍ବ ସ୍ବ ଜିଦରେ ଅଟଳ,ଆମେରିକା ଇସ୍ରାଏଲ ସପକ୍ଷରେ ତା’ର ଵିମାନବାହୀ ଯୁଦ୍ଧପୋତ ପଠାଇବା ସହ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ୍ ପଠାଇ ସାରିଲାଣି, ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଯିଏ ନିଜେ ଜଣେ ଇହୁଦୀ ତେଲ ଆଭିଭରେ ପହଞ୍ଚିଛନ୍ତି ।ସିଆଡେ ଇସ୍ରାଏଲ ସିରିଆର ୨ଟି ବିମାନବନ୍ଦର ଡାମାସ୍କସ୍ ଓ ଆଲେପସୋରେ ପ୍ରଵଳ ବୋମାମାଡ କରିଛି ।ଲାଗୁଛି ୟେ ଯୁଦ୍ଧ ଶୀଘ୍ର ସରିବ ନାହିଁ,ଏ ମଧ୍ୟରେ ଋଷିଆ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଛି ।ଫଳ ତ ଭବିଷ୍ୟତ କହିବ, କିନ୍ତୁ ଯୁଦ୍ଧର ତୁରନ୍ତ ପ୍ରଭାବ ସ୍ବରୂପ ସୁନା ଓ ଖଣିଜ ତୈଳର ଦରବୃଦ୍ଧି ଅବଶ୍ୟମ୍ଭାବୀ,ସୁନାଦର ପ୍ରାୟ ୨,୦୦୦ ବଢିସାରିଲାଣି ଏଇ ୬ଦିନମଧ୍ୟରେ,ୟାପରେ ତୈଳର ପାଳି,ତାକୁଚାହିଁ ଅନ୍ୟାନ୍ୟ ସଵୁଦର ବୃଦ୍ଧି ହେବା ନିଶ୍ଚିତ।ଋଷ-ୟୁକ୍ରେନ ଯୁଦ୍ଧ ଦେଢ଼ବର୍ଷ ହେଲା ଚାଲିଛି ଯେ ଶେଷ ହେଵାର ନାଁ ନାହିଁ,ପୁଣି ଗୋଟିଏ ଯୁଦ୍ଧ ମଧ୍ୟପ୍ରାଚ୍ୟରେ ଆରମ୍ଭ ହେଲାଣି,ଯାହା ବିଶ୍ଵବାସୀଙ୍କୁ ଆହୁରି କନ୍ଦାଇବ,ବିଶ୍ଵ ପୁଣି ଏକ ମହାଯୁଦ୍ଧ ମୁହାଁ ! ଏଇଠି ଗୋଟିଏ ପ୍ରସଙ୍ଗ ଉଲ୍ଲେଖଯୋଗ୍ୟ,ଯୁଦ୍ଧ ଆରମ୍ଭ ହୋଇଛି ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ,ତା’ ସତ୍ତ୍ୱେ ସେଠାରେ ବିରୋଧୀଙ୍କୁ ସାମିଲକରି ମିଳିତ ସରକାର ଗଢାଯାଇପାରିଲା ଅଧୁନା ପ୍ରଧାନମନ୍ତ୍ରୀ ଵେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱରେ, ଯାହା ନେତାନ୍ୟାହୁ ‌ଓ ସାମରିକ ବାହିନୀକୁ ସବୁ କ୍ଷମତା ଦେଇଛି ଶତ୍ରୁ ବିରୁଦ୍ଧରେ ଦୃଢ଼ ଓ ଯଥୋପଯୋଗୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ।ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି ISIS ଭଳି ହମାସର ମୂଳୋତ୍ପାଟନ କରିବ ।ଅଥଚ ତା’ର ଓଲଟା ପ୍ରତିଫଳନ ଦେଖାଦେଇଛି ଆମ ଦେଶ ରାଜନୀତିରେ,ଭାରତ ସରକାର ଇସ୍ରାଏଲ ଉପରେ ୟେ ପ୍ରକାର ବର୍ଵରୋଚିତ ଆକ୍ରମଣର ସର୍ଵତୋଭାଵେ ନିନ୍ଦା କରିବା ସହିତ ଇସ୍ରାଏଲର ଏ ଦୁର୍ଦ୍ଦିନରେ ଦୃଢ଼ ସମର୍ଥନ ଜଣାଇଛନ୍ତି ।ଅଥଚ ଆମର ସର୍ବପୁରାତନ ଦଳ ପ୍ରଥମେ ହମାସର କାର୍ଯ୍ୟକୁ ନିନ୍ଦା କରିଥିଲେ ମଧ୍ୟ ପରମୁହୂର୍ତ୍ତରେ ୟୁ ଟର୍ନ ନେଇଛି ନିଜ ନିହିତ ସ୍ବାର୍ଥ ଦୃଷ୍ଟିରୁ, ମୁସଲିମ ଭୋଟ ନ ମିଳିବାର ଆଶଙ୍କାରୁ ଏଵଂ ତାକୁ ଏବେ ତାଙ୍କ ଦଳର ନୀତି ଓ ଆଦର୍ଶର ଚାଦର ଘୋଡାଉଛନ୍ତି ସବୁଆଡୁ ସମାଲୋଚନା ପରେ । ଏମାନଙ୍କର ଏକମାତ୍ର ନୀତି,”ଘଇତା ମରୁପଛେ ସଉତୁଣୀ ରାଣ୍ଡ ହେଉ ।” ସେ ଦଳର ଜଣେ ବିଚକ୍ଷଣ ବୁଦ୍ଧିଜୀବୀ ଓ ପ୍ରଚଣ୍ଡ ବାଗ୍ମୀ ସାଂସଦ ମଧ୍ୟ ଦଳକୁ ସୁହାଇବାଭଳି ବକ୍ତବ୍ୟ ଦେଇସାରିବାପରେ ସେ ସକାଶେ ସଫେଇ ଦେଇଛନ୍ତି, ଦଳୀୟ ଆଦର୍ଶ ଆଗରେ ନିଜ ଆଦର୍ଶର ମୂଲ୍ୟ କେତେ ? ଇସ୍ରାଏଲ-ପାଲେଷ୍ଟାଇନ ସମ୍ପର୍କ ମଧ୍ୟପ୍ରାଚ୍ୟର ଏକ ଅଛିଣ୍ଡା ଗଣିତ, ୨ୟ ବିଶ୍ଵଯୁଦ୍ଧ ପରେ ୧୯୪୮ରେ ଇସ୍ରାଏଲ ଦେଶ ଗଠନର ଘୋଷଣା କରାଗଲା,ଯାହାକୁ ଆମେରିକା, ଋଷ ଆଦି ସ୍ବୀକୃତି ଦେଇଥିଲେ,ମାତ୍ର ଆରବ ଦେଶ ସମୁହ ପ୍ରଥମରୁ ଏହାର ଵିରୋଧ କରିଚାଲିଲେ ।ବିଚକ୍ଷଣ ଧୀ ସମ୍ପନ୍ନ ଇହୁଦୀମାନଙ୍କର ନିରନ୍ତର ଆନ୍ତରିକ କର୍ତ୍ତବ୍ୟନିଷ୍ଠା, ଗବେଷଣା ଫଳରେ ଇସ୍ରାଏଲ ଏକ ଶକ୍ତିଶାଳୀ,ବିତ୍ତଶାଳୀ ଓ ବିକାଶଶୀଳ ଦେଶରେ ରୂପା ନ୍ତରୀତ ହେଲା । ଏଥିପାଇଁ ଇସ୍ରାଏଲକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ,ଅନେକଵାର ଯୁଦ୍ଧର ସମ୍ମୁଖୀନ ହୋଇଛି,୧୯୬୭ରେ ଛଦିନର ଯୁଦ୍ଧରେ ଇସ୍ରାଏଲ ଜୋର୍ଡାନଠାରୁ ୱେଷ୍ଟ ବ୍ୟାଙ୍କ୍, ଇଜିପ୍ଟଠାରୁ ଗାଜା ଷ୍ଟ୍ରିପ୍ ଓ ସିନାଇ ପେନିନସୁଲା ଏଵଂ ସିରିଆଠାରୁ ଗୋଲାନ ହାଇଟସ୍ ଅଧିକାର କରିନେଲା ।ଆରବ ରାଷ୍ଟ୍ର ସମୁହ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏକ ଅସରନ୍ତି ସମସ୍ୟା,କାରଣ ବିଶ୍ଵର ୨ଟି ବଡ଼ ଧର୍ମର ଅନୁଗମୀମାନେ ସେମାନଙ୍କର ଆଧିପତ୍ୟ, ଅଧିକାର ନିମନ୍ତେ ସେଠାରେ ନିଜ ନିଜର ସବୁକିଛି ଲଗାଇଦେଇଛନ୍ତି କାରଣ ଇସ୍ରାଏଲର ପୁରୁଣା ରାଜଧାନୀ ଜେରୁଜେଲମ୍ ଯୀଶୁଖ୍ରୀଷ୍ଟ ଓ ମହମ୍ମଦଙ୍କ କର୍ମସ୍ଥଳ ଓ ଇହୁଦୀମାନଙ୍କ ଜୁଦାଇଜିମର ମଧ୍ୟ ଅତୀବ ପଵିତ୍ରସ୍ଥଳ,ତେଣୁ ଜେରୁଜେଲମ ଏ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପବିତ୍ରତମ ।ଜନସଂଖ୍ୟା ଦୃଷ୍ଟିରୁ ଇସ୍ରାଏଲ ଏକ ଛୋଟ ଦେଶ,ସେଥିନିମନ୍ତେ ଇସ୍ରାଏଲ- ବାସୀଙ୍କ ସକାଶେ ୩ଵର୍ଷ ସାମରିକବାହିନୀରେ ଯୋଗଦାନ ବାଧ୍ୟତାମୂଳକ, ପୁଣି ସେମାନଙ୍କ ଦେଶପ୍ରେମ ଉଦାହରଣୀୟ,ବର୍ତ୍ତମାନ ବିଦେଶରେଥିବା ଇସ୍ରାଏଲୀ ନାଗରିକମାନେ ସ୍ବଦେଶ ଫେରିଲେଣି ସେନାରେ ଯୋଗଦେବାକୁ ଏ ଅସମୟରେ ।ବର୍ତ୍ତମାନ ଯୁଦ୍ଧଭୂମିକୁ ଯାଉଥିବା ସୈନ୍ୟମାନଙ୍କୁ ଇସ୍ରାଏଲବାସୀ ଏପରି ହର୍ଷ,ଉଲ୍ଲାସ ଓ ଵିଭିନ୍ନ ଉପହାର ସହିତ ବିଦାୟଦେଉଛନ୍ତି ଯାହା ଦେଖିବାର/ଶିଖିବାର କଥା।ମାତ୍ର ଦୁଃଖର ବିଷୟ ଆମ ଦେଶରେ ସେନାର ପ୍ରତ୍ୟେକ କାର୍ଯ୍ୟରେ ପ୍ରମାଣ ମଗାଯାଉଛି !ଇସ୍ରାଏଲ ଯେପରି ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି, ଆମ ଦେଶ ସେଥିରୁ କିଛି ଶିଖିବା କଥା, ଖଲିସ୍ଥାନୀ, ପଡୋଶୀ ଶତ୍ରୁ ଓ ଦେଶ ଭିତରେ ଥିବା ଆତଙ୍କୀଙ୍କ ନିମନ୍ତେ ମଧ୍ୟ ଏମିତି କାର୍ଯ୍ୟାନୁଷ୍ଠାନ ଜରୁରୀ । ଇସ୍ରାଏଲର ପବିତ୍ରତମ ପର୍ବ, “ୟମୀ କିପ୍ପୁର” ଦିନରେ ହମାସର “ଅପରେସନ ଅଲ୍ ଅକ୍ସାଫ୍ଲଡ୍” ଜବାବରେ ଇସ୍ରାଏଲ ଆରମ୍ଭ କରିଥିବା “ଅପରେସନରେ ଆଇରନ ସୋର୍ଡସ” ଭାରି ପଡୁଛି । ହେଲେ ବି କେହି ନରମୁନାହାନ୍ତି,ଆତଙ୍କର କ’ଣ ଅନ୍ତ ନାହିଁ ?

ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯