ପାର୍ବଣପର୍ବକୁ ନେଇ ଆକ୍ସନ ମୁଡ଼ରେ ଗଞ୍ଜାମ ପୋଲିସ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ପାର୍ବଣ ଋତୁକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ପୋଲିସ । ଆଗାମୀ ଦଶହରା ପୂଜା ସମେତ ଜିଲ୍ଲାର ଲୋକପ୍ରିୟ କୁମାର ପୂର୍ଣ୍ଣିମା, କାଳୀ ପୂଜା, ଦୀପାବଳୀ ଏବଂ ଲକ୍ଷ୍ମୀ ପୂଜାକୁ ଆଖି ଆଗରେ ରଖି ଆଗୁଆ ସଜାଗ ହୋଇ ଉଠିଛି ପୋଲିସ ବାହିନୀ। ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଇଲାକାରେ ଧରପଗଡ଼ ଅଭିଯାନ ପୋଲିସ ପକ୍ଷରୁ ତ୍ବରାନ୍ବିତ କରାଯାଇଛି ପୋଲିସ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ସ୍ୱତନ୍ତ୍ର ଅପରାଧୀ ଧରପଗଡ଼, ଜୁଆ ଆଡ୍ଡାରେ ଚଢ଼ାଉ ସାଙ୍ଗକୁ ମଦୁଆ ଚାଳକଙ୍କୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଗତ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ପ୍ରଥମ ୧୦ ଦିନ ସୁଦ୍ଧା ବିଭିନ୍ନ ଥାନା ଇଲାକାରେ ମୋଟ ୩୬ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ୫୧ଟି ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ଜବତ କରାଯିବା ସହ ୭ ଲକ୍ଷ ୭୭ ହଜାର ୫୪୦ ଟଙ୍କା ଜବତ କରାଯାଇଛି। ୧୮୬ ଜଣ ଜୁଆଡି ଓ ଅସାମାଜିକ ବ୍ୟକ୍ତିଙ୍କୁ କାବୁ କରାଯାଇଛି। ଆଗାମୀ ଦଶହରା ଏବଂ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଆଡ୍ଡାରେ ଧରପଗଡ଼ ଜାରି ରହିବ ବୋଲି ଗଞ୍ଜାମ ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ସେହିପରି ଶେରଗଡ଼, ଆସିକା, ସୋରଡ଼ା, ଧରାକୋଟ, ଜଗନ୍ନାଥ ପ୍ରସାଦ, ହିଞ୍ଜିଳିକାଟୁ, ଭଞ୍ଜନଗର, ଗାଙ୍ଗପୁର, ରମ୍ଭା, ଖଲ୍ଲିକୋଟ, ଛତ୍ରପୁର, ଚମାଖଣ୍ଡି ଆଦି ଥାନା ପକ୍ଷରୁ ମଦ୍ୟପାନ କରି ରାସ୍ତାରେ ଯାଆସ କରୁଥିବା ଯାନବାହାନର ଚାଳକମାନଙ୍କ ଯାଞ୍ଚ କରାଯାଇ ୩୬ ଜଣଙ୍କ ନାମରେ ମାମଲା ରୁଜୁ କରାଯିବା ସାଙ୍ଗକୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରିପୋର୍ଟ୍ : ରଜତ ପଟ୍ଟନାୟକ